ପଶ୍ଚିମ ଓଡ଼ିଶାର ୪ ସହରରେ ପ୍ରଚଣ୍ଡ ତାତି ସତର୍କତା

ଭୁବନେଶ୍ବର : ରାଜ୍ୟରେ ‌ଗରମ ଜାରି ରହିଥିବା ବେଳେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାବାସୀଙ୍କୁ ରୌଦ୍ରତାପରୁ ମୁକ୍ତି ନାହିଁ। ଆଜି ଓ ୮ ତାରିଖ ପାଇଁ ପଶ୍ଚିମ ଓଡ଼ିଶାର ୪ ଜିଲ୍ଲାକୁ ହିଟ୍‌ ୱେଭ୍‌ ୱାର୍ଣ୍ଣିଂ ଜାରି ହୋଇଛି। ବରଗଡ଼, ସୋନପୁର, ବଲାଙ୍ଗୀର ଓ ବୌଦ୍ଧ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହକୁ ନେଇ ‌ଏହି ୱାର୍ଣ୍ଣିଂ ଜାରି ହୋଇଛି। ଲଗାତାର କିଛି ଦିନ ଧରି ଏହି ଜିଲ୍ଲାଗୁଡ଼ିକରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ରେକର୍ଡ ହେଉଛି।

ସୋମବାର ଦିନ ରାଜ୍ୟର ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଥିବା ବେଳେ ୩ଟି ସହରର ତାପମାତ୍ରା ୪୩ ଡିଗ୍ରି ଉପରେ ରହିଥିଲା। ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ନୂଆପଡ଼ାଠାରେ ୪୪ ଡିଗ୍ରି ରେକର୍ଡ ହୋଇଛି। ଏଥିସହ ବଲାଙ୍ଗୀର ଓ ବୌଦ୍ଧ ତାପମାତ୍ରା ମଧ୍ୟ ୪୩ ଡିଗ୍ରି ଲେଖାଏ ରହିଥିଲା। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏହି ତାତି ଜାରି ରହିବ ଓ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ପରିଲକ୍ଷିତ ହେବ ନାହିଁ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସୋମବାର ଦିନ ରାଜଧାନୀରେ ପାଗ ଆଂଶିକ ମେଘୁଆ ରହିଥିବା ବେଳେ ଭୁବନେଶ୍ବରର ସର୍ବୋଚ୍ଚ ତାପମାତ୍ରା ୩୫.୬ ଡିଗ୍ରି ରହିଥିଲା। ସେହିଭଳି ଆଜି (ମଙ୍ଗଳବାର) ମଧ୍ୟ ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବ। ଦିନର ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରି ମଧ୍ୟରେ ରହିବ। ଗୁଳୁଗୁଳି ଜାରି ରହିବ।

ସମ୍ବନ୍ଧିତ ଖବର