ଆନନ୍ଦପୁର : ସରକାରୀ ଯୋଜନାରେ ମହିଳାମାନଙ୍କୁ ମିଶନଶକ୍ତି ମାଧ୍ୟମରେ ଆତ୍ମ ନିର୍ଭରଶୀଳ କରାଯାଉଛି। ମହିଳାମାନେ କିଭଳି ଆଗକୁ ବଢିପାରିବେ ଏଥିପାଇଁ କୋଟିକୋଟି ଟଙ୍କାର ଯୋଜନା ମଧ୍ୟ ପ୍ରସ୍ତୁତ କରାଯାଇଛି। ତେବେ ଘସିପୁରା ବ୍ଲକ ବୀରଗୋବିନ୍ଦପୁର ପଞ୍ଚାୟତ ଯୁଗଳକିଶୋରପୁର ଗ୍ରାମର ୫୫ବର୍ଷିୟ ଆଦିବାସୀ ମହିଳା କୁଇଲୁ ସୋରେନଙ୍କ ଜୀବନଶୈଳୀକୁ ଦେଖିଲେ ସରକାରଙ୍କ ମହିଳା ଯୋଜନାର ସଫଳତା କ୍ଷେତ୍ରରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଯୁଗଳକିଶୋରପୁର ଗ୍ରାମରେ କେବଳ ଆଦିବାସୀ ପରିବାର ବସବାସ କରୁଥିବାବେଳେ ଚାଷ ଓ ଜଙ୍ଗଲଜାତ ସାମଗ୍ରୀ ବିକ୍ରି କରି ଲୋକମାନେ ପରିବାର ଚଳାଇ ଆସୁଛନ୍ତି। ଗ୍ରାମର ଛୋଟରାୟ ସୋରେନଙ୍କ ପତ୍ନୀ କୁଇଲୁ ସୋରେନ୍ ମଧ୍ୟ ଦାନ୍ତକାଠି ବିକ୍ରି କରି ପରିବାର ଚଳାଇ ଆସୁଛନ୍ତି। ଛୋଟରାୟ କିଛିବର୍ଷ ତଳେ ଘରଛାଡ଼ି କେଉଁ ଆଡେ ଚାଲି ଯାଇଛନ୍ତି ଯେ ଆଉ ଘରକୁ ଫେରିନାହାଁନ୍ତି। ଦୁଇପୁଅ ଭୀମ ଓ ଅନପିକୁ ନେଇ ତାଙ୍କର ସଂସାର। ଭୀମ ଗତବର୍ଷ ମାକୁ ଛାଡି ନିଜ ପରିବାର ସହିତ ଅଲଗା ରହୁଛି। ଅନପି କୌଣସି ରୋଜଗାର କରୁ ନଥିବାବେଳେ ମା କୁଇଲୁ ହିଁ ପରିବାର ଚଳାଇଥାନ୍ତି। ବଜାରରେ ଦାନ୍ତାକଠି ବିକ୍ରିକରି ଯାହା ରୋଜଗାର ହୁଏ ସେଥିରେ ବହୁ କଷ୍ଟରେ ପରିବାର ଚଳିଥାଏ।
/sambad/media/post_attachments/wp-content/uploads/2022/06/dantakathi-kkkk-1-300x171.jpg)
କୁଇଲୁଙ୍କୁ ନିକଟସ୍ଥ ଜଙ୍ଗଲକୁ ଦାନ୍ତକାଠି ସଂଗ୍ରହ କରିବାକୁ ଯିବାକୁ ପଡିଥାଏ। ଏଥିପାଇଁ ତାଙ୍କୁ ଜଙ୍ଗଲ ଭିତରକୁ ଯିବାଆସିବା ପାଇଁ ୧୦କିମି ଚାଲିବାକୁ ପଡେ। ଜଙ୍ଗଲରୁ ଦାନ୍ତକାଠି ସଂଗ୍ରହ କରି ସାରିବା ପରେ ତାହାକୁ ପରଦିନ ସକାଳ ଭୋର ପାଞ୍ଚଟାରୁ ଗ୍ରାମରୁ ମୁଣ୍ଡରେ ଦାନ୍ତକାଠି ଲଦିବଜାରକୁ ଆସିବାକୁ ପଡିଥାଏ। ଗୋହିରା, ଶୈଲଙ୍ଗ, ଘସିପୁରା, ଖପରାଖାଇ, ଶାଳପଡ଼ା, ବାରିଗାଁରେ ପହଞ୍ଚିବା ବେଳକୁ ଦିନ ୧୨ଟା। କେଉଁଠି ଟିକିଏ ଜଳଖିଆ ଖାଇଲେ କାମ ଚଳିଯାଏ। ପୁଣି ଘରପର୍ଯ୍ୟନ୍ତ ୧୫କିମି ଚାଲିଚାଲି ଘରେ ପହଞ୍ଚିବା ବେଳକୁ ଦିନ ୩ଟା ବାଜିଯାଏ। ଘରେ ପହଞ୍ଚି ପୁଣି ରୋଷେଇ ଓ ଅନ୍ୟ କାମ। ଦୁଇଦିନରେ ୪୦କିମିରୁ ଊର୍ଦ୍ଧ୍ବ ରାସ୍ତା ଚାଲି ଦାନ୍ତାକାଠି ବିକ୍ରିକରି ମାତ୍ର ୨୫୦ଟଙ୍କା ମିଳିଥାଏ। ସେ ଗତ ୩୫ବର୍ଷ ହେଲା ଘସିପୁରାକୁ ଦାନ୍ତକାଠି ବିକ୍ରି କରିବାକୁ ଆସୁଥିବା କହିଛନ୍ତି। ଏପରିକି ନିଜ ଦୁଇପୁଅକୁ କାଖରେ ଧରି ଅନେକ ଥର ଚାଲିଚାଲି ମଧ୍ୟ ଆସିଛନ୍ତି। ଯେତେଦିନ ପାଦରେ ବଳଥିବ ସେତେଦିନ ପର୍ଯ୍ୟନ୍ତ ଆସୁଥିବି ବୋଲି କୁଇଲୁ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/dantakathi-final-ken.jpg)