ଚରମ ସୀମାରେ ବିଦ୍ୟୁତ ବିଭ୍ରାଟ, ଗାଁରୁ ସହର, ସବୁଠି ସ୍ଥିତି ସାଂଘାତିକ

ବାଦଲ ଦିଶିଲେ ଓ ପତ୍ର ହଲିଲେ କଟୁଛି ବିଜୁଳି

କୋରାପୁଟ: ପତ୍ର ହଲିଲେ ବିଜୁଳି ଚାଲି ଯାଉଛି। କେତେବେଳେ ପୁଣି ଆସୁଛି ତାହାର କୌଣସି ଥଳକୁଳ ନାହିଁ। ଏପଟେ ଆକାଶରେ ବାଦଲ ଢାଙ୍କିବା ମାତ୍ରେ ବିଦ୍ୟୁତର ଆଉ ଦେଖା ନାହିଁ। ବର୍ଷା ଛାଡିବାର ଘଣ୍ଟା ଘଣ୍ଟା ପରେ ମଧ୍ୟ ଲୋକେ ଅନ୍ଧାରରେ ରହୁଛନ୍ତି। କେବଳ ଏତିକି ନୁହେଁ, ବିନା କାରଣରେ ଦିନରେ ବି ଘଣ୍ଟା ଘଣ୍ଟ‌‌ା‌ ବିଜୁଳି କାଟ ହେଉଛି। ଏଥିନେଇ ଟାଟା ପାୱାରକୁ ପଚାରିଲେ କୌଣସି ସନ୍ତୋଷଜନକ ଉତ୍ତର ମିଳୁନି। ଏପଟେ ଗାଁରୁ ସହର ସବୁଠି ଲୋକେ ଅଘୋଷିତ ବିଜୁଳି କାଟ କାରଣରୁ ଘାଣ୍ଟି ହୋଇ ଗଲେଣି। ଏହାକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ବଢୁଥିଲାବେଳେ ନେତାମାନେ ବିଦ୍ୟୁତ ବିଭାଗ ଉପରେ ମନଇଛା ବର୍ଷିଛନ୍ତି।

କୋରାପୁଟ ଜିଲ୍ଲାରେ ବିଜୁଳି ସେବା ଚରମ ଅବ୍ୟବସ୍ଥା ଦେଇ ଗତି କରୁଛି। ପାଖାପାଖି ମାସେ ହେଲାଣି ଜିଲ୍ଲାବାସୀ ଠିକ ଭାବେ ବିଦ୍ୟୁତ ପାଇବାରୁ ବଂଚିତ ହେଉଛନ୍ତି। ଅଘ‌ୋଷିତ ବିଜୁଳି କାଟ ଲୋକଙ୍କୁ ବ୍ୟତିବ୍ୟସ୍ତ କରିଦେଲାଣି। ପ୍ରବଳ ଗରମ ସାଙ୍ଗକୁ ବିଜୁଳିର ଲୁଚକାଳି ସାଧାରଣ ଲୋକଙ୍କ କଷ୍ଟ ବଢାଇ ଦେଇଛି। ରାତି ରାତି ଲୋକେ ଅନ୍ଧାରରେ କାଟୁଥିଲାବେଳେ ଦିନରେ ବି ସମସ୍ୟା କମୁନି। ବିନା ବିଜୁଳିରେ ବିଭିନ୍ନ ସେବା ବାଧାପ୍ରାପ୍ତ ହେଉଛି। ଏପଟେ କାହିଁକି ଏବେ ମାତ୍ରାରେ ବିଜୁଳି ବିଭ୍ରାଟ ହେଉଛି ତା’ର ଉତ୍ତର କାହା ପାଖରେ ନାହିଁ।

ଖରା ଦିନେ ଝଡ ତୋଫାନ ବାହାନ‌ାରେ ବିଜୁଳି ବିଭାଗ ବହୁ ସମୟରେ ବିଦ୍ୟୁତ କଟିଥାଏ। ତେବେ ଚଳିତବର୍ଷ ସବୁ ସୀମା ଟପି ଯାଇଛି। ଲୋକମାନଙ୍କ ଅଭିଯୋଗ ଅନୁଯାୟୀ, ଆକାଶରେ ବାଦଲ ଦେଖା ଦେବା ମାତ୍ରେ ବିଜୁଳି କାଟି ଦିଆଯାଉଛି। ବର୍ଷା ହେଲେ ଘଣ୍ଟା ଘଣ୍ଟା ଧରି ଅନ୍ଧାରରେ ରହିବାକୁ ପଡୁଛି। ଆଉ ଥ‌ରେ ପବନ ହେଲେ ବିଜୁଳିର ଦେଖା ଦର୍ଶନ ମିଳୁନି। ଚଳିତ ଖରା ଦିନ‌େ ପ୍ରାୟ ୪ ଦିନ କୋରାପୁଟ ସହର ଅନ୍ଧାରରେ ରହିଥିଲାବେଳେ ଗ୍ରାମାଞ୍ଚଳ ଅବସ୍ଥା ‌ଶୋଚନୀୟ। ସେହିପରି ଲମତାପୁଟ, ସେମିଳିଗୁଡା, ପଟାଙ୍ଗୀ, ନନ୍ଦପୁର, ଲକ୍ଷ୍ମୀପୁର ଆଦି ଅଂଚଳରେ ମଧ୍ୟ ବିଦ୍ୟୁତ ବିଭ୍ରାଟ ନିତି ଦିନିଆ ଘଟଣାରେ ପରିଣତ ହେଲାଣି। ଏପଟେ ବିଜୁଳି କାଟ ବଢି ଯାଇଥିବାରୁ ଜଳ ଯୋଗାଣ ଉପରେ ଏହା ଗଭୀର ପ୍ରଭାବ ପକାଉଛି। ଲୋକେ ପାଣି ପାଇବା‌ରେ ଅସୁବିଧ‌ାର ସମ୍ମୁଖୀନ ହେଉଛନ୍ତି। ରାତିରେ ଅନ୍ଧାରରେ ରହୁଥିବା ଲୋକେ ଦିନରେ ବିଭିନ୍ନ କାମ କରିବାରେ ହଇରାଣ ହେଉଛନ୍ତି।

ଏଥିନେଇ ସାଉଥକୋର ସହକାରୀ ଯନ୍ତ୍ରୀ ମନୋରଞ୍ଜନ ମାର୍ଥାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଲୋକଙ୍କୁ ଠିକ ଭାବେ ସେବା ଦେବା ପାଇଁ ଉଦ୍ୟମ ଜାରି ରହିଛି। ବିଭିନ୍ନ ସମୟରେ ଯାନ୍ତ୍ରିକ ତ୍ରୁଟି କାରଣରୁ ବିଜୁଳି କଟୁଛି। ଜାଣିଶୁଣି ବିଜୁଳି କାଟ କରାଯାଉ ନ ଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର