୩୧ରୁ ପ୍ରବଳ ଶୀତ, ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର : ରାଜ୍ୟରେ ଏବେ ଶୀତ ଅପେକ୍ଷାକୃତ କମ୍‌ ରହିଛି। ଆଉ ଦିନେ ରାତି ତାପମାତ୍ରା ଏଭଳି ରହିବ। ୩୧ ତାରିଖଠାରୁ ଏହା ପୁଣି ଖସିବା ଆରମ୍ଭ କରିବ ଓ ସାରା ରାଜ୍ୟରେ ରାତି ତାପମାତ୍ରା ପ୍ରାୟ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ। ଫଳରେ ପୁଣି ଜାଡ଼ ଫେରିବ। ରାଜ୍ୟରେ ପୁଣି ଶୀତ ଲହରୀ ଫେରିବା ଫଳରେ ବର୍ଷର ଶେଷ ଦିନ ସହ ନୂଆବର୍ଷର ପ୍ରଥମ ୨ ଦିନ ପ୍ରବଳ ଶୀତରେ ରାଜ୍ୟ ଥରିବ ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌ ଆର୍‌ ବିଶ୍ବାସ। ଏଣୁ କେନ୍ଦ୍ର ପକ୍ଷରୁ ୩୧, ୧ ଓ ୨ ତାରିଖ ପାଇଁ ଆଭ୍ୟନ୍ତରୀଣ ଓଡ଼ିଶାର ଝାରସୁଗୁଡ଼ା, ଅନୁଗୁଳ, ସୁନ୍ଦରଗଡ଼, ଦେବଗଡ଼, ବୌଦ୍ଧ ଓ ଅନୁଗୁଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଶ୍ରୀ ବିଶ୍ବାସ ସୂଚନା ଦେଇଛନ୍ତି, ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ପରିଲକ୍ଷିତ ହେବ ନାହିଁ। ଅନ୍ୟପଟେ ୩୧ ତାରିଖ ସକାଳୁ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ୩ରୁ ୪ ଡ୍ରିଗ୍ରି ପର୍ଯ୍ୟନ୍ତ ଓ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ହ୍ରାସ ଘଟିବ ବୋଲି ଶ୍ରୀ ବିଶ୍ବାସ କହିଛନ୍ତି।

ଗତ ୨୪ ଘଣ୍ଟାରେ ରାଜ୍ୟର ସମସ୍ତ ଜିଲ୍ଲାରେ ପାଗ ଶୁଖିଲା ରହିଥିଲା। ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୧ରୁ ୨ ଡିଗ୍ରି ପର୍ଯ୍ୟନ୍ତ କମ୍‌ ରହିଥିଲା। ରାଜ୍ୟର ସର୍ବନିମ୍ନ ତାପମାତ୍ରା ଫୁଲବାଣୀଠାରେ ୫.୫ ଡିଗ୍ରି ରେକର୍ଡ ହୋଇଛି। ଭୁବନେଶ୍ବରର ସର୍ବନିମ୍ନ ତାପମାତ୍ରା ୧୫.୨ ଡିଗ୍ରି ରହିଥିଲା। ଆସନ୍ତାକାଲି ବି ରାଜଧାନୀର ତାପମାତ୍ରା ୧୫ ଡିଗ୍ରି ପାଖାପାଖି ରହିବ। ଏହାପରେ ୩ ଦିନ ପର୍ଯ୍ୟନ୍ତ ୨ ଡିଗ୍ରି ହ୍ରାସ ଘଟିବ।

ସମ୍ବନ୍ଧିତ ଖବର