ଆରମ୍ଭରୁ ଚରମ ବିଶୃଙ୍ଖଳା: ସୂଚନା ନ ଦେଇ ଶ୍ରୀମନ୍ଦିର ଚାରିଦ୍ୱାର ବନ୍ଦ କରିଦେଲେ

ଖରାରେ ସିଝିଲେ ଭକ୍ତ, ଭିଡ଼ ଭିତରେ ୫୦ରୁ ଅଧିକ ଚେତାଶୂନ୍ୟ

ପୁରୀ : ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ଶ୍ରୀକ୍ଷେତ୍ର ମୁହାଁ ହୋଇଛନ୍ତି ଭକ୍ତ। କିନ୍ତୁ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ଠାରୁ ଆରମ୍ଭକରି ଭିଡ଼ ନିୟନ୍ତ୍ରଣରେ ଚରମ ବିଶୃଙ୍ଖଳା ଦେଖାଦେଇଛି। ପହଣ୍ଡି ପୂର୍ବରୁ ସେନାପଟା ଲାଗି ପାଇଁ ସୋମବାର ଦିନ ହଠାତ୍ ଶ୍ରୀମନ୍ଦିର ଚାରିଦ୍ବାର ବନ୍ଦ କରି ଦିଆଯିବା ଦ୍ବାରା ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ହଜାର ହଜାର ଭକ୍ତ ବେଢ଼ା ପରିକ୍ରମା କି ପତିତପାବନଙ୍କ ଦର୍ଶନକରି ନପାରି ନିରାଶ ହୋଇ ଫେରିଥିଲେ। ଏହାସହିତ ବଡଦାଣ୍ଡରେ ଅପେକ୍ଷାରତ ଶ୍ରଦ୍ଧାଳୁ ଡହଡହ ଖରାରେ ଘଣ୍ଟା ଘଣ୍ଟା ସିଝିଥିଲେ। କୁନି କୁନି ପିଲା ବି ଯନ୍ତ୍ରଣାରେ ଛଟପଟ ହୋଇଥିଲେ। ଏହି ଭିଡ଼ ଭିତରେ ୫୦ରୁ ଅଧିକ ମହିଳା, ବୃଦ୍ଧବୃଦ୍ଧା ଚେତାଶୂନ୍ୟ ହୋଇପଡ଼ିଥିଲେ। ସ୍ଥିତି ଏଭଳି ହୋଇଥିଲା ଯେ ଅସୁସ୍ଥ ଭକ୍ତଙ୍କୁ ଡାକ୍ତରଖାନା ବି ନିଆଯାଇପାରିଲା ନାହିଁ। ଭିଡ ଭିତରେ ଆମ୍ବୁଲାନ୍ସ ଫସିଗଲା। କିଛି ଭକ୍ତ ଗୁରୁତର ହେବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତ୍ରିପୁରାରୁ ଶୁଭ୍ରଜିତ ମଜୁମଦାର ନାମକ ଭକ୍ତ ଗୁରୁତର ହେବାରୁ ତାଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି।

ଅବ୍ୟବସ୍ଥା କେବଳ ଏତିକିରେ ସରିନଥିଲା। ସନ୍ଧ୍ୟାରେ ସ୍ଥିତି ଆହୁରି ବିଗି଼ଡ଼ିଗଲା। ସଂଧ୍ୟାରେ ଭିଡ଼ ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ପ୍ରଶାସନ ଏକରକମ ହାତ  ଟେକିଦେଇଥିଲା। ବଡ଼ଦାଣ୍ଡ ସହିତ ବଡ଼ଦାଣ୍ଡକୁ ଲାଗିଥିବା ବିଭିନ୍ନ ସାହି ଗଳିରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବାରୁ ଭିଡ଼ ନିୟନ୍ତ୍ରଣ ପାଇଁ କି ପ୍ରକାର ପଦକ୍ଷେପ ନେବେ ପ୍ରଶାସନ ସ୍ଥିର କରିପାରି ନଥିଲା। ଶେଷରେ ରାତି ସାଢ଼େ ୮ଟାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନକୁ ସମ୍ପୂର୍ଣ୍ଣ ବନ୍ଦ କରି ଦେଇଥିଲା ପ୍ରଶାସନ। ଫଳରେ ଯେଉଁ ଭକ୍ତମାନେ ଦର୍ଶନ ପାଇଁ ଦିନରୁ ଅପେକ୍ଷାରେ ଥିଲେ ସେମାନେ ‌ନିରାଶ ହୋଇ ଫେରିବାକୁ ବାଧ୍ୟ ହୋଇଛନ୍ତି। ଏହାକୁ ନେଇ ଆଜି ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସେନାପଟା ଲାଗି ବେଳେ ଚାରିଦ୍ବାର ବନ୍ଦ ଶ୍ରୀମନ୍ଦିର ଇତିହାସରେ ପ୍ରଥମ ଘଟଣା କୁହାଯାଉଛି। ସ୍ନାନଯାତ୍ରାର ଦିନକ ପୂର୍ବରୁ ଦର୍ଶନ ବ୍ୟବସ୍ଥାରେ ଏଭଳି ଚରମ ବିଶୃଙ୍ଖଳା ଭକ୍ତ, ସେବାୟତ ମହଲରେ ଅସନ୍ତୋଷ ଭରି ଦେଇଛି। ଯଦି ସ୍ନାନଯାତ୍ରା ପୂର୍ବରୁ ସ୍ଥିତି ଏମିତି, ଆସନ୍ତକାଲି ସ୍ନାନପୂର୍ଣ୍ଣମୀ, ଆଗକୁ ରଥଯାତ୍ରାରେ ସରକାର କିଭଳି ସ୍ଥିତି ନିୟନ୍ତ୍ରଣ କରିବେ, ସେ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି।

ପ୍ରତିବର୍ଷ ସ୍ନାନଯାତ୍ରା ପୂର୍ବଦିନ ଦଇତାପତିମାନେ ଶ୍ରୀଜିଉଙ୍କୁ ସେନାପଟା ଲାଗି କରିଥା’ନ୍ତି। ପହଣ୍ଡି ସମୟରେ ଶ୍ରୀଅଙ୍ଗ ଅକ୍ଷତ ରଖିବା ପାଇଁ ସେନାପଟା ଲାଗି ହୋଇଥାଏ। ମଙ୍ଗଳବାର ସ୍ନାନଯାତ୍ରା ଥିବାରୁ ଗତକାଲି ରାତି ୩ଟା ୧୫ରେ ପହୁଡ଼ ଆଳତି ପରେ ରାତି ୩ଟା ୫୦ରେ ଶ୍ରୀମୁଖ ଖଣ୍ଡୁଆ ହୋଇ ଭୋର ୪ଟା ୧୦ରେ ବାହୁଟକଣ୍ଟ ନୀତି ଅନୁଷ୍ଠିତ ହୋଇଥିଲା। ପରେ ଚାରବନ୍ଧା ହୋଇଥିଲା। ଆଜି ସକାଳ ୮ଟା ୨୫ରେ ଦଇତାପତି ସେବକଙ୍କ ଦ୍ବାରା ସେନାପଟା ଲାଗି ନୀତି ଆରମ୍ଭ ହୋଇଥିଲା। ଯେଉଁଥିପାଇଁ ଗତକାଲି ରାତିରୁ ଶ୍ରୀମନ୍ଦିର ବନ୍ଦ ଥିଲା। ଶ୍ରୀମନ୍ଦିର ପ୍ରଶାସନ କହିଥିଲା ଯେ ଆଜି ମଧ୍ୟାହ୍ନ ୧୨ଟା ଯାଏ ଦର୍ଶନ ବନ୍ଦ ରହିବ। ହେଲେ ଆଜି ଶ୍ରୀମନ୍ଦିର ଖୋଲିଲା ନାହିଁ। ଶ୍ରୀମନ୍ଦିର ଚାରିଦ୍ବାରକୁ ପୂର୍ବବତ୍ ବନ୍ଦ ରଖାଯାଇଥିଲା। କୌଣସି ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ଛଡ଼ା ଯାଇନଥିଲା। ଛୋଟ ଦ୍ବାର ଦେଇ କେବଳ ଦଇତାପତି ଓ ଅନ୍ୟ ନୀତି ସଂପୃକ୍ତ ସେବକମାନେ ପ୍ରବେଶ ଓ ପ୍ରସ୍ଥାନ କରିଥିଲେ। ଆଜି ଅପରାହ୍ନ ୩ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରଖାଯାଇଥିଲା।

ପ୍ରତିବର୍ଷ ସେନାପଟା ଲାଗିହୁଏ। ହେଲେ, କୌଣସି ବର୍ଷ ଶ୍ରୀମନ୍ଦିର ପ୍ରବେଶ ବନ୍ଦ ରଖାଯାଏନି। କେବଳ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରଖାଯାଇଥାଏ। ଶ୍ରୀମନ୍ଦିର ମୁଖ୍ୟ ମନ୍ଦିର ପ୍ରବେଶ ବନ୍ଦ ରହିଥାଏ। ଏଣୁ ଭକ୍ତମାନେ ବେଢ଼ା ପରିକ୍ରମା କରିବା ସହ ପାର୍ଶ୍ବ ଦେବାଦେବୀଙ୍କୁ ଦର୍ଶନ କରି ଫେରି ଆସନ୍ତି। ଯେଉଁମାନେ ଶ୍ରୀମନ୍ଦିର ଭିତରକୁ ନ ଯାଆନ୍ତି, ସେମାନେ ପତିତପାବନଙ୍କୁ ଦର୍ଶନ କରି ଫେରିଥା’ନ୍ତି। କିନ୍ତୁ ଆଜି ନା ପତିତପାବନଙ୍କ ଦର୍ଶନ ମିଳିଥିଲା ନା ବେଢ଼ା ପରିକ୍ରମାର ସୁଯୋଗ ମିଳିଥିଲା।ଏଣୁ ବଡ଼ଦାଣ୍ଡରେ ମାର୍କେଟ୍‌ ଛକରୁ ଶ୍ରୀମନ୍ଦିର(ଚାରିଦ୍ବାରରେ) ପର୍ଯ୍ୟନ୍ତ ହଜାର ହଜାର ସଂଖ୍ୟାରେ ଭକ୍ତ ଦର୍ଶନ ପାଇଁ ଖରାରେ ଅପେକ୍ଷା କରି ରହିଥିଲେ। ଭିଡ଼ ନିୟନ୍ତ୍ରଣ ବାହାରକୁ ଚାଲିଯିବା ସହ ଭକ୍ତ, ସେବାୟତଙ୍କ ମହଲରେ ଅସନ୍ତୋଷ ଦେଖାଦେବା ପରେ ଅପରାହ୍ନରେ ଶ୍ରୀମନ୍ଦିର ସିଂହଦ୍ବାର ଖୋଲିଥିଲା। ପଶ୍ଚିମଦ୍ବାର ପୂର୍ବଭଳି ବନ୍ଦ ରଖାଯାଇଥିଲା। ଦକ୍ଷିଣଦ୍ବାର ଓ ଉତ୍ତରଦ୍ବାରରେ ଭକ୍ତଙ୍କ ପ୍ରବେଶ ବନ୍ଦ ରହିଥିବାରୁ ଏହି ଦୁଇ ଦ୍ବାର ଦେଇ କୌଣସି ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ଛଡ଼ା ଯାଇନଥିଲା। ଏହାଦ୍ବାରା ଭିଡ଼ ବଢ଼ିଥିଲା ଏବଂ ବଡ଼ଦାଣ୍ଡ ଓ ଏହା ସଂଲଗ୍ନ ଗଳିକନ୍ଦିକୁ କିଛି ଘଣ୍ଟା ଭିତରେ ଲୋକାରଣ୍ୟ ହୋଇଗଲା। ଯାତାୟାତ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଥିଲା।

ବରିଷ୍ଠ ଦଇତାପତି ସେବକ ବିଶ୍ବାବସୁ ବିନାୟକ ଦାସମହାପାତ୍ର କହିଛନ୍ତି, ମୋର ହେତୁ ହେବାଠାରୁ ଦେଖି ଆସିଛି କି ସେନାପଟା ଲାଗି ଦିନ ଶ୍ରୀମନ୍ଦିର ଦ୍ବାର ବନ୍ଦ ହୁଏନି। କେବଳ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରଖାଯାଏ। ମୁଖ୍ୟ ମନ୍ଦିରର ବିଭିନ୍ନ ଦ୍ବାର ବନ୍ଦ ରଖାଯାଏ। ଏଭଳି ଚାରିଦ୍ବାର ବନ୍ଦ ପୂର୍ବରୁ ପ୍ରଶାସନ ଶ୍ରୀମନ୍ଦିର ପରିଚାଳନା କମିଟି, ଅଭିଜ୍ଞ ବରିଷ୍ଠ ସେବାୟତ, ଶ୍ରୀମନ୍ଦିର କମାଣ୍ଡର ଆଦିଙ୍କ ମତାମତ ଲୋଡ଼ିବା କଥା। ମତାମତ ଲୋଡ଼ିଥିଲେ ଆଜି ଏଭଳି ପରିସ୍ଥିତି ଉପୁଜିନଥାନ୍ତା ବୋଲି ଶ୍ରୀ ଦାସମହାପାତ୍ର କହିଛନ୍ତି। ପୁଷ୍ପାଳକ ନିଯୋଗ ଓ ଅନ୍ୟ ନିଯୋଗର ସେବାୟତମାନେ ବି ଚାରିଦ୍ବାର ବନ୍ଦ ବ୍ୟବସ୍ଥାକୁ ନିନ୍ଦା କରିଛନ୍ତି।

ସମ୍ବନ୍ଧିତ ଖବର