ଯୌନ କେଳେଙ୍କାରୀ ମାମଲା: ଲୁଥେରାନ୍‌ କର୍ତ୍ତୃପକ୍ଷଙ୍କ ଡାହା ମିଛ ଧରାପଡ଼ିଲା

ଶିଶୁ ଜନ୍ମ ହୋଇନଥିବା କହୁଥିଲେ
‘ସମ୍ବାଦ’ ହାତରେ ପୀଡ଼ିତାଙ୍କ ଦୁଇ ଶିଶୁପୁତ୍ର ଜନ୍ମ ପ୍ରମାଣ
ସିଏମ୍‌ସିରୁ ଏ ଯାଏ ନେଇନାହାନ୍ତି ଜନ୍ମ ସାର୍ଟିଫିକେଟ୍‌

କେନ୍ଦ୍ରାପଡ଼ା : ‘ସମ୍ବାଦ’ର ଅନୁସନ୍ଧାନ ସତ ହେଲା। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ପାଟଳିପଙ୍କ ଲୁଥେରାନ୍‌ ମହିଳା ସମିତି ଶିଶୁ ପ୍ରଯତ୍ନ କେନ୍ଦ୍ରରେ ଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତା କଟକ ବଡ଼ ମେଡିକାଲ୍‌ରେ ହିଁ ପ୍ରଥମ ଦୁଇଟି ଶିଶୁପୁତ୍ର ଜନ୍ମ ଦେଇଥିବାର ଠୋସ୍‌ ପ୍ରମାଣ ‘ସମ୍ବାଦ’ ହାତରେ ଲାଗିଛି। ଏହା ସହିତ ଲୁଥେରାନ୍‌ କର୍ତ୍ତୃପକ୍ଷଙ୍କ ଡାହା ମିଛ ବି ଧରାପଡ଼ିଯାଇଛି।

ଆରମ୍ଭରୁ ଏହି ଦୁଇ ଶିଶୁ ଜନ୍ମ କଥାକୁ କର୍ତୃପକ୍ଷ ସ˚ପୂର୍ଣ୍ଣ ଫାଙ୍କି ଆସିବା ସହିତ ଦୁଷ୍କର୍ମର ଶିକାର ପୀଡ଼ିତା ୨୦୨୦ ଏପ୍ରିଲ୍‌ରେ ଜନ୍ମ ଦେଇଥିବା ସନ୍ତାନ ହିଁ ପ୍ରଥମ ବୋଲି ପୁଲିସକୁ କହି ଆସୁଥିଲେ। ପୁଲିସ ବି ତଦନ୍ତ ପ୍ରଭାବିତ ହେବାର ଯୁକ୍ତି ଦର୍ଶାଇ ଏହି ପ୍ରସଙ୍ଗରେ ଉଁ କି ଚୁଁ କହୁନାହିଁ। ଏଭଳି ସ୍ଥିତିରେ ‘ସମ୍ବାଦ’ ଟିମ୍‌ ଖୋଳତାଡ଼ କରିବା ପରେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି, ତାହା ଆଖି ଖୋସି ହେଲା ଭଳି। ଲୁଥେରାନ୍‌ କର୍ତ୍ତୃପକ୍ଷ ଯେତେ ଫାଙ୍କିଲେ ବି ୨୦୧୪ ଓ ୨୦୧୬ରେ ପୀଡ଼ିତାଙ୍କ ଗର୍ଭରୁ ଯେ ଦୁଇଟି ପିଲା ଜନ୍ମ ହୋଇଛି, ଯାହାର ତଥ୍ୟ ପ୍ରମାଣ କଟକ ବଡ଼ ମେଡିକାଲ୍‌ ଓ କଟକ ମହାନଗର ନିଗମ(ସିଏମ୍‌ସି) କାର୍ଯ୍ୟାଳୟରୁ ଏବେ ହସ୍ତଗତ ହୋଇଛି। ସେଥିରେ ପିଲା ଜନ୍ମ ତାରିଖ, ମସିହା, ପୀଡ଼ିତାଙ୍କ ନାଁ, ଠିକଣାଠୁ ନେଇ ପଞ୍ଜୀକରଣ ନମ୍ବର ଯାଏ ସବୁକିଛି ରେକର୍ଡଭୁକ୍ତ ରହିଛି। ଉଲ୍ଲେଖନୀୟ କଥା ହେଉଛି ଯେ, ପିଲା ଜନ୍ମକୁ ଯଥାକ୍ରମେ ସାତ ଓ ପାଞ୍ଚ ବର୍ଷ ପୂରିଥିଲେ ବି ପୀଡ଼ିତାଙ୍କ ପକ୍ଷରୁ କେହି ଜନ୍ମ ସାର୍ଟିଫିକେଟ୍‌ ନେବା ପାଇଁ ସିଏମ୍‌ସି କାର୍ଯ୍ୟାଳୟରେ ଆବେଦନ କରି ନାହାନ୍ତି। ଏହା ସୂଚାଇ ଦେଉଛି ଯେ କିଭଳି ସୁଚିନ୍ତିତ ଉପାୟରେ ଲୁଥେରାନ୍‌ ଅନୁଷ୍ଠାନରେ ଦୀର୍ଘବର୍ଷ ହେବ ଯୌନ କେଳେଙ୍କାରୀ ଚାଲିଥିଲା। ସବୁକିଛି ପ୍ରମାଣର ଖୁଲାସା ହେବା ପରେ ଏବେ ପୀଡ଼ିତାଙ୍କ ଗର୍ଭରୁ ଜାତ ଉକ୍ତ ଦୁଇ ଶିଶୁପୁତ୍ର କେଉଁଠି? ଖୋଦ୍‌ ପୀଡ଼ିତାଙ୍କ ଭାଇ ବିକ୍ରି ଅଭିଯୋଗ ଆଣୁଥିବାରୁ ପୁଲିସକୁ ଘଟଣାର ମୂଳ ଯାଏ ପହଞ୍ଚିବାକୁ ଆଉ କେତେ ଦିନ ଲାଗିବ, ତାହା ଉପରେ ସମସ୍ତଙ୍କ ନଜର କେନ୍ଦ୍ରୀଭୂତ ହୋଇଛି।

ଜଗତ୍‌ସି˚ହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍‌ ଅ˚ଚଳରେ ଏହି ପୀଡ଼ିତାଙ୍କ ପ୍ରଥମ ପୁତ୍ର ସନ୍ତାନ ୨୦୧୪ ଅକ୍ଟୋବର ୧୪ତାରିଖରେ କଟକ ବଡ଼ ମେଡିକାଲ୍‌ରେ ହୋଇଛି।  ସେହି ମାସ ୩୦ତାରିଖରେ ମେଡିକାଲ୍‌ କର୍ତ୍ତୃପକ୍ଷ ଏ ସ˚କ୍ରାନ୍ତରେ ସୂଚନା ଦେବା ପରେ କଟକ ମହାନଗର ନିଗମରେ ୨୨୬୬୩ନମ୍ବରରେ ପୀଡ଼ିତାଙ୍କ ନାଁ, ଠିକଣା ପଞ୍ଜିକୃତ ହୋଇଛି। ଜନ୍ମ ସାର୍ଟିଫିକେଟ୍‌ ନେବା ପାଇଁ ଏହି ପଞ୍ଜୀକରଣ ହୋଇଥିବା ବେଳେ କେହି କିନ୍ତୁ ପୀଡ଼ିତାଙ୍କ ପକ୍ଷରୁ ଆସି ପିଲା ନାଁ ଦେଇ ଆବେଦନ କରି ନାହାନ୍ତି। ସମାନ ସ୍ଥିତି ଏହାର ଦୁଇବର୍ଷ ପରେ ହୋଇଥିବା ଦ୍ବିତୀୟ ସନ୍ତାନ କ୍ଷେତ୍ରରେ ବି ହୋଇଛି। ୨୦୧୬ ଏପ୍ରିଲ୍‌ ୨୭ତାରିଖରେ ପୀଡ଼ିତାଙ୍କ ଦ୍ବିତୀୟ ଶିଶୁପୁତ୍ର ଜନ୍ମ ହୋଇଛି ବଡ଼ ମେଡିକାଲ୍‌ରେ। ୨୨ ଦିନ ପରେ ମେ ୧୭ତାରଖରେ ମେଡିକାଲ୍‌ କର୍ତୃପକ୍ଷ ଏ ସ˚କ୍ରାନ୍ତରେ ଜଣାଇବା ପରେ ମହାନଗର ନିଗମରେ ୧୦୯୬୩ ନମ୍ବରରେ ପୀଡ଼ିତାଙ୍କ ନାଁ ପଞ୍ଜିକୃତ ହୋଇଛି। ଅଥଚ ଆଜିଯାଏ କେହି ଜନ୍ମ ସାର୍ଟିଫିକେଟ୍‌ ପାଇଁ ଆବେଦନ କରି ନାହାନ୍ତି। ଦୁଷ୍କର୍ମ ଭଳି ସମ୍ବେଦନଶୀଳ ମାମଲା ହୋଇଥିବାରୁ ରେକର୍ଡରେ ଲେଖାଥିବା ପୀଡ଼ିତାଙ୍କ ଠିକଣା ଓ ସ୍ବାମୀ ପରିଚୟ ଆଇନ ଦୃଷ୍ଟିରୁ ପ୍ରକାଶ କରି ହେଉନାହିଁ। କିନ୍ତୁ ଏବେ ଯେଉଁ ମୌଳିକ ପ୍ରଶ୍ନଟି ସମସ୍ତଙ୍କୁ ଆନ୍ଦୋଳିତ କରୁଛି, ତାହା ହେଉଛି ପୀଡ଼ିତାଙ୍କ ଦୁଇ ଶିଶୁପୁତ୍ର ଏବେ କେଉଁଠି? ବିକ୍ରି କରି ଦିଆଯାଇଛି ନା ପୋଷ୍ୟ ସନ୍ତାନ ରୂପେ କାହାକୁ ଦେଇ ଦିଆଯାଇଛି? ପୀଡ଼ିତାଙ୍କ ଭାଇ ବିକ୍ରି ଅଭିଯୋଗ ଆଣୁଥିବାରୁ ତାହାକୁ ଏଡ଼ାଇ ଦେଇ ହେବ ନାହିଁ। ଏହା ସତ ହୋଇଥିଲେ ସା˚ଘାତିକ।

ସମ୍ବନ୍ଧିତ ଖବର