ଭୁବନେଶ୍ୱର : ଓଡ଼ିଶାର ଗୋଟିଏ ମାତ୍ର ସରକାରୀ ମେଡିକାଲ କଲେଜରେ ‘ଚକ୍ଷୁ ବ୍ୟାଙ୍କ’ ବ୍ୟବସ୍ଥା ହୋଇଛି। ତାହାକୁ ସମ୍ପ୍ରସାରିତ କରିବା ଲାଗି ରାଜ୍ୟ ସରକାରଙ୍କ ସହ ଆଲୋଚନା କରାଯାଇଛି। ରାଜ୍ୟରେ ଥିବା ସମସ୍ତ ୫ଟି ଯାକ ମେଡିକାଲ କଲେଜରେ ଏହି ‘ଚକ୍ଷୁ ବ୍ୟାଙ୍କ’ ପ୍ରତିଷ୍ଠା କରିବା ଲାଗି ମୁଖ୍ୟ ଶାସନ ସଚିବ ପ୍ରତିଶ୍ରୁତି ଦେଇଥିବ କେନ୍ଦ୍ର ସରକାରଙ୍କ ଭିନ୍ନକ୍ଷମ ମୁଖ୍ୟ ଆୟୁକ୍ତ (ସିସିପିଡି) କମଲେଶ୍ କୁମାର ପାଣ୍ଡେ କହିଛନ୍ତି।
୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଶ୍ରୀ ପାଣ୍ଡେ ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଲେ, ରାଜ୍ୟ ସରକାରଙ୍କ ପକ୍ଷରୁ ଦିବ୍ୟାଙ୍ଗଙ୍କୁ ଦିଆଯାଉଥିବା ୩୦୦ ଟଙ୍କା ଭତ୍ତା ଅନ୍ୟ ରାଜ୍ୟ ତୁଳନାରେ କମ୍। ବର୍ତମାନ ସମୟରେ ୩୦୦ ଟଙ୍କାରେ ଜଣେ ଚଳିବା ମୁସ୍କିଲ୍। ତାହାକୁ ଦୃଷ୍ଟିରେ ରଖି ଦିବ୍ୟାଙ୍ଗଙ୍କ ଭତ୍ତା ବୃଦ୍ଧି କରିବା ଲାଗି ରାଜ୍ୟ ସରକାରଙ୍କୁ ପ୍ର୍ରସ୍ତାବ ଦିଆଯାଇଛି। ଆସନ୍ତା ବଜେଟ୍ରେ ଏନେଇ ବ୍ୟବସ୍ଥା କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ମିଳିଥିବା ସେ କହିଛନ୍ତି। ବର୍ତମାନ ସୁଦ୍ଧା ସିସିପିଡି କାର୍ଯ୍ୟାଳୟରେ ୩୫,୨୫୫ ଅଭିଯୋଗ ପଞ୍ଜୀକରଣ ହୋଇଛି। ସେଥିମଧ୍ୟରୁ ୨୦୧୭ ଡିସେମ୍ବର ସୁଦ୍ଧା ୩୩,୫୨୬ଟିର ସମାଧାନ କରାଯାଇଛି। କେବଳ ଗତବର୍ଷ ଡିସେମ୍ବରରେ ୧୮୦ଟି ଅଭିଯୋଗ ପଞ୍ଜୀକୃତ ହୋଇଥିବା ବେଳେ ୧୮୫ଟିର ସମାଧାନ କରାଯାଇଛି। ଦିବ୍ୟାଙ୍ଗଙ୍କ ସମସ୍ୟାର ସମାଧାନ ଲାଗି ୨୨ଟି ରାଜ୍ୟରେ ୩୯ଟି ଭ୍ରାମ୍ୟମାଣ କୋର୍ଟ ବ୍ୟବସ୍ଥା ହୋଇଛି। ଓଡ଼ିଶାରେ ମଧ୍ୟ ଏଭଳି ବ୍ୟବସ୍ଥା କରାଯାଇଛି। ଓଡ଼ିଶାରେ ଥିବା ୧୨ ଲକ୍ଷ ୪୪ ହଜାର ଦିବ୍ୟାଙ୍ଗଙ୍କ ମଧ୍ୟରୁ ୪.୧୪ ଲକ୍ଷଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି। ଦିବ୍ୟାଙ୍ଗଙ୍କୁ ସମସ୍ତ ରାଜ୍ୟରେ ସୁବିଧା ଯୋଗାଇ ଦେବା ଲାଗି ୟୁନିଭରସାଲ୍ ଡିଜାବିଲିଟି ଆଇ-କାର୍ଡ(ୟୁଡିଆଇଡି) ବ୍ୟବସ୍ଥା ହୋଇଛି। ଏହାକୁ ବଣ୍ଟନ କ୍ଷେତ୍ରରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି। ମଧ୍ୟପ୍ରଦେଶରେ ୧ ଲକ୍ଷ ୬୦ ହଜାର ଦିବ୍ୟାଙ୍ଗଙ୍କୁ ୟୁଡିଆଇଡି ପ୍ରଦାନ କରାଯାଇଥିବା ବେଳେ ରାଜସ୍ଥାନରେ ୧ ଲକ୍ଷ ୨୨ ହଜାର ଓ ଓଡ଼ିଶାରେ ୪୫,୨୫୧ ଜଣଙ୍କୁ ଏହି କାର୍ଡ ବଣ୍ଟନ ହୋଇଛି।
ସେ ଆହୁରି ସୂଚନା ଦେଇଥିଲେ ଯେ ସମସ୍ତ ବିଲଡିଂରେ ଭିନ୍ନକ୍ଷମଙ୍କ ଯିବା ଆସିବା ଲାଗି ସୁଗମ କରିବାକୁ ଯୋଜନା ହୋଇଛି। ସେହି ଦୃଷ୍ଟିରୁ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ୫୦ଟି ବିଲଡିଂରେ ସୁଗମ ବ୍ୟବସ୍ଥା କରାଯାଇଛି। ଆଉ କିଛି ବିଲଡିଂ ସୁଗମ କରିବା ଲାଗି ଦ୍ୱିତୀୟ ପର୍ଯ୍ୟାୟରେ ବ୍ୟବସ୍ଥା ହେବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ୫୦ଟି ସହରକୁ ଆସିସେବୁଲ୍ ଇଣ୍ଡିଆ କ୍ୟାମ୍ପେନ୍ରେ ଚିହ୍ନଟ କରାଯାଇଛି। ପ୍ରତି ସହରରେ ୧୦୦ କୋଠାରେ ଭିନ୍ନକ୍ଷମଙ୍କ ଲାଗି ସୁଗମ ବ୍ୟବସ୍ଥା କରାଯିବ। ୨୦୧୮ ସୁଦ୍ଧା ୫ ଲକ୍ଷ ଓ ୨୦୨୨ ସୁଦ୍ଧା ୨୫ ଲକ୍ଷ ଭିନ୍ନକ୍ଷମଙ୍କୁ ଦକ୍ଷତା ବିକାଶ ତାଲିମ ଦେବାକୁ ଲକ୍ଷ୍ୟ ରଖାଯାଇଥିବା ଶ୍ରୀ ପାଣ୍ଡେ କହିଛନ୍ତି।
ଏହି ସାମ୍ବାଦିକ ସମ୍ମିଳନୀରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସଚିବ ନୀତିନ୍ ଚନ୍ଦ୍ରା, ନିର୍ଦେଶିକା ମାନସୀ ନିମ୍ଭାଲ, ରାଜ୍ୟ ଭିନ୍ନକ୍ଷମ ଆୟୋଗର ଆୟୁକ୍ତ ମିନତି ବେହେରା, ସଞ୍ଜୟକାନ୍ତ ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/eye.jpg)
