ଭୁବନେଶ୍ବର: ରାଜ୍ୟରେ ଏବେ ଆଖି ଧାରା ରୋଗ(କଞ୍ଜୁକ୍ଟିଭିଟିସ୍) ଅସ୍ବାଭାବିକ ଭାବେ ବଢ଼ିବାରେ ଲାଗିଛି। ଭୁବନେଶ୍ବର, କଟକ ସମେତ ଯାଜପୁର, ବାଲେଶ୍ବର ସମେତ ଅନ୍ୟ ଜିଲ୍ଲାରେ ବହୁ ସଂଖ୍ୟାରେ ଲୋକ ଏଥିରେ ଆକ୍ରାନ୍ତ ହୋଇଥିବା ନଜରକୁ ଆସିଛି। ଭୟରେ ଲୋକମାନେ ହସ୍ପିଟାଲରେ ଭିଡ଼ ଜମାଉଛନ୍ତି। ଅନେକ ସାମାଜିକ ଗଣମାଧ୍ୟମରେ ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ(ସିଡିଏମ୍ଓ)ଙ୍କୁ ଟ୍ୟାଗ୍ କରି ଚିକିତ୍ସା ଯୋଗାଇଦେବା ପାଇଁ ସାହାଯ୍ୟ ମାଗୁଛନ୍ତି। ତେବେ ଏହା ଏକ ସଂକ୍ରାମକ ରୋଗ ହୋଇଥିବାରୁ ଚଳିତମାସ ଏ ଦୃଷ୍ଟିରୁ ବେଶ୍ ଗୁରୁତ୍ବପୂର୍ଣ୍ଣ ବୋଲି ବିଶେଷଜ୍ଞମାନେ ମତ ରଖିଲେଣି। ଏହି ପ୍ରସଙ୍ଗଟି ଆହୁରି ଚର୍ଚ୍ଚାର ବିଷୟ ହୋଇଛି, କାରଣ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହି ରୋଗ ମାଡ଼ିଚାଲିଛି। ଅଥଚ ଜିଲ୍ଲାସ୍ତରରେ ଅପ୍ଥାଲମିକ ଆସିଷ୍ଟାଣ୍ଟଙ୍କ ଯଥେଷ୍ଟ ଅଭାବ ରହିଛି। ରାଜ୍ୟରେ ମୋଟ ୯୦ଜଣ ଅପ୍ଥାଲମିକ ଆସିଷ୍ଟାଣ୍ଟ ଅଛନ୍ତି। ତେଣୁ ତୃଣମୂଳସ୍ତରେ ଆଖି ଧାରା ରୋଗର ଚିକିତ୍ସା ଓ ସଚେତନତା ହୋଇପାରୁନାହିଁ।
ବିଶେଷଜ୍ଞଙ୍କର କହିବା କଥା ହେଉଛି, ଋତୁ ପରିବର୍ତ୍ତନ ହେଲେ ଆଖି ଧରା ରୋଗ ଦେଖିବାକୁ ମିଳିଥାଏ। ଏଡିନୋ ଭୂତାଣୁ ଏହି ରୋଗର କାରଣ। ଏହି ଭୂତାଣୁ କେବଳ ଆଖି ଧରା ନୁହେଁ, ଅନ୍ୟ ରୋଗ ଯଥା ନିଶ୍ବାସ ପ୍ରଶ୍ବାସ ଜନିତ ସମସ୍ୟା ଓ ନିମୋନିଆ ଆଦି ରୋଗ ସୃଷ୍ଟି କରିଥାଏ। ଏବେ ରାଜ୍ୟରେ ମୌସୁମୀ ବର୍ଷା ଆରମ୍ଭ ହୋଇଛି। ପ୍ରତିବର୍ଷ ଋତୁ ପରିବର୍ତ୍ତନ ହେବା ପରେ ଆଖି ଧରା ରୋଗ ହୋଇଥାଏ। ଚଳିତବର୍ଷ ଏହାର ମାତ୍ରା ଅଧିକ ରହିଛି। ଏହା ଏକ ସଂକ୍ରାମକ ରୋଗ ହୋଇଥିବାରୁ ଖୁବଶୀଘ୍ର ଏକାଧିକ ଲୋକଙ୍କୁ ସଂକ୍ରମିତ କରିପାରୁଛି। ଭୁବନେଶ୍ବରର ସାଲିଆସାହି ଅଞ୍ଚଳରେ ୩୦-୪୦ % ଲୋକ ଏହାର ଶିକାର ଥିବା ଜଣାପଡ଼ିଛି।
ଚକ୍ଷୁରୋଗ ବିଶେଷଜ୍ଞ ଡା.ସିଦ୍ଧାର୍ଥ ଦାସ କହିଛନ୍ତି, ଏହା ଏକ ଅସାଧାରଣ ରୋଗ ନୁହେଁ, ଏହା ପ୍ରତିବର୍ଷ ହୋଇଥାଏ। ଋତୁ ପରିବର୍ତ୍ତନ ହେଲେ ଜ୍ବର, କାଶ ସହିତ ଆଖି ଧରା ମଧ୍ୟ ଦେଖିବାକୁ ମିଳିଥାଏ। ସାଧାରଣତଃ ଏହା ୫-୭ଦିନ ପର୍ଯ୍ୟନ୍ତ ରହିଥାଏ। କିଛି ଲୋକଙ୍କ କ୍ଷେତ୍ରରେ ୧ମାସ ପର୍ଯ୍ୟନ୍ତ ଦେଖିବାକୁ ମିଳିଥାଏ। ଆଖି ନାଲି ପଡ଼ିବା ସହିତ କୁଣ୍ଡେଇ ହୋଇଥାଏ। କିଛି ଲୋକଙ୍କ ଆଖି ମଧ୍ୟ ଫୁଲିଯାଏ। ଯଦି କୌଣସି ବ୍ୟକ୍ତି ଏଥିରେ ଆକ୍ରାନ୍ତ ହୁଅନ୍ତି ତାହାଲେ ପରିଷ୍କାର ପରିଚ୍ଛନ୍ନତାକୁ ବିଶେଷ ଗୁରୁତ୍ବ ଦେବା ଆବଶ୍ୟକ। ରୋଗୀ ବ୍ୟବହାର କରୁଥିବା ପୋଷାକ, ତକିଆ, ଚାଦର ଇତ୍ୟାଦିକୁ ଅନ୍ୟମାନେ ବ୍ୟବହାର କରିବା ଉଚିତ୍ ନୁହେଁ। ଆଖିକୁ ପାଣି ଛାଟିବା କଥା ନୁହେଁ। ଖରାରେ କାମ କରୁଥିବା ବେଳେ କଳା ଚଷମା ବ୍ୟବହାର କରିବା ଭଲ। ତେବେ ନିୟମିତ ବ୍ୟବଧାନରେ ହାତ ଧୋଇବାର ଆବଶ୍ୟକତା ରହିଛି। ସଂକ୍ରାମକ ରୋଗ ହୋଇଥିବା କାରଣରୁ ଚଳିତମାସ ଏ ଦୃଷ୍ଟିରୁ ବେଶ୍ ଗୁରୁତ୍ବପୂର୍ଣ୍ଣ ବୋଲି ଡା.ଦାସ କହିଛନ୍ତି। ସେହିପରି ଚକ୍ଷୁରୋଗ ବିଶେଷଜ୍ଞ ଡା.ସବ୍ୟସାଚୀ ପଟ୍ଟନାୟକଙ୍କ କହିବା କଥା, ଲୋକମାନେ ଆତଙ୍କିତ ହେବାର କୌଣସି କାରଣ ନାହିଁ। ଆଖିରେ ହାତ ମାରିବାକୁ ଏଡ଼ାଇବା ସହିତ ଯଦି କେହି ଏଥିରେ ଆକ୍ରାନ୍ତ ହୋଇଥାନ୍ତି ତାହାଲେ ଏକ ଚଷମା ପିନ୍ଧିଲେ ଭଲ। ଯଦି କୌଣସି ରୋଗୀ ଅଧିକ ସମସ୍ୟା ଭୋଗୁଥାନ୍ତି ତେବେ ତୁରନ୍ତ ଆଖି ଡାକ୍ତରଙ୍କ ସହ ଯୋଗାଯୋଗ କରିବା ଉଚିତ୍ ବୋଲି ଡା.ପଟ୍ଟନାୟକ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/fshsffhssfh.jpg)