ଟିକାକରଣରେ ସାଇବର୍ ଅପରାଧୀଙ୍କ ନଜର: ନକଲି ‘କୋ-ୱିନ୍’ ଆପ୍ ଦେଇ ଲୁଟ୍

ତଥ୍ୟ ଚୋରିରେ ମାତିଛି ‘ଭାକ୍ସିନ୍ ରେଜିଷ୍ଟର୍’

କଟକ : କେନ୍ଦ୍ର ସରକାରଙ୍କ ‘କୋ-ଓ୍ବିନ୍’ ଆପ୍ଲିକେସନ୍ ଭଳି ଦେଖିବାକୁ ଅବିକଳ ନକଲି ଆପ୍ଲିକେସନ୍ ‘ଭାକ୍ସିନ୍ ରେଜିଷ୍ଟର୍’ ଏବେ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି। ଟିକାକରଣ ପାଇଁ ପଞ୍ଜୀକରଣ କିମ୍ବା ସ୍ଲଟ୍ ବୁକିଂରେ ସମସ୍ୟା ହେଉଥିଲେ ଏହି ନକଲି ଆପ୍ଲିକେସନ୍ ତୁରନ୍ତ ଟିକାକରଣ କରାଇବାର ପ୍ରତିଶ୍ରୁତି ଦେଉଛି। ଏହି ଆପ୍ଲିକେସନ୍ ମୋବାଇଲରେ ଡାଉନ୍‌ଲୋଡ୍ ହେବା ମାତ୍ରକେ ଗ୍ରାହକଙ୍କ ବ୍ୟାଙ୍କ୍ ସଂକ୍ରାନ୍ତ ଗୋପନୀୟ ତଥ୍ୟ ମୋବାଇଲରୁ ସାଇବର୍ ଅପରାଧୀ ଚୋରି କରି ନେଉଥିବା ଭଳି ସମ୍ବେଦନଶୀଳ ଘଟଣା ସମ୍ପର୍କରେ ସହରବାସୀଙ୍କୁ ସତର୍କ କରିଛି କମିସନରେଟ୍ ପୁଲିସ। ଏଭଳି ଆପ୍ଲିକେସନ୍‌କୁ ମୋବାଇଲରେ ଡାଉନ୍‌ଲୋଡ୍ ନ କରିବାକୁ କୁହାଯାଇଛି।

ସୂଚନା ଅନୁଯାୟୀ, କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ଆରୋଗ୍ୟ ସେତୁ’ ଓ ‘କୋ-ଓ୍ବିନ୍’ ଆପ୍‌ରେ କୋଭିଡ୍ ଟିକାକରଣ ପାଇଁ ପଞ୍ଜୀକରଣ ବ୍ୟବସ୍ଥା କରାଯାଇଛି। ଏହା ବାଦ୍ ଅନ୍ୟ କୌଣସି ଆପ୍ଲିକେସନ୍ ମାଧ୍ୟମରେ ଟିକାକରଣ ପାଇଁ ପଞ୍ଜୀକରଣ ହୋଇପାରିବ ନାହିଁ। କିନ୍ତୁ ଏବେ ସହରରେ ଟିକାକରଣ ଜନିତ ସମସ୍ୟା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ଗୋଟିଏ ପଟେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଟିକାକରଣ ପାଇଁ ସ୍ଲଟ୍ ମିଳୁ ନ ଥିବାରୁ ସାଇବର୍ ଅପରାଧୀ ଏହାର ସିଧାସଳଖ ଫାଇଦା ନେଉଛନ୍ତି। ସାଇବର୍ ଅପରାଧୀ ଜନସାଧାରଣଙ୍କ ମୋବାଇଲକୁ ତୁରନ୍ତ ଟିକାକରଣ ପାଇଁ ସ୍ଲଟ୍ ବୁକିଂ ସଂକ୍ରାନ୍ତ ଏକ ଲିଙ୍କ୍ ପଠାଉଛି। ଏହି ଲିଙ୍କ୍ କ୍ଲିକ୍ କରିବା ମାତ୍ରକେ ସ୍ବତଃ ମୋବାଇଲରେ ‘ଭାକ୍ସିନ୍ ରେଜିଷ୍ଟର୍’ ଆପ୍ ଡାଉନ୍‌ଲୋଡ୍ ହୋଇଯାଉଛି। ଏହି ଆପ୍ଲିକେସନ୍‌ ଅବିକଳ ଦେଖିବାକୁ କୋ-ଓ୍ବିନ୍ ଆପ୍ ଭଳି। ଏଥିରେ ଟିକାକରଣ ସଂକ୍ରାନ୍ତ ପଞ୍ଜୀକରଣ ପାଇଁ ବ୍ୟକ୍ତିଗତ ତଥ୍ୟ ପ୍ରଦାନ କରିବାକୁ କୁହାଯାଉଛି। ତୁରନ୍ତ ଟିକାକରଣ ପାଇଁ ଧାର୍ଯ୍ୟ ଅର୍ଥ ଜମା କରିବାକୁ କୁହାଯାଉଛି। କିନ୍ତୁ ବାସ୍ତବରେ ଏଥିରେ ସେଭଳି ତୁରନ୍ତ ଟିକାକରଣ ଯୋଗାଇ ଦିଆଯାଉ ନାହିଁ। ଓଲଟି ମୋବାଇଲ୍ ବ୍ୟବହାରକାରୀଙ୍କ ଅଜାଣତରେ ତାଙ୍କ ମୋବାଇଲରୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାଇବର୍ ଅପରାଧୀ ଚୋରି କରି ନେଉଛନ୍ତି।

ଅନ୍‌ଲାଇନ୍‌ରେ ମୋବାଇଲରେ ଟଙ୍କା ପଠାଇବା ସମୟରେ ମୋବାଇଲ୍ ବ୍ୟବହାରକାରୀଙ୍କ ବ୍ୟାଙ୍କର ୟୁଜର ନେମ୍ ଏବଂ ପାସ୍‌ଓ୍ବାର୍ଡ ଚୋରି ହୋଇଯାଉଛି। କରୋନା କାଳରେ କଟକ କମିସନରେଟ୍‌ ପୁଲିସ ଅଞ୍ଚଳରେ ସାଇବର୍ ଅପରାଧୀଙ୍କ ହାବୁଡ଼ରୁ ମୋଟ ୩ ଲକ୍ଷ ୭୨ ହଜାର ୫୮୯ ଟଙ୍କା ଫେରସ୍ତ ହୋଇପାରିଛି। ତେଣୁ କୌଣସି ଅଜଣା ଆପ୍ କିମ୍ବା ଲିଙ୍କ୍ କ୍ଲିକ୍ ନ କରିବା ସହିତ ବ୍ୟାଙ୍କ୍ ତଥ୍ୟ ନ ଦେବାକୁ କମିସନରେଟ୍ ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏଭଳି ଠକେଇ ହେଲେ ତୁରନ୍ତ କମିସନରେଟ୍ ପୁଲିସର ସାଇବର୍ ସେଲ୍‌କୁ ଅବଗତ କରିବାକୁ କୁହାଯାଇଛି। ପୁଲିସର କହିବା ଅନୁଯାୟୀ, ଟିକାକରଣ ପାଇଁ କୌଣସି ଫୋନ୍ କଲ୍‌ ସରକାରଙ୍କ ପକ୍ଷରୁ ଆସେ ନାହିଁ କିମ୍ବା କେହି ବ୍ୟାଙ୍କ ତଥ୍ୟ ମାଗନ୍ତି ନାହିଁ। କେହି ଏଭଳି କରୁଥିଲେ ଏଥିପ୍ରତି ସତର୍କ ରହିବାକୁ ପୁଲିସ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର