ଭୁବନେଶ୍ବର : ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାବେଳେ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପହଞ୍ଚିଛି। ମଙ୍ଗଳବାର ରାତିରେ ଭଦ୍ରକରେ ଚତୁର୍ଥ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାପରେ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ସାରା ଦେଶରେ ଯେଉଁ ଟ୍ରେଣ୍ଡ ଦେଖାଦେଇଛି ସେଭଳି ସ୍ଥିତିରେ ଚତୁର୍ଥ କରୋନା ଆକ୍ରାନ୍ତ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛନ୍ତି। କାରଣ ଦେଶରେ ଯେତିକି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେଥିରେ ସବୁଠୁ ଅଧିକ ଦୁବାଇ ଫେରନ୍ତା ଅଛନ୍ତି। ଆଉ ଓଡ଼ିଶାରେ ଚିହ୍ନଟ ହୋଇଥିବା ଚତୁର୍ଥ କରୋନା ଆକ୍ରାନ୍ତ ହିଁ ଦୁବାଇରୁ ଫେରିଥିେଲ।
ନିକଟରେ ଉତ୍ତରପ୍ରଦେଶର ଗାଜିଆବାଦସ୍ଥିତ ସନ୍ତୋଷ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ର ଜନସ୍ବାସ୍ଥ୍ୟ ଗବେଷକ ଡ. ଅନୁପମ ସିଂହ ଗବେଷଣା କରି ଜାଣିବାକୁ ପାଇଛନ୍ତି ଯେ, େଦଶରେ ୭୨୦ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୦୦ଜଣ ଦୁବାଇ ଫେରନ୍ତା ଥିଲେ। କେବଳ ଏତିକି ନୁହେଁ। ଦୁବାଇ ପରେ ସବୁଠୁ ଅଧିକ କରୋନା ଆକ୍ରାନ୍ତ ଇଂଲଣ୍ଡ, ଇଟାଲି, ସାଉଦି ଆରବ ଏବଂ ଆମେରିକାରୁ ଫେରିଥିବା ଲୋକମାନେ ଅଛନ୍ତି। କରୋନା ଆକ୍ରାନ୍ତଙ୍କ ଯାତ୍ରା ଇତିହାସରୁ ଏହା ଜାଣିବାକୁ ମିଳିଛି।
ସାରା ଦେଶରେ ଲକ୍ ଡାଉନ୍ ହେବା ପୂର୍ବରୁ ଓଡ଼ିଶାକୁ ଶତାଧିକ ଓଡ଼ିଆ ଦୁବାଇ ଓ ସାଉଦି ଆରବରୁ ଫେରିଛନ୍ତି। ଏଥିରୁ ଅଧିକାଂଶ ଏବେ ଗ୍ରାମାଞ୍ଚଳରେ ଅଛନ୍ତି। ତେଣୁ ଦୁବାଇ ଫେରନ୍ତାଙ୍କର ସ୍ବାବ୍ ପରୀକ୍ଷା ନହେବା ପର୍ଯ୍ୟନ୍ତ ରାଜ୍ୟରେ କେତେ କରୋନା ଆକ୍ରାନ୍ତ ଅଛନ୍ତି ଜାଣିବା କଷ୍ଟକର ହୋଇଯିବ।
ଆଜି ସୁଦ୍ଧା ୪୩୩୨ଜଣ ବିଦେଶରୁ ଓଡ଼ିଶା ଫେରିଥିବା ନେଇ ରାଜ୍ୟ ସରକାରଙ୍କ ନିକଟରେ ପଞ୍ଜୀକରଣ କରିଛନ୍ତି। ଏହା ସରକାରୀ ରେକର୍ଡ ହୋଇଥିବା ବେଳେ ବହୁ ଲୋକ ଏବେବି ପଞ୍ଜୀକରଣ କରିନଥିବା ଜଣାପଡ଼ିଛି। ଏପରିକି ଦୁବାଇରେ ପାଇପ୍ ମିସ୍ତ୍ରୀ, ବିଭିନ୍ନ କମ୍ପାନିରେ ଶ୍ରମିକ ଭାବେ କାମ କରୁଥିବା ଲୋକ ଲକଡାଉନ୍ର ଦୁଇ ଦିନ ପୂର୍ବରୁ ମୁମ୍ବାଇ ହୋଇ ଭୁବନେଶ୍ବର ଫେରିଛନ୍ତି। ମୁମ୍ବାଇରେ ଏକ ତାରକା ହୋଟେଲରେ ଦୁଇ ଦିନ ରହିବା ପରେ ସେମାନଙ୍କୁ ଓଡ଼ିଶା ପଠାଯାଇଥିଲା। ସାରା ଦେଶରେ ଦୁବାଇ ଫେରନ୍ତା ଲୋକ ଅଧିକ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିବା ପରେ ଏବେ ଓଡ଼ିଶାକୁ ଲକ୍ଡାଉନ୍ ଦୁଇ ଦିନ ପୂର୍ବରୁ ଫେରିଥିବା କେତେ ଲୋକଙ୍କର ସ୍ବାବ୍ ପରୀକ୍ଷା ହୋଇଛି, କେତେ ଲୋକଙ୍କର ନେଗେଟିଭ୍ ବାହାରିଛି, ସେମାନଙ୍କର ସ୍ବାବ୍ ପରୀକ୍ଷା କରିବା ନେଇ କ'ଣ ପଦକ୍ଷେପ ନିଆଯାଉଛି ସେନେଇ ରାଜ୍ୟ ସରକାର ସ୍ପଷ୍ଟ କରିବା ଦରକାର।
ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବହୁ ଦୁବାଇ, ସାଉଦି ଆରବ ଫେରନ୍ତା ଏବେ କେନ୍ଦ୍ରାପଡ଼ା, ଭଦ୍ରକ, କାକଟପୁୁର, ପିପିଲି ଭଳି ସ୍ଥାନରେ ଅଛନ୍ତି। ଯେଉଁମାନଙ୍କ ନିକଟରେ କରୋନା ଲକ୍ଷଣ ଦେଖାଦେଇଛି କି ନାହିଁ ଜଣାପଡ଼ିନଥିଲେ ହେଁ ଅଧିକାଂଶ ସରକାରୀ ନିୟମ ମାନି ସଙ୍ଗରୋଧ ଅବସ୍ଥାରେ ନାହାନ୍ତି। ତେଣୁ ଏମାନଙ୍କୁ ଖୋଜି ବାହାର କରିବା ଦରକାର।
କେବଳ ଏତିକି ନୁହେଁ ଯେଉଁମାନେ ୟୁରୋପୀୟ ଦେଶରୁ ଫେରିଛନ୍ତି ସେଥିରୁ ଅଧିକାଂଶ ଦୁବାଇ ହୋଇ ଆସିଛନ୍ତି। ତେଣୁ ୟୁରୋପୀୟ ଦେଶରୁ ଫେରିଥିବା ଓଡ଼ିଆଙ୍କ ଉପରେ ନଜର ରଖିବା ନିତାନ୍ତ ଆବଶ୍ୟକ ହୋଇପଡ଼ିଛି।
ସାରା ରାଜ୍ୟରେ ଯେଉଁ ଚାରି ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି ସେଥିରୁ ପ୍ରଥମ ଜଣଙ୍କ ଇଟାଲିରୁ ଫେରିଥିବାବେଳେ ଦ୍ବିତୀୟ ଆକ୍ରାନ୍ତ ଲଣ୍ଡନରୁ, ତୃତୀୟ ଆକ୍ରାନ୍ତ ଦିଲ୍ଲୀରୁ ଏବଂ ଚତୁର୍ଥ ଆକ୍ରାନ୍ତ ଦୁବାଇରୁ ଫେରିଥିଲେ। ସାରା ଦେଶରେ ସବୁଠୁ ଅଧିକ କରୋନା ଆକ୍ରାନ୍ତ ଯେଉଁ ୫ଟି ଦେଶରୁ ଫେରିଥିବା ଲୋକ ବୋଲି ଜଣାପଡ଼ିଛି ସେଥିରୁ ତିନିଟି ଦେଶରୁ ଫେରିଥିବା ଓଡ଼ିଶାର ତିନି ଜଣ ଏବେ ସୁଦ୍ଧା କରୋନା କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିଛି। ଯାହା ଏବେ ଚିନ୍ତାର ବିଷୟ ପାଲଟିଛି।