ସୁନ୍ଦରଗଡ଼ : ଏଥର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲଢ଼ିବାକୁ ଅନେକ ଉଚ୍ଚ ଶିକ୍ଷିତ ସମେତ ଭିନ୍ନ ଭିନ୍ନ କ୍ଷେତ୍ରର ବ୍ୟକ୍ତିବିଶେଷ ଆଗେଇ ଆସିଛନ୍ତି। ନିର୍ବାଚନୀ ମୈଦାନରେ ଯାହା ଭିନ୍ନ ଚର୍ଚ୍ଚାର ପରିସର ସୃଷ୍ଟି କରିଛି। ଏହି ଅବସରରେ ହେମଗିର ‘କ’ ଜିଲ୍ଲା ପରିଷଦ ସଭ୍ୟ ଆସନରୁ ସିପିଆଇ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଥିବା ଏକ ସାଧାରଣ ପରିବାରର ନରେଶ ମେହେର ଚର୍ଚ୍ଚାକୁ ଆସିଛନ୍ତି। କ୍ଷମତାସୀନ ବିଜୁ ଜନତା ଦଳ ଓ ପ୍ରଭାବଶାଳୀ ବିଜେପି ତଥା କଂଗ୍ରେସ ସହ ବଳ କଷିବାକୁ ସାହସ କରିଥିବା ଏହି ଯୁବକ ଏକ ଭିନ୍ନ ଲଢ଼େଇର ସ୍ୱରକୁ ନେଇ ବିଜୟ ହାସଲ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି। ତାଙ୍କ ବିପକ୍ଷରେ ଲଢ଼ୁଛନ୍ତି ବିଜେଡିରୁ ଉଚ୍ଚ ଶିକ୍ଷିତ ବି.ଟେକ ଇଞ୍ଜିନିୟର ଉଦିତ ସେଠ, ବିଜେପିରୁ ଲକ୍ଷ୍ମଣ ସେଠ, କଂଗ୍ରେସରୁ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ଭୁଲକି ସେଠ, ଓଡ଼ିଶା ପ୍ରଗତି ଦଳର ଗୁରୁଚରଣ ସିଂ ଓ ସ୍ୱାଧୀନ ପ୍ରାର୍ଥୀ ଘନଶ୍ୟାମ କାଲୋ।

Advertisment

ତେବେ ପୂର୍ବ ନିର୍ବାଚନମାନଙ୍କରେ କଂଗ୍ରେସ ଦଖଲରେ ଥିବା ଏହି ଆସନକୁ ୨୦୧୭ରେ ସିପିଆଇ ପ୍ରାର୍ଥିନୀ ପୂରବୀ ନାଏକ ଛଡ଼ାଇ ନେଇଥିଲେ। ଅଞ୍ଚଳରେ ମଦ ବିରୋଧୀ ଆନ୍ଦୋଳନର ଅନ୍ୟତମ ନେତା ରାଜେନ୍ଦ୍ର ନାଏକ ଓ ତାଙ୍କ ପତ୍ନୀ ପୂରବୀ ବର୍ଷାଧିକ କାଳ ଏହି ଲଢ଼େଇର ଆଗ ଧାଡ଼ିରେ ଥିଲେ। ୨୦୨୧ରେ ଜନଜୀବନକୁ ତଳିତଳାନ୍ତ କରି ଚାଲିଥିବା ଏମସିଏଲ କୋଇଲା ଖଣି ବିସ୍ଥାପନ ସମସ୍ୟା ଓ କୋଇଲା ପରିବହନଜନିତ ପ୍ରଦୂଷଣ ବିରୋଧରେ ଏକ ଦୃଢ଼ ପ୍ରତିବାଦ ଉଠିଥିଲା। ଯାହାକୁ ନେଇ ବାଙ୍କିବାହାଲରୁ ଟପରିଆ ଯାଏ ୧୩ଟି ଗାଁରେ ଜନଶକ୍ତି ବିକାଶ ପରିଷଦ ନାମରେ ଗଢ଼ି ଉଠିଥିଲା ଜନ ଆନ୍ଦୋଳନ। ମାସ ମାସ ଧରି ଲୋକେ ଘର ଦ୍ୱାର ଛାଡ଼ି ଧାରଣା ଦେଇଥିଲେ। ଗାଁ ରାସ୍ତାରେ କୋଇଲା ପରିବହନ ବନ୍ଦ କରି ଏମସିଏଲ ସ୍ବତନ୍ତ୍ର କୋଲ୍ କରିଡର ନିର୍ମାଣ କରୁ ବୋଲି ଦାବି ହୋଇଥିଲା। ଫଳରେ ବାଙ୍କିବାହାଲ-ଟପରିଆ ଦେଇ ଛତିଶଗଡ଼କୁ ଏମସିଏଲର କୋଇଲା ପରିବହନ ବନ୍ଦ ହୋଇଯାଇଥିଲା। ଶେଷକୁ ଆନ୍ଦୋଳନର ସ୍ୱରକୁ ଚାପି ଦେବାକୁ ବହୁ ସଂଖ୍ୟକ ଆନ୍ଦୋଳନକାରୀଙ୍କୁ ଗିରଫ କରିଥିଲା ପ୍ରଶାସନ।

ଏହି ଆନ୍ଦୋଳନର ଆଗ ଧାଡ଼ିରେ ରହି ଅନ୍ୟ ସାଥୀଙ୍କ ସହ ଜେଲ୍ ଯାଇଥିଲେ ନରେଶ। ଏବେ ବି ପ୍ରଦୂଷଣ ଓ ବିସ୍ଥାପନ ସମସ୍ୟା ଅଞ୍ଚଳର ଲୋକଙ୍କୁ ଯନ୍ତ୍ରଣା ଜର୍ଜରିତ କରି ରଖିଛି। କମ୍ପାନିର ଗୁଣ୍ଡାରାଜ, ପ୍ରଦୂଷଣ, ଚାଷୀ, ଶ୍ରମିକ ତଥା ବିସ୍ଥାପିତମାନଙ୍କ ଉପରେ ହେଉଥିବାପ ଅନ୍ୟାୟ ପ୍ରତି ଲୋକଙ୍କ ମଧ୍ୟରେ ପ୍ରବଳ ରୋଷ ରହିଛି। ଲଢ଼େଇ ଭିତରୁ ଆସିଥିବା ନରେଶ ଏବେ ସେ ସ୍ୱରର ସମର୍ଥନ ପାଇବେ ବୋଲି ଆଶା ରଖିଛନ୍ତି।