ଆନନ୍ଦପୁର: ହରିଶ୍ଚନ୍ଦ୍ର ଯୋଜନାରେ ସାଂଘାତିକ କେଳେଙ୍କାରୀ। କେତେବେଳେ ବଞ୍ଚିଥିବା ଲୋକଙ୍କୁ ମୃତ ଦର୍ଶାଯାଇ ଟଙ୍କା ହଡ଼ପ କରାଯାଇଛି ତ ଆଉ କେତେବେଳେ ଟଙ୍କା ପାଇଁ ଜଣେ ଲୋକ ଦୁଇଥର ମରିଛନ୍ତି। ଏପରିକି ଜଣେ ବ୍ୟକ୍ତିଙ୍କୁ ଦୁଇଜଣଙ୍କ ପୁଅ ଭାବେ ଦର୍ଶାଯାଇ ଏହି ଯୋଜନାରେ ଆର୍ଥିକ ସହାୟତା ଦିଆଯାଇଛି। କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍ରେ ହରିଶ୍ଚନ୍ଦ୍ର ଯୋଜନାରେ ଏଭଳି ମନଇଚ୍ଛା ଟଙ୍କା ବଣ୍ଟା ଯାଇଥିବା ବେଳେ ଆଜି ଘସିପୁରାଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ପୋଲ୍ ଖୋଲିଛି ବିଜେପି ଯୁବମୋର୍ଚ୍ଚା।
ଘସିପୁରା ବ୍ଲକ୍ ଗୋହିରା ପଞ୍ଚାୟତ ତାଳଗାଁର ଚନ୍ଦା ମହାକୁଡ଼ ମୂଲ ଲାଗିବା ସହ ଚାଷ କରି ପରିବାର ପ୍ରତିପୋଷଣ କରୁଛନ୍ତି। ସେ ବଞ୍ଚି ଥାଉଥାଉ ତାଙ୍କୁ ୨୦୧୮ ଜୁନ୍ ୧୫ରେ ମୃତ ବୋଲି ଦର୍ଶାଯାଇ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ରାଶି ହଡ଼ପ କରାଯାଇଛି। ସହାୟତା ରାଶି ତାଙ୍କ ପତ୍ନୀ ନିରଶୀ ମହାକୁଡ଼ ନେଇଥିବା ସରକାରୀ ତଥ୍ୟ କହୁଛି। ତେବେ ଆବେଦନକାରୀଙ୍କ ମୋବାଇଲ ନମ୍ବର ନିରଶୀଙ୍କର ନୁହେଁ ବୋଲି ଜଣାପଡ଼ିଛି। ସେହିପରି ଏହି ପଞ୍ଚାୟତ ଅନ୍ତର୍ଗତ ଭୋଳନୂଆଗାଁର ରସୁଣି ଦାସଙ୍କ ମୃତ୍ୟୁ ୧୯ ଜୁଲାଇ ୨୦୨୪ରେ ହୋଇଛି। ତାଙ୍କ ପୁଅ ଶିବ ଦାସ ସେହିଦିନ ଶବ ସଂସ୍କାର ପାଇଁ ୨ ହଜାର ଟଙ୍କା ସହାୟତା ନେଇଥିବା ସରକାରୀ ତଥ୍ୟ କହୁଛି। ବାସ୍ତବ କଥା କିନ୍ତୁ ଭିନ୍ନ। ୪ବର୍ଷ ତଳୁ ରସୁଣିଙ୍କ ମୃତ୍ୟୁ ହେଲାଣି। ଆଉ ଯେଉଁ ପୁଅ ସହାୟତା ନେଇଛନ୍ତି ବୋଲି ସରକାରୀ ଦସ୍ତାବିଜ କହୁଛି, ସେ ମଧ୍ୟ ଦୁଇବର୍ଷ ତଳୁ ଆରପାରିକୁ ଗଲେଣି। ଗତ ଜୁଲାଇ ୧୯ରେ ସେ କିପରି ହରିଶ୍ଚନ୍ଦ୍ର ଯୋଜନାରେ ସରକାରୀ ସହାୟତା ପାଇଲେ ବୋଲି ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଂଯୋଜକ ଯଜ୍ଞପ୍ରସାଦ ସାହୁ ପ୍ରଶ୍ନ କରିଛନ୍ତି।
ଟଙ୍କା ପାଇଁ ଜଣେ ମରିଛନ୍ତି ଦୁଇଥର
ସରକାରୀ ଦସ୍ତାବିଜ୍ରେ ଜଣେ ବ୍ୟକ୍ତି ଦୁଇଜଣଙ୍କ ପୁଅ
ଶ୍ରୀ ସାହୁ ଅଭିଯୋଗ କରିଛନ୍ତି ଯେ ପୂର୍ବର ବିଜେଡି ସରକାର ସମୟରେ ଘସିପୁରା ବ୍ଲକ୍ରେ ହରିଶ୍ଚନ୍ଦ୍ର ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଛି। ୫୫ଜଣ ମୃତକଙ୍କ ପରିବାରକୁ ସହାୟତା ପ୍ରଦାନ ବେଳେ ଗୋଟିଏ ନିର୍ଦ୍ଦିଷ୍ଟ ଫୋନ୍ ନମ୍ୱର ବ୍ୟବହାର କରାଯାଇଛି। ସେହିପରି ଅନ୍ୟ ଏକ ନମ୍ୱର ୮ଜଣ ମୃତକଙ୍କ ପରିବାକୁ ଅର୍ଥ ପ୍ରଦାନ ବେଳେ ବ୍ୟବହାର କରାଯାଇଛି। ଅନ୍ୟପକ୍ଷରେ ଭୋଳନୂଆଗାଁର ସୁକାନ୍ତ ଦାସ କରୋନାରେ ଆକ୍ରାନ୍ତ ହୋଇ କେନ୍ଦୁଝରସ୍ଥିତ କୋଭିଡ୍ ହସ୍ପିଟାଲରେ ପ୍ରାଣ ହରାଇଥିଲେ। ସେଠାରେ ପ୍ରଶାସନ ପକ୍ଷରୁ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ତାଙ୍କ ପତ୍ନୀ କୁନି ଦାସ ସହାୟତା ରାଶି ପାଇନାହାନ୍ତି। କିନ୍ତୁ ତାଙ୍କ ନାମରେ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ରାଶି ଉଠାଯାଇଛି। ପ୍ରଶାସନ ଶବଦାହ କରିଥିବାବେଳେ ହରିଶ୍ଚନ୍ଦ୍ର ସହାୟତା ଅର୍ଥ କିଏ ନେଇଛି ବୋଲି ଶ୍ରୀ ସାହୁ ପ୍ରଶ୍ନ କରିଛନ୍ତି। ସେହିପରି ଏହି ଗାଁର ନଟବର ପାତ୍ରଙ୍କ ପୁଅ ସନ୍ତୋଷ ନିଜ ପିତାଙ୍କ ଅନ୍ତିମ ସଂସ୍କାର ପାଇଁ ୨୦୦୦ ଟଙ୍କା ସହାୟତା ନେଇଥିଲେ। ପରେ ପୁଣି ତାଙ୍କୁ ନୀଳମଣି ପାତ୍ରଙ୍କ ପୁଅ ବୋଲି ଦର୍ଶାଯାଇ ଅର୍ଥ ପ୍ରଦାନ କରାଯାଇଥିଲା। ଆଉ ଉଭୟ ସ୍ଥାନରେ ଗୋଟିଏ ମୋବାଇଲ ନମ୍ୱର ବ୍ୟବହାର କରାଯାଇଛି। ଜଣେ ବ୍ୟକ୍ତି ସରକାରୀ ଦସ୍ତାବିଜ୍ରେ କିଭଳି ଦୁଇଜଣଙ୍କର ପୁଅ ହେଲେ ତାକୁ ନେଇ ପ୍ରଶ୍ନ ଉଠିଛି।
ସେହିପରି ରାଧିକାଦେଇପୁର ପଞ୍ଚାୟତରେ ମଧ୍ୟ ସରକାରୀ ସହାୟତା ହଡ଼ପ ପାଇଁ ଜଣେ ମହିଳାଙ୍କୁ ଦୁଇଥର ମରାଯାଇଛି। କଅଁସ ଗ୍ରାମର ଦୁର୍ଗାବତୀ ଜେନା ମାର୍ଚ୍ଚ ୧୧ ତାରିଖ ୨୦୨୨ରେ ପ୍ରାଣ ହରାଇଥିଲେ। ମୋହନ ଜେନା ନାମକ ଜଣେ ବ୍ୟକ୍ତିଙ୍କୁ ତାଙ୍କ ପୁଅ ଭାବେ ଦର୍ଶାଯାଇ ଦୁଇଥର ଟଙ୍କା ଦିଆଯାଇଛି। ଉଭୟ ସ୍ଥାନରେ ଗୋଟିଏ ମୋବାଇଲ ନମ୍ୱର ବ୍ୟବହାର ହୋଇଛି। ସେହି ଗ୍ରାମର ନିରଞ୍ଜନ ପାତ୍ରଙ୍କର ମଧ୍ୟ ଦୁଇଥର ମୃତ୍ୟୁ ହୋଇଥିବା ଦର୍ଶାଯାଇ ଦୁଇଥର ଟଙ୍କା ଉଠାଯାଇଛି। ସେହିପରି ଅନାଦି ଖଣ୍ଡାଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ମହେଶ୍ୱର ଦୁଇଥର ହରିଶ୍ଚନ୍ଦ୍ର ସହାୟତା ନେଇଥିବା ଅଭିଯୋଗ ହୋଇଛି। ଏହାଛଡ଼ା ଗୋଟିଏ ଦିନରେ ଖଇଳ ଗ୍ରାମର ଭୀମସେନ ପାତ୍ର, ମଧୁସୂଦନ ପାତ୍ର ଓ ଭାନୁ ପାତ୍ରଙ୍କ ମୃତ୍ୟୁ ହୋଇଥିବା ଦର୍ଶାଯାଇ ସହାୟତା ଅର୍ଥ ଉଠାଯାଇଛି। ଏହି ପଞ୍ଚାୟତରେ ନିର୍ଦ୍ଦିଷ୍ଟ ୫ଟି ମୋବାଇଲ ନମ୍ବରକୁ ୧୫୦ରୁ ଅଧିକ ମଲାଲୋକଙ୍କ ପରିବାରକୁ ଟଙ୍କା ପ୍ରଦାନ ବେଳେ ବ୍ୟବହାର କରାଯାଇଥିବା ଯଜ୍ଞପ୍ରସାଦ ଅଭିଯୋଗ କରିଛନ୍ତି। ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଶ୍ରୀ ସାହୁ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି।