ଭୁବନେଶ୍ୱର : ଆନ୍ଧ୍ର, ଛତିଶଗଡ଼ ଓ ପଶ୍ଚିମବଙ୍ଗ ସହିତ ଲାଗି ରହିଛି ସୀମା ବିବାଦ। ଓଡ଼ିଶାର ସୀମାନ୍ତ ଗ୍ରାମ ଉପରେ ମଧ୍ୟ ଏହି ପଡ଼ୋଶୀ ରାଜ୍ୟଗୁଡ଼ିକର ଆଖି ରହିଛି। ଏ ସମ୍ପର୍କରେ ସମାଜବାଦୀ ପାର୍ଟି ପକ୍ଷରୁ ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଆଲୋଚନା ପାଇଁ ଦାବି କରିଛି। ଏଥିସହିତ, ଓଡ଼ିଶା ବିଧାନସଭା ଗୃହ କମିଟି ସୀମାନ୍ତ ଗ୍ରାମଗୁଡ଼ିକ ଗସ୍ତ କରିବା ପାଇଁ ପରାମର୍ଶ ଦେବାକୁ ଅନୁରୋଧ କରିଛି। ବାଚସ୍ପତିଙ୍କୁ ଲେଖାଯାଇଥିବା ଚିଠିର ଏକକିତା ନକଲ ଉପବାଚସ୍ପତି, ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା, କଂଗ୍ରେସ ବିଧାୟକ ଦଳ ନେତା, ସରକାରୀ ଦଳର ମାନ୍ୟବର ମୁଖ୍ୟ ସଚେତକ ଓ ବିଜେପି ଦଳର ମୁଖ୍ୟ ସଚେତକଙ୍କୁ ମଧ୍ୟ ପ୍ରଦାନ କରାଯାଇଛି।
ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଲେଖିଥିବା ଏହି ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ପଡ଼ୋଶୀ ରାଜ୍ୟମାନଙ୍କର ଜବରଦଖଲ ଓ ଦାଦାଗିରି ଯୋଗୁଁ ସୀମାନ୍ତ ଗ୍ରାମର ଅଧିବାସୀମାନେ ଅତିଷ୍ଠ ହୋଇଉଠିଲେଣି । ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ସରକାର ଓଡ଼ିଶାର ସୀମା ଭିତରକୁ ପଶି ଆସି ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏ ଦିଗରେ ସ୍ଥାନୀୟ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କ କରାଯାଇଥିଲେ ମଧ୍ୟ ସେମାନେ ତାହାକୁ ମାନୁନାହାନ୍ତି। ଏ ସମ୍ପର୍କରେ ଦଳ ପକ୍ଷରୁ କେତେକ ଉଦାହରଣ ଦିଆଯାଇଛି। ଯେମିତିକି, କିଛିଦିନ ତଳେ କୋରାପୁଟ ଜିଲ୍ଲାର ନାରାୟଣପାଟଣା ଅନ୍ତର୍ଗତ ଲଙ୍ଗଳବେଡ଼ା ଅଧୀନ ଚିନାଙ୍କମିଡି ଭଦ୍ରା ଓ ତେନ୍ତୁଳିଗୁଡ଼ା ଗ୍ରାମର ରାଜସ୍ୱ ଜଙ୍ଗଲ ଜମି ଯାହାକି ଓଡ଼ିଶା ଭିତରେ ରହିଛି, ତାହାକୁ ଆନ୍ଧ୍ରପ୍ରଦେଶର ବିଜୟନଗର ଜିଲ୍ଲାର ପାର୍ବତୀପୁରମ୍ ତହସିଲ୍ ମାପଚୁପ କରି ଆନ୍ଧ୍ର କବ୍ଜାକୁ ନେବାପାଇଁ ଉଦ୍ୟମ କରୁଛନ୍ତି। ସେହିଭଳି ପଟାଙ୍ଗୀ ବ୍ଲକର ସୁନାବେଡ଼ା ଓ ଜାମୁଗୁଡ଼ା ପ୍ରମୁଖ ଦୁଇ ଗ୍ରାମକୁ ଲାଗିଥିବା ଆନ୍ଧ୍ରର ବିଶାଖାପାଟଣା ଜିଲ୍ଲା ତୁମୁରିଗୁଡ଼ାର ୫ ଗ୍ରାମବାସୀ ଏହି ଦୁଇ ଗ୍ରାମର ବାସିନ୍ଦାଙ୍କ ଚାଷଜମି ଓ ଜଙ୍ଗଲକୁ ଜବରଦଖଲ କରିବାରେ ଉଦ୍ୟମ କରୁଛନ୍ତି। ଦ୍ୱିତୀୟତଃ ପଶ୍ଚିମବଙ୍ଗ ସରକାରଙ୍କ ଦୀଘା ବେଳାଭୂମି ଅଥରିଟି ଭୋଗରାଇ ବ୍ଲକର ସାହାବାଜପୁର ଗ୍ରାମର ଅନତିଦୂରରେ ଖୁଣ୍ଟିପୋତି ପାଖାପାଖି ୨୦ ଏକର ଜମିକୁ ଜବରଦଖଲ କରିବା ପାଇଁ ଉଦ୍ୟମ କରୁଛନ୍ତି। ଏପରିକି ସେମାନେ ଓଡ଼ିଶା ସୀମାରେ ଥିବା ଗଛ କାଟିନେବା ସହିତ ଜମି ସମତୁଲ କରିବା କାମ ଆରମ୍ଭ କରିଦେଇଛନ୍ତି। ତୃତୀୟତଃ ଝାରସୁଗୁଡା ଜିଲ୍ଲାର ଲଖନପୁର ବ୍ଲକ ଅନ୍ତର୍ଗତ କନକତୋରାଠାରେ ଛତିଶଗଡ଼ ସରକାରଙ୍କ ତରଫରୁ ବିବାଦ ସୃଷ୍ଟି କରାଯାଉଛି। କିଛିଦିନ ତଳେ ଛତିଶଗଡ଼ ସରକାରଙ୍କ ପକ୍ଷରୁ ନୂଆପଡ଼ା ଜିଲ୍ଲାରେ ମଧ୍ୟ ସେହିଭଳି ବିବାଦ ସୃଷ୍ଟି କରାଯାଇଥିଲା।
ଏହାକୁ ଦୃଷ୍ଟିରେ ରଖି ପଡ଼ୋଶୀ ରାଜ୍ୟମାନଙ୍କ ସହିତ ଓଡ଼ିଶାର ସୀମାନ୍ତକୁ ନେଇ ଲାଗି ରହିଥିବା ବିବାଦର ସମାଧାନ କରିବା ପାଇଁ ସମାଜବାଦୀ ପାର୍ଟି ପକ୍ଷରୁ ସଭାପତି ଶ୍ରୀ ବେହେରା ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/indian-village-west-bengal.jpg)