କଟକ ଉପରେ ବିଦେଶୀ ନିଶା ମାଫିଆଙ୍କ ଆଖି, ଚେର ମିଆଁମାର୍‌ରୁ ମାଲକାନଗିରି

ବର୍ଷକରେ ୫ କୋଟି ୭୦ ଲକ୍ଷର ନିଶା, କରୋନାରେ ସ୍ଥିତି ଅସମ୍ଭାଳ କଲେଣି

କଟକ : ନିଶା ମାଫିଆଙ୍କ ଉତ୍ପାତରେ କଟକର ସ୍ଥିତି ଅସମ୍ଭାଳ ହେଲାଣି। ଗୋଟିଏପଟେ ମିଆଁମାରରୁ ଆସୁଥିବା ବ୍ରାଉନ୍‌ସୁଗାର୍‌ ବାଙ୍ଗଳାଦେଶ-ପଶ୍ଚିମବଙ୍ଗ ଭାୟା ବାଲେଶ୍ବର ଦେଇ କଟକରେ ପହଞ୍ଚୁଛି। ଅନ୍ୟପଟେ ମାଲକାନଗିରି, କନ୍ଧମାଳ, ଫୁଲବାଣୀ ଗଜପତି ଜିଲ୍ଲା ମୋହନାରୁ ଆସୁଥିବା ଗଞ୍ଜେଇ କଟକ ସହରକୁ ନିଜ ନିୟନ୍ତ୍ରଣକୁ ନେଇସାରିଲାଣି। ଆଦୌ ଜଣାପଡ଼ୁ ନଥିବା ଏ ପ୍ରକାର ଅନ୍ତର୍ଜାତୀୟ ଚୋରା ନିଶା କାରବାର କଟକରେ ସାହି ବସ୍ତିରେ ଚରିଗଲାଣି। କଟକ କମିସନରେଟ୍ ପୁଲିସ ୨୦୨୧ରୁ ଆଜି ସୁଦ୍ଧା ସହରରୁ ମୋଟ ୫ କୋଟି ୬୭ ଲକ୍ଷ ୧୦ ହଜାର ଟଙ୍କାର ନିଶା ଜବତ କରିବା ରିପୋର୍ଟ ହିଁ  ସ୍ପଷ୍ଟ କରୁଛି, କଟକରେ ଏହି ବ୍ୟବସାୟ କିଭଳି ଢଙ୍ଗରେ ବୃଦ୍ଧି ପାଇଛି।

ସୂଚନା ଅନୁଯାୟୀ, କଟକ ସହରରେ ଗଞ୍ଜେଇ ଓ ବ୍ରାଉନ୍‌ସୁଗାର୍‌ ମାମଲାରେ ଜିଲ୍ଲା ଅବକାରୀ ବିଭାଗ, କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଓ ରାଜ୍ୟ ଫ୍ଲାଇଂ ସ୍କ୍ବାଡ୍‌ ଅଧିକ ମାତ୍ରାରେ ଆଗୁଆ ରହୁଥିବାବେଳେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବାରୁ କମିସନରେଟ୍ ପୁଲିସ ମିଳିତ ଭାବେ ୨୦୨୧ ପରଠାରୁ ଅଧିକ ସଂଖ୍ୟାରେ ମାମଲା ରୁଜୁ କରିବାରେ ଲାଗିଛି। ୨୦୨୧ରେ ୨୮ଟି ନିଶା କାରବାର ମାମଲା ରୁଜୁ ହୋଇଥିବାବେଳେ ୫୪ ଜଣ ନିଶା ମାଫିଆଙ୍କୁ ଗିରଫ କରାଯାଇଛି। ବ୍ରାଉନ୍‌ସୁଗାର୍‌ ଏହି ବର୍ଷ ୪ କେଜି ୯୭୫ ଗ୍ରାମ ୮୫୪ ମିଲିଗ୍ରାମ୍‌ ଜବତ ହୋଇଛି। ଯାହାର ମୂଲ୍ୟ ୫ କୋଟି ଟଙ୍କା ହେବ। ସେହିଭଳି ଗଞ୍ଜେଇ ୭୭୨ କେଜି ୭୫୫ ଗ୍ରାମ୍‌ ଜବତ ହୋଇଥିଲା। ଜବତ ଗଞ୍ଜେଇର ମୂଲ୍ୟ ୩୮ ଲକ୍ଷ ୬୦ ହଜାର ଟଙ୍କା। ସେହିଭଳି ୨୦୨୨ ଜାନୁଆରିରୁ ଫେବ୍ରୁଆରି ୧୨ ତାରିଖ ସୁଦ୍ଧା ୪ଟି ନିଶା ମାମଲା ରୁଜୁ ହୋଇଥିବା ବେଳେ ୪ ଜଣ ଗିରଫ ହୋଇଛନ୍ତି। ୨୫୦ ଗ୍ରାମ୍‌ ବ୍ରାଉନ୍‌ସୁଗାର୍‌ ଜବତ ହୋଇଥିବା ବେଳେ ୨୦ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି। ବ୍ରାଉନ୍‌ସୁଗାର୍‌ ୨୫ ଲକ୍ଷ ଟଙ୍କାର ଜବତ ହୋଇଥିବା ବେଳେ ଗଞ୍ଜେଇ ୩ ଲକ୍ଷ ୫୦ ହଜାର ଟଙ୍କାର ଜବତ ହୋଇଛି। ବର୍ଷ ଆରମ୍ଭରୁ ୨୮ ଲକ୍ଷ ୫୦ ହଜାର ଟଙ୍କାର ନିଶା ଓ ୭୫ ଲକ୍ଷ ୨୦ ହଜାର ଟଙ୍କା ନିଶା ମାଫିଆ ବୟାଳିଶମୌଜା ଝିଙ୍କିରିଆର ବୁବୁ ଓରଫ ନାରାୟଣ ପତି ଘରୁ ଜବତ ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କଲାଣି।

କେମିତି ଆସୁଛି ନିଶା?
ଦକ୍ଷିଣ ଓଡ଼ିଶାରୁ ଗଞ୍ଜେଇ ବସ୍‌ରେ ଆସି ବାଦାମବାଡ଼ି, ଲିଙ୍କରୋଡ୍ ବିଏସ୍‌ଏନ୍‌ଏଲ୍ ଅଫିସ ନିକଟରେ ଅନଲୋଡ୍‌ ହେଉଛି। ସେଠୁ ବୁବୁ ଭଳି ମାଫିଆମାନେ ବୋସ୍‌ ସ୍କୁଲ ପଡ଼ିଆ, ସିଡିଏ କାଠଯୋଡ଼ିବିହାର, ଡଗରପଡ଼ା, ବିଶିନାବର, ଓଏମ୍‌ପି, ଜଗତପୁର, ମାଛୁଆବଜାର, ଗାନ୍ଧୀପଲ୍ଲୀ ଓ ନେହରୁପଲ୍ଲୀ ବସ୍ତିକୁ ଚାଲାଣ କରୁଛନ୍ତି। ଏହି ଅଞ୍ଚଳଗୁଡ଼ିକରେ ଗଞ୍ଜେଇ ପୁଡ଼ିଆ ଓ ଗଞ୍ଜେଇ ସିଗାରେଟ୍ ଭାବେ ବିକ୍ରି କରାଯାଉଛି। ଆଉ କିଛି ଗଞ୍ଜେଇ କଟକ ମାଫିଆଙ୍କ ମାଧ୍ୟମରେ ବିହାର, ଉତ୍ତରପ୍ରଦେଶ, ପଞ୍ଜାବ, ହରିଆନା ରାଜ୍ୟକୁ ଚାଲାଣ ହେଉଛି। ବ୍ରାଉନ୍‌ସୁଗାର୍‌ ମିଆଁମାର୍‌ରୁ ବାଲେଶ୍ବରରେ ପହଞ୍ଚିବା ପରେ ବାଲେଶ୍ବରରୁ ସିଧା କଟକ ବାଇକ୍‌ରେ ଚାଲାଣ ହେଉଥିବା କୁହାଯାଉଛି। ଏବେ ବିଦେଶୀ ବ୍ରାଉନ୍‌ସୁଗାର୍‌ ମାଫିଆଙ୍କ ପାଇଁ କଟକ ଏକ ବଡ଼ ବଜାର ପାଲଟିବାକୁ ବସିଛି।

ଜଣେ ଅବକାରୀ ଅଧିକାରୀଙ୍କ କହିବା ଅନୁଯାୟୀ, କମର୍ସିଆଲ୍ କ୍ବାଣ୍ଟିଟି ଭାବେ ୨୦ କେଜି ଓଜନର ଗଞ୍ଜେଇକୁ ହିସାବ କରାଯାଉଛି। ଏନ୍‌ଡିପିଏସ୍ ଆକ୍ଟରେ ଏଥିପାଇଁ ୧୦ ବର୍ଷରୁ ଅଧିକ ଦଣ୍ଡବିଧାନ ବ୍ୟବସ୍ଥା ରହିଛି। ସେଥିପାଇଁ ବୁବୁ ଭଳି କଟକ ସହରରେ ଗଞ୍ଜେଇ ମାଫିଆମାନେ ଛୋଟ ଛୋଟ ପୁଡ଼ିଆ କରି ଗଞ୍ଜେଇକୁ କ୍ୟାବିନ୍‌ରେ ଲୁଚାଇ ରଖୁଛନ୍ତି। ସେମାନଙ୍କ ନିକଟରୁ ଏକକାଳୀନ ୨୦ କେଜିରୁ କମ୍‌ ପରିମାଣର ଗଞ୍ଜେଇ ମିଳୁଥିବାରୁ ସହଜରେ ଜାମିନ ମିଳିଯାଉଛି, ଯାହା ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହେଲାଣି। ସେହିଭଳି ବ୍ରାଉନ୍‌ସୁଗାର୍‌ କ୍ଷେତ୍ରରେ ୨୫୦ ଗ୍ରାମକୁ କମର୍ସିଆଲ୍ କ୍ବାଣ୍ଟିଟି ଭାବେ ହିସାବ କରାଯାଉଛି। ମାଫିଆମାନେ ଛୋଟ ପୁଡ଼ିଆରେ ଅଧିକାଂଶ ସମୟ ବ୍ରାଉନ୍‌ସୁଗାର୍‌ ରଖୁଥିବାରୁ ଏହା ବି ସେମାନଙ୍କୁ ଧରିବାରେ ବଡ଼ ଚ୍ୟାଲେଞ୍ଜ ହେଉଛି। ତେବେ କରୋନା ସମୟରେ କଟକରେ ଯେଉଁ ହାରରେ ନିଶା କାରବାର ବଢ଼ିବାରେ ଲାଗିଛି, ଏହା ବାଲେଶ୍ବରକୁ ବି ଟପିବାକୁ ବସିଲାଣି। ମାଫିଆଙ୍କୁ ଏବେଠୁ କାବୁ ନକଲେ ପରିସ୍ଥିତି ଆହୁରି ଭୟଙ୍କର ହେବା ନେଇ ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର