ଭୁବନେଶ୍ବର: ଓଡ଼ିଶା ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ଆଜି କିଛି ଜାତୀୟ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ବିଳମ୍ବରେ ଏକ୍‌ଜିଟ୍‌ ପୋଲ୍‌ (ବୁଥ୍‌ ବାହୁଡ଼ା ମତ) ଆକଳନ କରାଯାଇଛି। ଦୁଇଟି ସଂସ୍ଥା ପକ୍ଷରୁ ଆସିଥିବା ଆକଳନ ଅନୁଯାୟୀ ବିଜେଡିର ସିଟ୍‌ ସଂଖ୍ୟା କମିବ ଏବଂ ବିଜେପିର ସିଟ୍‌ ବଢ଼ିବ। ଇଣ୍ଡିଆ ଟୁଡେ-ଆକ୍ସିସ ମାଇ ଇଣ୍ଡିଆ ପକ୍ଷରୁ କରାଯାଇଥିବା ସର୍ଭେ ଅନୁସାରେ ଉଭୟ ବିଜେଡି ଓ ବିଜେପି ସମାନ ସମାନ ସ୍ଥିତିରେ ରହିପାରନ୍ତି। ବିଜେଡିକୁ ୬୨ରୁ ୮୦ ଆସନ ମିଳିବ। ବିଜେପି ମଧ୍ୟ ୬୨ରୁ ୮୦ ଆସନ ପାଇବ। ଏହି ଆକଳନରେ କଂଗ୍ରେସକୁ ୫ରୁ ୮ଟି ଆସନ ଦିଆଯାଇଛି। ବିଜେଡି ଓ ବିଜେପିର ଭୋଟ୍‌ ପ୍ରତିଶତ ୪୨% ଲେଖାଏଁ ରହିବ। କଂଗ୍ରେସ ୧୨% ଭୋଟ୍‌ ପାଇପାରେ। ‘ଜନ୍‌ କି ବାତ୍‌’ର ଆକଳନରେ ମଧ୍ୟ ବିଜେଡି ଆସନ ସଂଖ୍ୟା କମୁଛି। ଏଥିରେ କୁହାଯାଇଛି ଯେ ବିଜେଡିର ଆସନ ସଂଖ୍ୟା ୮୧ ହେବ। ବିଜେପି ୫୮ରେ ରହିବ। ଏହି ସର୍ଭେ କଂଗ୍ରେସକୁ ୮ଟି ଆସନ ଦେଇଛି।

Advertisment

ସୂଚନାଯୋଗ୍ୟ ଯେ ଗତକାଲି ବିଭିନ୍ନ ଜାତୀୟ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଓଡ଼ିଶାରେ ଲୋକସଭା ଆସନକୁ ନେଇ ବିଭିନ୍ନ ଆକଳନ ଆସିଥିଲା। ସବୁଥିରେ ବି‌ଜେଡିର ଆସନ କମିବ ବୋଲି କୁହାଯାଇଥିଲା। ବିଜେପି ଭଲ ଆସନ ହାତେଇବାର ସମ୍ଭାବନା ଅଧିକ ବୋଲି ସମସ୍ତେ ପୂର୍ବାନୁମାନ କରିଥିଲେ। କିନ୍ତୁ ବିଧାନସଭା ନେଇ କୌଣସି ସଂସ୍ଥ‌‌ା ଆକଳନ କରିନଥିଲେ। ଏହାର ଗୋଟିଏ ଦିନ ପରେ ଆଜି ମାତ୍ର ଦୁଇଟି ସଂସ୍ଥା ପକ୍ଷରୁ ଏକଜିଟ୍ ପୋଲ୍ ଆକଳନ କରାଯାଇଛି। ତେବେ ବିଜେଡି ଉଭୟ ଲୋକସଭା ଓ ବିଧାନସଭାର ଏକଜିଟ୍‌ ପୋଲ୍‌ ତଥ୍ୟକୁ ପୂରାପୂରି ଅଗ୍ରାହ୍ୟ କରିଦେଇଛି। ଦଳର ରାଜ୍ୟସଭା ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ଆମେ ୧୨ ଲୋକସଭା ଆସନରେ ନିଶ୍ଚିତ ଜିତିବୁ। ବିଧାନସଭାରେ ତିନି ଚତୁର୍ଥାଂଶ ଆସନ ପାଇ ବିଜେଡି ପୁଣି ଥରେ ଶାସନ କରିବ। ୧୧୦ରୁ ଅଧିକ ଆସନ ବିଜେଡି ପାଇବ।

ପୂର୍ବ ନିର୍ବାଚନଗୁଡ଼ିକରେ ଓଡ଼ିଶାରେ ସବୁ ଏକ୍‌ଜିଟ୍‌ ପୋଲ୍‌ ଭୁଲ୍‌ ପ୍ରମାଣିତ ହୋଇଛି। ଏଥର ବି ତାହା ଭୁଲ୍‌ ପ୍ରମାଣିତ ହେବ। ସେହିପରି ଦଳର ମୁଖପାତ୍ର ସ୍ବୟଂପ୍ରକାଶ ମହାପାତ୍ର ଏକ ଟ୍ବିଟ୍‌ କରି କହିଛନ୍ତି, ୨୦୧୯ ନିର୍ବାଚନ ବେଳେ ଏସି ରୁମ୍‌ରେ ବସି ଜାତୀୟ ସଂସ୍ଥା କରିଥିବା ଏକ୍‌ଜିଟ୍‌ ପୋଲ୍‌ କେତେ ସତ ହେଲା, ତାହା ସମସ୍ତେ ଜାଣିଛନ୍ତି। ୨୦୨୪ରେ ବି ତାହାର ପୁନରାବୃତ୍ତି ହେବ।