କଟକ: ଏଣିକି ଛାତ୍ରଛାତ୍ରୀଙ୍କୁ ନେବାଆଣିବା କରୁଥିବା ସ୍କୁଲ୍ ବସ୍ଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିଲେ ଫସିବେ। ଖିଲାପୀ ବସ୍ର ଫିଟନେସ୍ ସାର୍ଟିଫିକେଟ୍ ଓ ଡ୍ରାଇଭର୍ଙ୍କ ଲାଇସେନ୍ସ ବାତିଲ୍ କରାଯିବ। ଏମିତିକି ଏଥିପାଇଁ ୫ ହଜାର ଟଙ୍କା ଲେଖାଏଁ ଜରିମାନା ମଧ୍ୟ ଲଗାଯିବାକୁ ପରିବହନ କମିସନର୍ ସମସ୍ତ ଆର୍ଟିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁଯାୟୀ, ସ୍କୁଲ ବସଗୁଡ଼ିକ ଅଗ୍ନି ନିରାପତ୍ତା ନିୟମ ପାଳନକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ପରିବହନ କମିସନର୍ଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। କେନ୍ଦ୍ରୀୟ ମୋଟର ଯାନ ନିୟମ (ସିଏମ୍ଭିଆର୍) ୧୯୮୯ର ଧାରା ୧୨୫ସି ଅନୁଯାୟୀ ସମସ୍ତ ସ୍କୁଲ୍ ବସରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ପାଳନ କରିବାକୁ ବାଧ୍ୟ। ସ୍କୁଲ୍ ବସ୍ରେ ଫାୟାର୍ ଡିଟେକ୍ସନ୍ ଆଲାର୍ମ ସିଷ୍ଟମ୍(ଏଫ୍ଡିଏଏସ୍), ଫାୟାର ଡିଟେକ୍ସନ୍ ସପ୍ରେସନ୍ ସିଷ୍ଟମ୍(ଏଫ୍ଡିଏସ୍ଏସ୍) ଏବଂ ଫାୟାର୍ ଆଲାର୍ମ ପ୍ରୋଟେକ୍ସନ୍ ସିଷ୍ଟମ୍(ଏଫ୍ଏପିଏସ୍) ବ୍ୟବସ୍ଥା ଗ୍ରହଣ କରିବାକୁ ସମସ୍ତ ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ ସହ ଅନୁବନ୍ଧିତ ହୋଇ ଛାତ୍ରଛାତ୍ରୀଙ୍କୁ ପରିବହନ କରୁଥିବା ବସ୍ ମାଲିକମାନେ ଏକ ପ୍ରକାର ବାଧ୍ୟ। ଏ ପ୍ରକାର ଯନ୍ତ୍ରାଂଶ ବସ୍ରେ ଲାଗୁଥିବା ଅଗ୍ନିକାଣ୍ଡ ରୋକିବା ଓ ମୁକାବିଲା କରିବା କ୍ଷେତ୍ରରେ ସହାୟକ ହୋଇପାରିବ।
କେନ୍ଦ୍ରୀୟ ମୋଟର ଯାନ ଆଇନ ୧୯୮୯ର ନିୟମ ୧୨୫ ସି ଅନୁଯାୟୀ, ସମସ୍ତ ସ୍କୁଲ୍ ବସ୍ରେ ଏଆଇଏସ୍ ୧୩୫ ଆଧାରରେ ଏହି ଅଗ୍ନି ନିରାପତ୍ତା ବ୍ୟବସ୍ଥାଗୁଡ଼ିକ ପାଳନ କରାଯିବା ଉଚିତ। ଏଭଳି କଟକଣା ଠିକ୍ ଭାବେ ପାଳନ ହେଉଥିବା ନେଇ ସୁନିଶ୍ଚିତ କରିବାକୁ ସମସ୍ତ ଜୋନ୍ ଉପ ପରିବହନ ଆୟୁକ୍ତ, ଆଞ୍ଚଳିକ ପରିବହନ ଅଧିକାରୀ ଏବଂ ମୋଟର ଯାନ ନିରୀକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନିୟମିତ ଭାବେ ଏହାର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କୌଣସି ସ୍କୁଲ୍ ବସ୍ ଏହାର ଉଲ୍ଲଂଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବହନ କମିସନର୍ ଅମିତାଭ ଠାକୁର ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ସ୍କୁଲ୍ ବସ୍ରେ ଚଳାଚଳ କରୁଥିବା ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରତି କୌଣସି ପରିସ୍ଥିତିରେ ଅବହେଳା କରା ନଯିବାକୁ କମିସନର୍ ତାଗିଦ କରିଛନ୍ତି। ଏଭଳି ଖିଲାପୀଙ୍କ ପ୍ରତି ଶୂନ୍ୟ ସହନଶୀଳ ନୀତି ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଶ୍ରୀ ଠାକୁରଙ୍କ କହିବା ଅନୁଯାୟୀ, ଯେଉଁ ସ୍କୁଲ୍ ବସ୍ଗୁଡ଼ିକ ନିୟମ ଖିଲାପ କରିବେ ସେମାନଙ୍କ ଗାଡ଼ିର ଫିଟନେସ୍, ଲାଇସେନ୍ସ ବାତିଲ ସହିତ ୫ ହଜାର ଟଙ୍କା ଜରିମାନା ଆଦାୟ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/school-bus.jpg)