ଅସ୍ତ୍ରୋପଚାର ପରେ ନଷ୍ଟ ହେଲା ଆଖି; ମହିଳା ହରାଇଲେ ଜୀବିକା, କ୍ଷତିପୂରଣ ଦାବି

କଲମପୁର : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ୍‌ର କିଛି ଲୋକ ଲେପ୍ରା ସୋସାଇଟିର ନେତ୍ର ଚିକିତ୍ସାଳୟରେ ଅସ୍ତ୍ରୋପଚାର କରାଇ ଦୃଷ୍ଟିଶକ୍ତି ହରାଇଥିବା ସୂଚନା ମିଳିଛି। କିଛି ମାସ ତଳେ ଜୁନାଗଡ଼ରେ ଥିବା ଲେପ୍ରା ସୋସାଇଟିର କିଛି କର୍ମଚାରୀ ଘର ଘର ବୁଲି ଚକ୍ଷୁ ସମ୍ବନ୍ଧୀୟ ସମସ୍ୟା ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିଥିଲେ। ସେମାଙ୍କର ଚିକିତ୍ସା ମୁକ୍ତରେ କରାଯିବ ବୋଲି କହିଥିଲେ। ଏହାପରେ କଲମପୁର ବ୍ଲକ୍‌ରୁ ଅନେକ ଚକ୍ଷୁ ରୋଗୀ ଚିକିତ୍ସା ପାଇଁ ଜାନୁଆରି ୨୦ ତାରିଖରେ ସୋସାଇଟି ଆଣିଥିବା ଏକ ଗାଡ଼ିରେ ଯାଇଥିଲେ। ସେ ମଧ୍ୟରୁ ସ୍ଥାନୀୟ ମଣ୍ଡଳ ଗ୍ରାମର ଶୁକ ନାଏକ (୫୮ବର୍ଷ) ତାଙ୍କ ଡାହାଣ ଆଖିର ଅସ୍ତ୍ରୋପଚାର କରାଇଥିଲେ। ଅସ୍ତ୍ରୋପଚାର ଦିନରୁ ସେହି ଆଖି ସମ୍ପୂର୍ଣ୍ଣ ଲାଲ୍‌ ପଡ଼ି ଯାଇଥିଲା। ପରେ ପରିସ୍ଥିତି ଜଟିଳ ହେବାରୁ ରୋଗୀ ଜଣକ ଭବାନୀପାଟଣା ବାଲାଜୀ ନେତ୍ରାଳୟରେ ଗତ ଶନିବାର ଆଖି ପରୀକ୍ଷା କରାଇଥିଲେ। ଆଖିଟି ନଷ୍ଟ ହୋଇଯାଇଥିବା ସେଠିକାର ଡାକ୍ତର ସୂଚନା ଦେଇଥିବା ରୋଗୀ ଜଣକ ପ୍ରକାଶ କରିଛନ୍ତି। ଅନ୍ୟପଟେ ଅସ୍ତ୍ରୋପଚାର କରିଥିବା ଡା. ଅଗ୍ନିହୋତ୍ରୀଙ୍କୁ ଭେଟିବା ପରେ ଇନ୍‌ଫେକ୍ସନ୍‌ ପାଇଁ ଏଭଳି ହୋଇଥିବା କହିଥିଲେ।

ମିଳିଥିବା ସୂଚନାନୁସାରେ ମହିଳା ଜଣକ ଫେନ୍‌ସି ସାମଗ୍ରୀ ଧରି ଗାଁ ଗାଁ ବୁଲି ଛୋଟ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିଲେ। ଏବେ ଦୃଷ୍ଟି ଶକ୍ତି ହରାଇବା ପରେ ନିଜ ଜୀବିକା ହରାଇ ବସିଛନ୍ତି। ଏଥିପାଇଁ ତାଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ସେହିପରି ଉକ୍ତ ଗ୍ରାମର ଯାଦବ ନାଏକ (୫୬) ମଧ୍ୟ ସେହି ଚିକିତ୍ସାଳୟରେ ଅସ୍ତ୍ରୋପଚାର କଲାପରେ ଆଖିକୁ ଠିକ୍‌ ଭାବେ ଦେଖାଯାଉନଥିବା ଅଭିଯୋଗ ଆଣିଛନ୍ତି। ଧର୍ମଗଡ଼ ବ୍ଲକ୍‌ରୁ ମଧ୍ୟ ଜଣେ ବୃଦ୍ଧ ଏଭଳି ଅଭିଯୋଗ କରିଥିବା ସୂଚନା ମିଳିଛି। ଡାକ୍ତର ଅଗ୍ନିହୋତ୍ରୀଙ୍କୁ ଏ ବିଷୟରେ ପଚାରିବାରୁ ତାଙ୍କର ଇନ୍‌ଫେକ୍ସନ ରହିଥିଲା, ସେଥିପାଇଁ ସେମିତି ହୋଇଛି। ସେ ପରିବାର ସହ ମୁଁ କଥା ହେବି ଓ ସେକଥା ମୁଁ ବୁଝିବି ବୋଲି କହିଥିଲେ।

ସମ୍ବନ୍ଧିତ ଖବର