କରଞ୍ଜିଆ ଗୋଲେଇ/ସିଙ୍ଗଡ଼ା : ଶିମିଳିପାଳ ଅଭୟାରଣ୍ୟର ଜେନାବିଲ ବନାଞ୍ଚଳରେ ଏକ ଦନ୍ତାହାତୀକୁ ମାରି ପୋଡ଼ିଦେବା ଘଟଣା ଭିନ୍ନମୋଡ଼ ନେଇଛି। ଏହି ଘଟଣାର ପ୍ରତ୍ୟକ୍ଷଦର୍ଶୀ କୁହାଯାଉଥିବା ତୁରାମ ପୂର୍ତ୍ତି (୨୦) ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତୁରାମ ବନବିଭାଗ ଅଧୀନରେ ଦିନ ମଜୁରିଆ (ଟିପିଏ) ଭାବେ କାମ କରୁଛନ୍ତି।

Advertisment

ତୁରାମ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟା ଅନୁସାରେ, ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ତଦନ୍ତ କରିବା ବେଳେ ଏ ସମ୍ପର୍କରେ କାହାକୁ କିଛି ନକହିବାକୁ ବନ ବିଭାଗର କିଛି କର୍ମଚାରୀ ତାଙ୍କୁ ଧମକ ଦେଇଥିଲେ। ତାଙ୍କର ଫଟୋ ମଧ୍ୟ ଉଠାଇଥିଲେ। ଏଥିରେ ଭୟଭୀତ ହୋଇ ଗତକାଲି ସେ ଆତ୍ମହତ୍ୟା ଉଦ୍ୟମ କରିଥିବା କୁହାଯାଉଛି। ତାଙ୍କୁ ପ୍ରଥମେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଏହି ଘଟଣାରେ ଯଶିପୁର ବିଧାୟକ ଗଣେଶ ରାମସିଂ ଖୁଣ୍ଟିଆ ମଧ୍ୟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ହାତୀମୃତ୍ୟୁ ମାମଲାରେ ବନ ବିଭାଗ ଅଧିକାରୀଙ୍କ ସିଧାସଳଖ ସମ୍ପୃକ୍ତି ରହିଥିବାରୁ ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ କରିବାକୁ ସେ ଦାବି କରିଛନ୍ତି।