ନୟାଗଡ଼ରେ ପୁଣି ଏସଟିଏଫର ଚଢାଉ: ଚିତାବାଘ ଛାଲ ଓ ହାତୀ ଦାନ୍ତ ଜବତ, ୨ଗିରଫ

ନୟାଗଡ଼: ବନ୍ୟଜନ୍ତୁ କାରବାର ନେଇ ନୟାଗଡ଼ ଜିଲ୍ଲାରେ ପୁଣି ଏସଟିଏଫ ଚଢାଉ କରିଛି। ନୟାଗଡ଼ ଜିଲ୍ଲାର ଶକ୍ତିପୀଠ ନିକଟରେ ଥିବା ଗଣିଆ-ଚାମୁଣ୍ଡିଆ ରୋଡରେ ଚଢ଼ାଉ କରି ଏସଟିଏଫ ଚିତାବାଘ ଛାଲ ଓ ହାତୀ ଦାନ୍ତ ଜବତ କରିଛି। ଏହା ସହ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗଣିଆରେ ଥିବା ମା’ କଳପାଟ ଠାକୁରାଣୀଙ୍କ ମନ୍ଦିର ନିକଟରେ ଅଭିଯୁକ୍ତମାନେ କାରବାର ଚଳାଇଥିବା ବେଳେ ଏସଟିଏଫ ଚଢ଼ାଉ କରି ଚିତାବାଘ ଛାଲ, ହାତୀ ଦାନ୍ତ ଓ ଶିକାର ପାଇଁ ବ୍ୟବହାର ହୋଇଥିବା ଅସ୍ତ୍ରଶସ୍ତ୍ର ଜବତ କରିଥିବା ଜଣାପଡ଼ିଛି। ଗିରଫ ଦୁଇ ଅଭିଯୁକ୍ତମାନେ ହେଲେ ଗଣିଆ ଥାନା ବେଠିଆ ସାହିର ବିମ୍ବାଧର ତରାଇ ଓ କଟକ ଜିଲ୍ଲା ନରସିଂହପୁର ଥାନା ଚକରଗଡ଼ାର ରମେଶ ପ୍ରତିହାରୀ। ପୂର୍ବରୁ ରଣପୁର, ଦଶପଲ୍ଲା ଅଞ୍ଚଳରୁ ବାଘ ଛାଲ ବେପାରୀ ଗିରଫ ହୋଇଥିବା ବେଳେ, ଏଥର ଗଣିଆ ବ୍ଲକରୁ ଏଭଳି କାରବାର ଧରାପଡ଼ିଛି।

ଗିରଫ ପରେ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ବନ୍ୟ ଜୀବନ (ସୁରକ୍ଷା) ଅଧିନିୟମ, ୧୯୭୨ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଗତ ଏକ ବର୍ଷ ମଧ୍ୟରେ ବନ୍ୟଜନ୍ତୁ ଅପରାଧୀଙ୍କ ବିରୋଧରେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। ଏସଟିଏଫ୍ ୧୩ଟି ଚିତାବାଘ ଛାଲ, ୯ଟି ହାତୀ ଦାନ୍ତ, ୦୨ ହରିଣ ଚର୍ମ ଜବତ କରିଛି। ଏହା ସହ  ୨୭ବନ୍ୟଜନ୍ତୁ ଅପରାଧୀଙ୍କୁ ଗିରଫ କରାଯାଇଛି। । ବନ୍ୟ ଜୀବନ ଅପରାଧୀଙ୍କ ବିରୋଧରେ ମୋଟ ୧୫ଟି ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର