ଭୁବନେଶ୍ବର: ରାଜ୍ୟ ସରକାର ୫-ଟି ଯୋଜନା ଆରମ୍ଭ କରି ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ବେଳେ ବିରୋଧୀ ଏହାକୁ କେବଳ ସୋ’ବାଜି କହୁଛନ୍ତି। ଉଭୟ ବିଜେପି ଓ କଂଗ୍ରେସ ଆଜି ୫-ଟିକୁ ସମାଲୋଚନା କରିଥିବା ବେଳେ ବିଜେଡି କହିଛି ଯେ ୫-ଟି ସମ୍ପର୍କରେ ଯେଉଁମାନେ ଅଜ୍ଞ, ସେମାନେ ଏହାକୁ ନାପସନ୍ଦ କରୁଛନ୍ତି। ଆଜି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ୫-ଟି ସମ୍ପର୍କରେ କହିଛନ୍ତି ଯେ ଆଇଏଏସ୍ ପ୍ରଶିକ୍ଷଣ ସମୟରେ ୫-ଟି (ଟ୍ରାନ୍ସପରେନ୍ସି, ଟିମ୍ ୱାର୍କ, ଟେକ୍ନୋଲୋଜି, ଟ୍ରାନ୍ସଫରମେସନ୍ ଏବଂ ଟାଇମ୍) ପାଠ ପଢ଼ା ଯାଉଥିଲା। ରାଜ୍ୟ ସରକାର ଲାଗୁ କରିଥିବା ୫-ଟି ଅଭିନବ ପଦକ୍ଷେପ ନୁହେଁ। ଏହା ପୁରୁଣା କଥା, କିଛି ନୂତନତ୍ବ ନାହିଁ।
ବିଜେଡି ୨୦ବର୍ଷ ଧରି ରାଜ୍ୟରେ ଶାସନ କରୁଥିବା ବେଳେ ହଠାତ୍ ଏବେ କାହିଁକି ୫-ଟି ଅଣାଗଲା? ଏହି ୫-ଟି ୨୦ବର୍ଷ ଧରି ଲାଗୁ ହୋଇନଥିଲା କି? ସରକାରୀ ବ୍ୟବସ୍ଥାରେ ୫-ଟି ଲାଗୁ କରାଯାଇନଥିଲା କି? ରାଜ୍ୟ ସରକାର ୫-ଟିକୁ ଅଲଗା ବିଭାଗ କରି ଜଣଙ୍କୁ ଦାୟିତ୍ବ ଦେଇ ବିଭାଗୀୟ ମନ୍ତ୍ରୀ ଓ ସଚିବମାନଙ୍କୁ ଦୁର୍ବଳ କରିଛନ୍ତି କି? ଗୃହ ବିଭାଗ ଓ ସ୍ବାସ୍ଥ୍ୟ ବିଭାଗ ପରି ଅନେକ ବିଭାଗର ସଚିବ ଏବଂ ମନ୍ତ୍ରୀଙ୍କ ପାରିବାପଣିଆ ଓ ଯୋଗ୍ୟତା ଉପରେ ରାଜ୍ୟ ସରକାର ପ୍ରଶ୍ନ ଉଠାଉଛନ୍ତି କି? ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି। ଅପରାଜିତା ସରକାରଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ ୫-ଟି ପାଇଁ ଅଲଗା ବିଭାଗ କରିବା ପରିବର୍ତ୍ତେ ବିଭିନ୍ନ ବିଭାଗର ସଚିବ ଏବଂ ମନ୍ତ୍ରୀମାନଙ୍କୁ ସଶକ୍ତ ଓ ସକ୍ଷମ କରାଯାଉ।
ଅପରାଜିତାଙ୍କର ୫-ଟିକୁ କଟାକ୍ଷ ପରେ ତାଙ୍କ ବିରୋଧରେ ସାଂସଦ ପ୍ରାର୍ଥୀ ହୋଇଥିବା ଅରୂପ ପଟ୍ଟନାୟକ କହିଛନ୍ତି ଯେ ମୁଁ ତ ଆଇଏଏସ୍/ଆଇପିଏସ୍ ଟ୍ରେନିଂ ବେଳେ ଯାହା ହୁଏ ସବୁ ଜାଣିଛି। ସେଠାରେ ଆମେ ଲେଫ୍ଟ-ରାଇଟ୍ ଶିଖୁ। ଲୋକଙ୍କୁ କେମିତି ହ୍ୟାଣ୍ଡେଲ କରାଯିବ, ଟ୍ରେନିଂ ଦିଆଯାଏ ନାହିଁ। ସେହିପରି ଆଇଏଏସ୍/ଆଇପିଏସ୍ ଟ୍ରେନିଂରେ ଲୋକଙ୍କ ସହ କିପରି ବସିବେ, କେମିତି ମିଶିବେ, ଏଗୁଡ଼ିକ ଶିଖା ଯାଏ ନାହିଁ। ସେ ଭଦ୍ର ମହିଳା ଟ୍ରେନିଂରେ ୫ଟି ଶିଖିଥିବେ। ମୁଁ କିନ୍ତୁ ଟ୍ରେନିଂରେ କେବଳ ପରେଡ୍ ଶିଖିଛି। ସେ ଯେବେ ମୁଖ୍ୟମନ୍ତ୍ରୀ ହେବେ, ୫-ଟି ବାତିଲ କରିଦେବେ। ସେହିପରି କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ଯେ ଏଇଟା ୫-ଟି ନା ଚା’। କ୍ୟାପିଟାଲ ହସପିଟାଲରେ କୁଆଡ଼େ ଗଲା ୫-ଟି? ଏଠାରେ ରୋଗୀ ତଳେ ପଡ଼ିଛନ୍ତି, ବେଡ୍ର ବ୍ୟବସ୍ଥା ନାହିଁ। ଶ୍ରୀ ରାଉତରାୟ କହିଛନ୍ତି ଯେ ଆଗ ରାଜଧାନୀର ଅବସ୍ଥା ଦେଖ ଏବଂ ଚିକିତ୍ସା ଓ ବେଡ୍ର ବ୍ୟବସ୍ଥା କର। ଏଠାରେ ମନ୍ତ୍ରୀଙ୍କ ମର୍ଯ୍ୟାଦାହାନି ହେଉଛି। ଭୋଟ୍ ପ୍ରଚାରରେ ମନ୍ତ୍ରୀ ଥିବା ବେଳେ ସିଡିଏମ୍ଓ ନିଲମ୍ବିତ ଓ ପୁଣି ଗଣତିରେ ଥିବା ବେଳେ ସିଡିଏମ୍ଓ ଜଏନ୍ କରୁଛନ୍ତି। ଏ କି ପାଗଳାମି ଶାସନ। ଏଠି ଅଫିସରଙ୍କ ଜରିଆରେ ସବୁ ହେଉଛି।
ବିରୋଧୀଙ୍କ କଟାକ୍ଷ ପରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ ଓଡ଼ିଶା ସରକାର କାର୍ଯ୍ୟକାରୀ କରୁଥିବା ଲୋକକୈନ୍ଦ୍ରିକ ଯୋଜନା ୫-ଟି ସଂକ୍ରାନ୍ତରେ ଅପରାଜିତା ଷଡ଼ଙ୍ଗୀ ସଂପୂର୍ଣ୍ଣ ଅଜ୍ଞ। ଏହି ଯୋଜନା ସଂକ୍ରାନ୍ତରେ ତାଙ୍କର ଧାରଣା ଥିଲେ ସେ ଏହାକୁ ବିରୋଧ କରିନଥାନ୍ତେ। ସରକାରରେ ସ୍ବଚ୍ଛତା ଆଣିବା ସହିତ ଲୋକଙ୍କ ନିକଟରେ ସରକାରୀ ସେବାଗୁଡ଼ିକୁ ପହଞ୍ଚାଇବା ଲାଗି ୫-ଟି କାର୍ଯ୍ୟକାରୀ ହେଉଛି। ଏହା ଏକ ବିଭାଗ ନୁହେଁ। ଏହା ସମସ୍ତ ବିଭାଗର ସାମୁହିକ ପ୍ରଦର୍ଶନ। ଲୋକକୈନ୍ଦ୍ରିକ ଯୋଜନାଗୁଡ଼ିକ ଉପରେ ଗୁରୁତ୍ବ ଦେବା ସହ ଏହାର ଲକ୍ଷ୍ୟ ହାସଲ ପାଇଁ ୫-ଟି ମାଧ୍ୟମରେ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଆଶ୍ଚର୍ଯ୍ୟର କଥା, ସାଂସଦ ଏହାକୁ ଏକ ପୁରୁଣା କାର୍ଯ୍ୟକ୍ରମ ବୋଲି କହୁଛନ୍ତି। ଯଦି ଏହା ସତ ତେବେ କେଉଁ ବିଜେପି ଶାସିତ ରାଜ୍ୟରେ କେବେଠାରୁ ଏହା କାର୍ଯ୍ୟକାରୀ ହେଉଛି, ତାହା ସାଂସଦ କୁହନ୍ତୁ। ସାଂସଦ ଅପରାଜିତା ଷଡ଼ଙ୍ଗୀ ପୂର୍ବରୁ ଜଣେ ପ୍ରଶାସିକା ଥିଲେ, ତାଙ୍କ କାର୍ଯ୍ୟକାଳ ମଧ୍ୟରେ କେଉଁ ବିଭାଗରେ ସେ ୫-ଟି କାର୍ଯ୍ୟକାରୀ କରିଥିଲେ ଏବଂ କାହିଁକି ଏ ସଂକ୍ରାନ୍ତରେ ପୂର୍ବରୁ ଉଲ୍ଲେଖ କରୁନଥିଲେ? ରାଜନୀତି କରିବା ପାଇଁ ସାଂସଦ ଷଡ଼ଙ୍ଗୀ ଯେଉଁଭଳି ପ୍ରାଶାସନିକ କାର୍ଯ୍ୟରେ ରାଜନୀତି ପୂରାଉଛନ୍ତି, ତାହା ୫-ଟି ଭଳି ଗୋଟିଏ ଭଲ ଯୋଜନାକୁ ବାଟବଣା କରିବାକୁ ଉଦ୍ଦିଷ୍ଟ।