ଜଗନ୍ନାଥଙ୍କ ଜମିକୁ ନେଇ ମୁହାଁମୁହିଁ

ଶ୍ରୀଜଗନ୍ନାଥଙ୍କ ଜମି ବିକି ମହାପାପ କରିଛନ୍ତି ରାଜ୍ୟ ସରକାର : ବିଜେପି
ଭୁଲ୍‌ ତଥ୍ୟ ଦେଇ ରାଜ୍ୟବାସୀଙ୍କ ମତିଭ୍ରମ କରିବାକୁ ଅପଚେଷ୍ଟା : ବିଜେଡି

ଭୁବନେଶ୍ୱର : ଶ୍ରୀ ଜଗନ୍ନାଥଙ୍କ ୩୫ ହଜାର ଏକ ଜମି ବିକ୍ରିକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ ହୋଇଛନ୍ତି। ଶ୍ରୀଜଗନ୍ନାଥଙ୍କ ଜମି ବିକି ରାଜ୍ୟ ସରକାର ମହାପାପ କରିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଏହାର ଜବାବରେ ବିଜେଡି କହିଛି, ଭୁଲ୍‌ ତଥ୍ୟ ଦେଇ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରିବାକୁ ବିଜେପି ଅପଚେଷ୍ଟା କରୁଛି।

ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ ମାର୍ଚ୍ଚ ୧୬ ତାରିଖ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ବିଧାନସଭା ପ୍ରଶ୍ନର ଉତ୍ତରରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ମହାପ୍ରଭୁ ଜଗନ୍ନାଥଙ୍କ ମୂଲ୍ୟବାନ ଜମି ରାଜ୍ୟ ସରକାର ବିକ୍ରି କରିବାର ପ୍ରକ୍ରିୟାରେ ଅଛନ୍ତି ବୋଲି କହିଛନ୍ତି । ରାଜ୍ୟ ଭିତରେ ୨୪ ଟି ଜିଲ୍ଲାରେ ଥିବା ୬୦,୪୨୬.୯୪୩ ଏକର ଜମି ଚିହ୍ନଟ ହୋଇଛି ଏବଂ ୩୪,୮୭୬.୯୮୩ ଏକର ଜମି ବିକ୍ରି କରିବା ପାଇଁ ଯୋଜନା ଚାଲିଛି। ମହାପ୍ରଭୁ ଜଗନ୍ନାଥ ଓଡ଼ିଆ ଜାତିର ପ୍ରାଣକେନ୍ଦ୍ର। ଜଗନ୍ନାଥଙ୍କର ରୀତି ନୀତି ଓ ସମ୍ପତ୍ତି ସହ ବିଭ୍ରାଟ ହେଲେ ହିନ୍ଦୁ ସମାଜ ଓ ଓଡିଆ ଜାତି କେବେ ବି ଏହା ଗ୍ରହଣ କରିବ ନାହିଁ । ପୂର୍ବରୁ ରାଜ୍ୟ ସରକାର ଅନେକ ସମୟରେ ମହାପ୍ରଭୃଙ୍କ ମର୍ଯ୍ୟାଦା କ୍ଷୁଣ୍ଣ କରିଛନ୍ତି। ଓଡ଼ିଶାରେ କିଛି ଅଣଓଡ଼ିଆ ମୃଷ୍ଟିମେୟଙ୍କ ହାତରେ ଶାସନ ଚାଲିଛି। ଜଗନ୍ନାଥ ମନ୍ଦିର ପରିଚାଳନା ମଧ୍ୟ ଅଣଓଡ଼ିଆଙ୍କ ହାତରେ ରହିଛି। ମୁଖ୍ୟମନ୍ତ୍ରୀ ଓଡ଼ିଆ ନ ବୁଝିପାରୁଥିବା ହେତୁ ମହାପ୍ରଭୁ ଜଗନ୍ନାଥଙ୍କ ସମ୍ପତ୍ତି ବିକ୍ରି ହେବାକୁ ବସିଛି। ରାଜ୍ୟ ସରକାର ୩୫ ହଜାର ଏକର ଜମି ବିକିବା ପାଇଁ ନେଇଥିବା ପଦକ୍ଷେପରୁ ନିବୃତ ନ ରହିଲେ ଆଗାମୀ ଦିନରେ ବିଜେପି ରାଜରାସ୍ତାରେ ଆନ୍ଦୋଳନ କରିବା ସହ ଆଇନଗତ ପଦକ୍ଷପ ଗ୍ରହଣ କରିବ ବୋଲି ଶ୍ରୀମତୀ ସାମନ୍ତସିଂହାର ଚେତାବନୀ ଦେଇଛନ୍ତି।

ଏହାର ଜବାବ ଦେଇ ବିଜେଡି ମୁଖପାତ୍ର ଇପ୍ସିତା ସାହୁ କହିଛନ୍ତି ଯେ ଲେଖାଶ୍ରୀ ବାରମ୍ବାର ଜଗନ୍ନାଥ ସଂସ୍କୃତିକୁ ନେଇ ଏପରି ଭିତ୍ତିହୀନ ମନ୍ତବ୍ୟ ଓ ଚତୁର୍ଦ୍ଧା ମୂର୍ତ୍ତିକୁ ଅପମାନ କଲା ପରି କୁତ୍ସିତ ମନ୍ତବ୍ୟ ଦେଇ ଆସୁଛନ୍ତି। ଯଦି ସେ ଏସବୁ ପିପିଲି ଉପନିର୍ବାଚନରେ ନିର୍ବାଚନୀ ଟିକେଟ୍‌ ଆଶାରେ କହୁଥା’ନ୍ତି, ତାହେଲେ ସେ ଜାଣି ରଖିବା ଉଚିତ ଯେ ପିପିଲିର ଜନତା କେବେ ବି ଶ୍ରୀଜଗନ୍ନାଥଙ୍କ ଅପମାନ ଗ୍ରହଣ କରିବେ ନାହିଁ। ୨୦୦୧ରୁ ୨୦୧୦ ଭିତରେ ୨୯୧ ଏକର ଜମି ଦିଆଯାଇଥିଲା। ସେହି ସମୟରେ ବିଜେପି ନେତା ବିଶ୍ବଭୂଷଣ ହରିଚନ୍ଦନ ଆଇନ ମନ୍ତ୍ରୀ ଥିଲେ। ଘରୋଇ ମାଲିକାନାରେ ଥିବା ମହାପ୍ରଭୁଙ୍କ ଜମି ୨୦୦୩ ନୀତି ଅନୁସାରେ ସମାଧାନ ହେବ। ସର୍ବସାଧାରଣଙ୍କ ସୁବିଧା ପାଇଁ ସ୍କୁଲ୍‌, କଲେଜ ଓ ହସ୍ପିଟାଲ ନିମନ୍ତେ ଜମି ବ୍ୟବସ୍ଥା କରାଯାଇଛି। ଲେଖାଶ୍ରୀ ଯେତେ ବିକୃତ ତଥ୍ୟ ଦେଲେ ବି ପିପିଲିରେ ବିଜେପିର ଟିକେଟ ‌େ‌କବେ ହେଲେ ତାଙ୍କୁ ମିଳିବ ନାହିଁ। ମହାପ୍ରଭୁଙ୍କ ପାଖରେ ସେ କ୍ଷମା ପ୍ରାର୍ଥନା କରିବା ସହ ମିଛ ତଥ୍ୟ ପାଇଁ ଅନୁତାପ କରିବାକୁ ସୁଶ୍ରୀ ସାହୁ ପରାମର୍ଶ ଦେଇଛନ୍ତି।

ଶ୍ରୀ ଜଗନ୍ନାଥଙ୍କ ଜମି ବିକ୍ରି ଚର୍ଚ୍ଚା ମିଥ୍ୟା: ମୁଖ୍ୟ ପ୍ରଶାସକ
ପୁରୀ : ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ୩୫ ହଜାର ଏକର ଜମି ବିକ୍ରି ନେଇ ଯେଉଁ ଚର୍ଚ୍ଚା ହେଉଛି, ତାହା ସଂପୂର୍ଣ୍ଣ ମିଥ୍ୟା ଓ କପୋଳକଳ୍ପିତ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍‌ କୁମାର। ଏକ ପ୍ରେସ୍‌ ବିବୃତ୍ତିରେ ଡ. କୁମାର କହିଛନ୍ତି, ୩୫ ହଜାର ଏକର ଜମି ବିକ୍ରିରେ କୌଣସି ସତ୍ୟତା ନାହିଁ।

ମହାପ୍ରଭୁଙ୍କ ଯେଉଁ ଜମି ବହୁ ବର୍ଷ ଧରି ଲୋକଙ୍କ ଦଖଲରେ ରହିଛି, ‌ୟୁନିଫର୍ମ ପଲିସି ଆଧାରରେ ଶ୍ରୀମନ୍ଦିର ପରିଚାଳନା କମିଟି ସେସବୁର ସମାଧାନ କରୁଛି। ପ୍ରକୃତ ହିତାଧିକାରୀଙ୍କୁ ଜମି ଦେବାରେ ସ୍ବଚ୍ଛତା ଓ ସମାନତା ଆଣିବା ୟୁନିଫର୍ମ ପଲିସିର ମୂଳ ଲକ୍ଷ୍ୟ। ୨୦୦୧ ମସିହାରୁ ୨୦୧୦ ମସିହା ମଧ୍ୟରେ ୨୯୧ ଏକର ଜମିର ବେବନ୍ଦୋବସ୍ତ କରାଯାଇଛି। ସେହିଭଳି ୨୦୧୧ରୁ ୨୦୨୧ ମଧ୍ୟରେ ୯୬ ଏକର ଜମିର କିଣାବିକା କରାଯାଇଛି।

ଏହି ଜମି ସବୁ ଲୋକଙ୍କ ସେବା ପାଇଁ ଉତ୍ସର୍ଗ କରାଯାଇଛି। ଯେଉଁଠାରେ ଏବେ ବିଦ୍ୟାଳୟ, ମେଡିକାଲ୍‌ କଲେଜ ଓ ରୋଡ୍‌ ଆଦି ହୋଇଛି। କେଉଁ ଜମି କାହାକୁ ମିଳିବ, ଶ୍ରୀମନ୍ଦିର ପରିଚାଳନା କମିଟି ଏ ସମ୍ପର୍କରେ ନିଷ୍ପତ୍ତି ନେଉଛି। ଏଭଳି ମିଥ୍ୟା ଖବରରେ ବିଭ୍ରାନ୍ତିକର ‌ନ‌ ହେବାକୁ ସେ ଓଡ଼ିଶା ଓ ବାହାରେ ରହୁଥିବା ଅଗଣିତ ଭକ୍ତଙ୍କୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର