ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ମୁର୍ହାମୁହିଁ; ପ୍ରକଳ୍ପ କାର୍ଯ୍ୟ ଆଇନ୍‌ର ପରିସର ମଧ୍ୟରେ ହେଉଛି: ପିନାକୀ

ସରକାର କଳାପାହାଡ଼ିଆ ମାନସିକତା ତ୍ୟାଗ କରନ୍ତୁ: ସମ୍ବିତ

ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଉପରେ ହାଇକୋର୍ଟ ରହିତାଦେଶ ଦେଇନାହାନ୍ତି। ବରଂ ଏଏସ୍ଆଇ ସହିତ ସମନ୍ୱୟ ରଖି ରାଜ୍ୟ ସରକାର ନିର୍ମାଣ କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି। ହାଇକୋର୍ଟ ଏହା ସ୍ପଷ୍ଟ କଲା ପରେ ବିରୋଧୀମାନେ କେଉଁ ଆଧାରରେ ଏବଂ କେଉଁ କ୍ଷମତା ବଳରେ କାମ ବନ୍ଦ ରଖିବା ଉଚିତ ବୋଲି କହୁଛନ୍ତି ? ପରିକ୍ରମା ପ୍ରକଳ୍ପ ସମ୍ପର୍କରେ ଏଏସ୍ଆଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିବା ପରେ ଆଜି ପ୍ରକଳ୍ପ ବିରୋଧୀଙ୍କୁ ଏଭଳି ପ୍ରଶ୍ନ କରିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର।

ଗଣମାଧ୍ୟମରେ ଶ୍ରୀ ମିଶ୍ର କହିଛନ୍ତି ଯେ ରାଜ୍ୟ ସରକାର ଯାହା କାମ କରୁଛନ୍ତି ଆଇନ୍‌ର ପରିସରରେ ରହି କରୁଛନ୍ତି । ଶୌଚାଳୟ, ଡ୍ରେନ୍ ଏବଂ ବୈଦ୍ୟୁତିକ ନିର୍ମାଣ ଆମ୍‌ସାର ଆଇନ୍ ପରିସରରେ ଆସୁନାହିଁ, ତେଣୁ ଏହିସବୁ କାମ କରାଯାଇପାରିବ ବୋଲି ନିଜେ ଏଏସ୍ଆଇ ତାଙ୍କ ସତ୍ୟପାଠରେ କହିଛନ୍ତି। ଏହାଛଡ଼ା ଏନ୍‌ଏମ୍ଏ ବା ଜାତୀୟ ସ୍ମାରକୀ ପ୍ରାଧୀକରଣ ଆମକୁ ଏଥିପାଇଁ ୪ ସେପ୍ଟେମ୍ବର ୨୦୨୧ରେ ଏନ୍‌ଓସି ଦେଇଛନ୍ତି ବୋଲି ଆଡ୍‌ଭୋକେଟ୍ ଜେନେରାଲ ହାଇକୋର୍ଟରେ କହିଛନ୍ତି। ଏଏସ୍ଆଇ ନିଜର ସତ୍ୟପାଠରେ ଉଲ୍ଲେଖ କରିଥିବା କେତେକ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଭିନ୍ନ ମତ ରହିଛି ବୋଲି ଆଡ୍‌ଭୋକେଟ୍ ଜେନେରାଲ ହାଇକୋର୍ଟଙ୍କୁ ଜଣାଇଛନ୍ତି । ସେଥିପାଇଁ ହାଇକୋର୍ଟ ମଧ୍ୟ ରାଜ୍ୟ ସରକାରଙ୍କୁ ଜବାବୀ ସତ୍ୟପାଠ ଦାଖଲ କରିବାକୁ ସମୟ ଦେଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆବେଦନକାରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଉପରେ ରହିତାଦେଶ ଦିଆଯାଉ ବୋଲି ବାରମ୍ବାର ନିବେଦନ କରିଥିଲେ । ମାତ୍ର ହାଇକୋର୍ଟ ଏହା ଉପରେ ରହିତାଦେଶ ଦେବାକୁ ସ୍ପଷ୍ଟ ଭାବେ ମନା କରିଦେଇଛନ୍ତି । ବରଂ ରାଜ୍ୟ ସରକାର ଓ ଏଏସ୍ଆଇ ପରସ୍ପର ଭିତରେ ସମନ୍ୱୟ ରଖି କାମ ଜାରି ରଖିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ ଏଭଳି ନିର୍ଦ୍ଦେଶ ଦେବା ପରେ ପ୍ରକଳ୍ପ କାମ ବନ୍ଦ କରିବାକୁ କାହାର ସତ୍‌ସାହସ ହେଉଛି ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି ।

ଶ୍ରୀ ମିଶ୍ର ଆହୁରି କହିଛନ୍ତି ଯେ ପୁରୀର ଲୋକ ଏହି ପରିକ୍ରମା ପ୍ରକଳ୍ପ କାମ ହେବା ପାଇଁ ଚାହୁଁଛନ୍ତି। ପ୍ରତିଦିନ ମହାପ୍ରଭୁଙ୍କ ଦର୍ଶନ ଲାଗି ଆସୁଥିବା ଲକ୍ଷ ଲକ୍ଷ ଭକ୍ତ, ଶ୍ରଦ୍ଧାଳୁ ଶୌଚାଳୟ ଓ ଅନ୍ୟାନ୍ୟ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହି ସ୍ପର୍ଶକାତର ସମସ୍ୟାକୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର ଉପଲବ୍ଧି କଲା ପରେ ଲୋକଙ୍କ ସୁବିଧା ଲାଗି ଏନ୍‌ଏମ୍ଏର ଏନ୍‌ଓସି ନେଇ ଶୌଚାଳୟ ଆଦି ନିର୍ମାଣ କରୁଛନ୍ତି। ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ନାମ ନ ନେଇ ଶ୍ରୀ ମିଶ୍ର ତାଙ୍କୁ କଟାକ୍ଷ କରି କହିଛନ୍ତି, ଯେଉଁମାନେ ପାର୍ଲାମେଣ୍ଟ ଯିବାକୁ ଚାହୁଁଛନ୍ତି ସେମାନେ ପ୍ରଥମେ ଆଇନ୍‌ର ଜ୍ଞାନ ହାସଲ କରନ୍ତୁ।

ଏନ୍‌ଏମ୍ଏର ଏନ୍‌ଓସି ଅନୁଯାୟୀ ସମସ୍ତ କାର୍ଯ୍ୟ ହେଉଛି
ବିରୋଧ କରିବା ପୂର୍ବରୁ ପ୍ରଥମେ ଆଇନ୍‌ର ଜ୍ଞାନ ହାସଲ କରନ୍ତୁ

କୀର୍ତ୍ତିରାଜି ଧ୍ବଂସ କରାଯିବା ବଡ଼ ପାପ, ଏଇଥି ପାଇଁ ହୃଦୟ କାନ୍ଦୁଛି
ଶ୍ରୀମନ୍ଦିରକୁ ବଞ୍ଚାନ୍ତୁ, ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ: ଜୟନ୍ତ

ନୂଆଦିଲ୍ଲୀ/ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଏଏସ୍‌ଆଇ) ପକ୍ଷରୁ ଓଡ଼ିଶା ହାଇକୋର୍ଟରେ ଦାଖଲ କରାଯାଇଥିବା ସତ୍ୟପାଠକୁ ନେଇ ଆଜି ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର। ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବିତ କହିଛନ୍ତି ଯେ ଗତକାଲି ଓଡ଼ିଶା ହାଇକୋର୍ଟ ଶ୍ରୀମନ୍ଦିର ପରିକ୍ରମା ପ୍ରସଙ୍ଗ ତଥ୍ୟ ଉପରେ ଯେଉଁ ମନ୍ତବ୍ୟ ରଖିଥିଲେ ତାହା ଅତ୍ୟନ୍ତ ଚିନ୍ତାଜନକ। ପ୍ରତ୍ୟେକ ସ୍ବାଭିମାନୀ ଓଡ଼ିଆ ଆଜି ଏହି ପ୍ରସଙ୍ଗକୁ ନେଇ ଚିନ୍ତାରେ ଅଛନ୍ତି ଓ ସତ୍ୟ କ’ଣ ଜାଣିବାକୁ ଚାହୁଛନ୍ତି । ଜଣେ ବିଜେପି ନେତା ନୁହନ୍ତି ବରଂ ଜଣେ ଭକ୍ତ ଭାବେ ସେ ଆଜି ତାଙ୍କର ମନର ବେଦନା ପରିପ୍ରକାଶ କରୁଛନ୍ତି।

ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରି ସମ୍ବିତ କହିଲେ ଯେ ହାଇକୋର୍ଟରେ ଦାଖଲ ରିପୋର୍ଟ ଦେଖିଲେ ଧୈର୍ଯ୍ୟଚ୍ୟୁତ ଘଟୁଛି। ଯେଉଁ କାର୍ଯ୍ୟ ଚାଲିଛି ଆଇନ ଅନୁସାରେ ଅନୁମତି ନଥିଲା। ବିନା ଅନୁମତିରେ ରାଜ୍ୟ ସରକାର ନିର୍ମାଣ କାର୍ଯ୍ୟ କରୁଛନ୍ତି। ଏହା ବେଆଇନ। ଦାଖଲ କରାଯାଇଥିବା ରିପୋର୍ଟରେ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର୍‌) ବଦଳାଯାଇଥିବା ଉଲ୍ଲେଖ ଅଛି। ଯଦି ନିର୍ମାଣରେ ସନ୍ଦେହ ନଥିଲା ତାହାହେଲେ ଅନେକଥର କାହିଁକି ଡିପିଆର୍‌ ବଦଳାଯାଇଥିଲା। ଯଦି ସରକାରଙ୍କ ଉଦ୍ଦେଶ୍ୟ ମହତ ଥିଲା ତାହା ‌ହେଲେ ଡିପିଆର୍‌ କ‌ାହିଁକି ପରିବର୍ତ୍ତନ କରାଯାଉଥିଲା। ରାଜ୍ୟ ସରକାର ଆଇନସମ୍ମତ କାର୍ଯ୍ୟ କରିନାହାନ୍ତି। ୧୦୦ ମିଟର ନିଷିଦ୍ଧାଞ୍ଚଳରେ କୌଣସି ନିର୍ମାଣ ହୋଇପାରିବ ନାହିଁ। ୨୦୦ ମିଟର ରେଗୁଲେଟେଡ୍‌ ଏରିଆରେ ଅନୁମତି ନେଇ ନିର୍ମାଣ କରିହେବ। ରିସେପସନ କାଉଣ୍ଟର ନିଷିଦ୍ଧାଞ୍ଚଳରୁ ରେଗୁଲେଟେଡ୍‌ ଏରିଆରୁ ସ୍ଥାନାନ୍ତର କରାଯାଇଥିବାରୁ ସ୍ପଷ୍ଟ ହେଉଛି ଯେ ଏହା ନିଷିଦ୍ଧାଞ୍ଚଳରେ ଥିଲା। ପୁରାତନ କୀର୍ତ୍ତିରାଜିକୁ ସଂରକ୍ଷଣ କରାଯିବା ବଦଳରେ ଧ୍ବଂସ କରାଯାଉଛି ବୋଲି ସମ୍ବିତ ଅଭିଯୋଗ କରିଥିଲେ।

ସେ କହିଲେ ଯେ ନିର୍ମାଣ ସମୟରେ ଐତିହ୍ୟ କୀର୍ତ୍ତିରାଜି ନଷ୍ଟ ହୋଇଥିବା ହାଇକୋର୍ଟ ଉପଲବ୍ଧି କରିଛନ୍ତି। ପୁରାତନ କୀର୍ତ୍ତିରାଜିକୁ ଧ୍ବଂସ କରିବାରେ ଦାୟୀ କିଏ ? ରାଜ୍ୟ ସରକାରଙ୍କୁ ଏହି ପ୍ରସଙ୍ଗରେ ଜବାବ ଦେବାକୁ ପଡ଼ିବ। ଲିଙ୍ଗରାଜ ମନ୍ଦିର ପାର୍ଶ୍ବରେ ନିର୍ମାଣକୁ କିଭଳି ପ୍ରତିବାଦ ପରେ ଅଟକାଇ ଦିଆଯାଇଥିଲା ସେ ନେଇ ସ୍ମରଣ କରାଇ ଦେଇଥିଲେ। ଓଡ଼ିଶା ସରକାରଙ୍କ କଳାପାହାଡ଼ିଆ ମାନସିକତାକୁ ପରିତ୍ୟାଗ କରନ୍ତୁ। ନିଜ ଭୁଲକୁ ରାଜ୍ୟ ସରକାର ହୃଦୟଙ୍ଗମ କରୁନ୍ତୁ। ନିଜର ଅହଂକାର ପରିତ୍ୟାଗ କରନ୍ତୁ। ମହାନ ଐତିହ୍ୟର ପ୍ରତ୍ନତାତ୍ତ୍ବିକ ଅବଶିଷ୍ଟାଂଶକୁ ଓଡ଼ିଶା ସରକାର ଯଦି ନଷ୍ଟ କରିଦିଅନ୍ତି ତାହା ହେଲେ ଭବିଷ୍ୟତ କ୍ଷମା ଦେବ ନାହିଁ। କୀର୍ତ୍ତିରାଜି ଧ୍ବଂସ କରାଯିବା ବଡ଼ ପାପ। ଏଇଥି ପାଇଁ ଆଜି ତାଙ୍କର ହୃଦୟ କାନ୍ଦୁଛି ବୋଲି ସମ୍ବିତ କହିଥିଲେ। ପ୍ରକଳ୍ପ କାମ କିମ୍ବା ସୌନ୍ଦର୍ଯ୍ୟୀକରଣ ପାଇଁ ସରକାର ଆଇନର ପରିଧି ଭିତରେ ରହି କାମ କରିବା ଆବଶ୍ୟକ ବୋଲି ସେ କହିଥିଲେ।

ସାମ୍ବାଦିକ ସମ୍ମିଳନୀରେ ସମ୍ବିତ ଶ୍ରୀମନ୍ଦିର ପ୍ରକଳ୍ପକୁ ନେଇ ବିଜେଡି ସାଂସଦ ପିନାକୀ ମିଶ୍ର ଲୋକସଭାରେ ଦେଇଥିବା ମନ୍ତବ୍ୟକୁ ମଧ୍ୟ ନାପସନ୍ଦ କରିଥିଲେ। ସମ୍ବିତ କହିଥିଲେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ କେବଳ ଚାରିଟି ଶୌଚାଳୟ ନିର୍ମାଣ ହେଉଥିବା କଥା ସାଂସଦ କହିଥିଲେ। ସେ ସଂସଦରେ ମିଛ କହିଥିବାରୁ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ସମ୍ବିତ ଦାବି କରିଥିଲେ। ସେହିଭଳି, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ପ୍ରତ୍ନତତ୍ତ୍ବ ବିଭାଗ ଯଦି ଅନୁମତି ଦେଇନି, ତେବେ କାମ ବନ୍ଦ ହେଉ ବୋଲି ଦାବି କରିଛନ୍ତି। ଏଥିସହିତ, ଶ୍ରୀମନ୍ଦିରକୁ ସୁରକ୍ଷା ଦିଆଯାଉ ଏବଂ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ବୋଲି କହିଛନ୍ତି।

 

ସମ୍ବନ୍ଧିତ ଖବର