ଚାଷୀ ପ୍ରସଙ୍ଗକୁ ନେଇ ମୁହାଁମୁହିଁ: ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କୁ କହିଲେ, ଜବାବ ଦେଲେ ବବି

ସୋସିଆଲ ମିଡିଆରେ ବିଜେଡି-ବିଜେପି ରାଜନୀତି

ଭୁବନେଶ୍ବର : ଗୋଟିଏ ଦିନରେ ପିଏମ୍ କିଷାନ ଓ କାଳିଆ ସହାୟତା ଚାଷୀଙ୍କୁ ମିଳିଛି। ଏଥିସହିତ ଚାଷୀ କାହାର ଅଧିକ ନିଜର, ସେ ନେଇ ନେଇ ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି। ଉଲ୍ଲେଖନୀୟ କଥା ହେଲା, ଏଥର ଦଳର କୌଣସି ତଳସ୍ତରର ନେତା ନୁହେଁ, ବରଂ ପୂର୍ବାହ୍ଣରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପିଏମ୍ କିଷାନ୍ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଯେଉଁ ତେରଚ୍ଛା ବାଣ ମାରିଥିଲେ, ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ବିଜେଡିର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ (ବବି) ଦାସ ଆଗକୁ ଆସି ଏହାର ପାଲଟା ଜବାବ ଦେଇଛନ୍ତି।

ଧର୍ମେନ୍ଦ୍ର କ୍ରମାଗତ ଭାବେ ୬ଟି ଟ୍ବିଟ୍ କରି ଏକ ଲମ୍ବା ବାର୍ତ୍ତାରେ ସୂଚାଇଥିଲେ ଯେ କେନ୍ଦ୍ର ସରକାର ଅନ୍ନଦାତାଙ୍କ ସହିତ ଅଛନ୍ତି। ହେଲେ ପିଏମ୍‌-କିଷାନ ଯୋଜନାରେ ପଞ୍ଜୀକୃତ ହୋଇଥିବା ରାଜ୍ୟର ସମସ୍ତ ଚାଷୀ ଯେପରି ଏହାର ସମ୍ପୂର୍ଣ୍ଣ ଲାଭ ପାଇପାରିବେ, ସେଥିପାଇଁ ରାଜ୍ୟ ସରକାର ପଦକ୍ଷେପ ନେବା ଦରକାର। ଏକ ତୁଳନାତ୍ମକ ଚିତ୍ର ଜରିଆରେ ଦେଖାଇବାକୁ ଚାହିଁଥିଲେ ଯେ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବାରୁ କିଛି ଅଧିକ ଚାଷୀଙ୍କୁ ଏଥର ଏହି ଯୋଜନାର ଲାଭ ମିଳିଛି। କେନ୍ଦ୍ରମନ୍ତ୍ରୀଙ୍କର ଏହି ଟ୍ବିଟ୍ କିନ୍ତୁ ରାଜନୈତିକ ଝଡ଼ ପାଇଁ ଯଥେଷ୍ଟ ଥିଲା। ଟ୍ବିଟ୍‌ରେ ଜବାବ ଦେଇଛନ୍ତି ବବି ଦାସ। ଶ୍ରୀ ଦାସ କହିଛନ୍ତି, ‘‘ଭାଇ ଧର୍ମେନ୍ଦ୍ର ପ୍ରଧାନ, ଭଲ କଥା କହିଲେ। ଓଡ଼ିଶାର କାଳିଆ ଯୋଜନାରେ ଭୂମିହୀନ ଓ ଭାଗଚାଷୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। କାଳିଆ ଭଳି ପିଏମ୍-କିଷାନରେ ମଧ୍ୟ ଏହି ଭୂମିହୀନ ଗରିବ ପରିବାରଙ୍କୁ ଅନ୍ତର୍ଭୁକ୍ତ କରାନ୍ତୁ। ସମସ୍ତେ ଉପକୃତ ହେବେ।’’

ବବିଙ୍କ ଏହି ଟ୍ବିଟ୍ ପରେ ଉଭୟ ଦଳର ସମର୍ଥକମାନେ ମୁହାଁମୁହିଁ ହୋଇଛନ୍ତି। କିଛି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି, ଆଉ କିଛି ବିଜେଡିକୁ।

ରାଜନୈତିକ ପର୍ଯ୍ୟବେକ୍ଷକ କିନ୍ତୁ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି ଏହି ଟ୍ବିଟ୍‌କୁ। ସେମାନଙ୍କ ମତରେ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜେପି ଯେତେ ଟ୍ବିଟ୍ କରି ସମାଲୋଚନା କଲେ ବି ନା ବିଜେଡି ଏହାର ଜବାବ ଦେଉଥିଲା ନା ଦଳର କୌଣସି ନେତା ସାମ୍ନାକୁ ଆସୁଥିଲେ। ହେଲେ ଗତବର୍ଷ ବିଜେପି ତୃଣମୂଳସ୍ତରରେ ସୋସିଆଲ ମିଡ଼ିଆକୁ ଅଧିକ ପ୍ରଭାବୀ କରି ରାଜ୍ୟ ସରକାରଙ୍କୁ ଘେରିବାକୁ ନିଷ୍ପତ୍ତି ନେଲା ପରେ ବିଜେଡି ତା’ର ସୋସିଆଲ ମିଡ଼ିଆ ଵିଙ୍ଗ୍‌କୁ ସଶକ୍ତ କରିଥିବା ଦେଖାଯାଉଛି। ବିଜେପିର ଅନ୍ୟ ଯେଉଁ ନେତା ପ୍ରତିକ୍ରିୟା ଦେଉଛନ୍ତି, ଦଳର ମୁଖପାତ୍ରମାନେ ତାଙ୍କୁ ଜବାବ ଦେଉଛନ୍ତି। ହେଲେ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଯେବେ ଟାର୍ଗେଟ କରୁଛନ୍ତି, ଶ୍ରୀ ଦାସ ସାମ୍ନାକୁ ଆସି ଧର୍ମେନ୍ଦ୍ରଙ୍କୁ ଖୋଲା ସମାଲୋଚନା କରୁଛନ୍ତି।

ସୂଚନାଯୋଗ୍ୟ ଯେ ମହିଳା ସଂରକ୍ଷଣ ପ୍ରସଙ୍ଗ ନେଇ ବିଜେଡି-ବିଜେପି ମଧ୍ୟରେ ବାକ୍‌ଯୁଦ୍ଧ ବେଳେ ପ୍ରଥମେ ଶ୍ରୀ ଦାସ ଟ୍ବିଟ୍‌ କରି କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରି କଡ଼ା ସମାଲୋଚନା କରିଥିଲେ। ସେହିଭଳି ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ସଂପର୍କରେ ଧର୍ମେନ୍ଦ୍ରଙ୍କ କଟାକ୍ଷ ଉପରେ ମଧ୍ୟ ଦାସ ତୀବ୍ର ପ୍ରତିକ୍ରିୟା ରଖିଥିଲେ।

ସମ୍ବନ୍ଧିତ ଖବର