କୋଟିଆରେ ମୁହାଁମୁହିଁ, ଡେରା ପକାଇଛନ୍ତି ଆନ୍ଧ୍ର-ଓଡ଼ିଶାର ମାଳମାଳ ଅଧିକାରୀ

କୋରାପୁଟ: ବିବାଦୀୟ କୋଟିଆ ପଞ୍ଚାୟତରେ ଆନ୍ଧ୍ର ସରକାରଙ୍କ ‘ଜନ୍ମଭୂମି’ କାର୍ଯ୍ୟକ୍ରମ ଓଡ଼ିଶାକୁ ଖୋଲା ଆହ୍ବାନ ଦେଇଛି। ଆଜି କୋଟିଆ ପଂଚାୟତରେ ଉଭୟ ରାଜ୍ୟର ଅଧିକାରୀଙ୍କୁ ଦେଖିବାକୁ ମିଳିଛି। ‌କୋରାପୁଟ ପ୍ରଶାସନ ପକ୍ଷରୁ ଆଜି କୋଟିଆରେ କାଳିଆ ଯୋଜନା ନିମନ୍ତେ ଆବେଦନ ଗ୍ରହଣ କରାଯିବା ସହ ଅନ୍ୟାନ୍ୟ ସହାୟତା ଦିଆଯାଇଛି। କୋଟିଆକୁ ନେଇ ଦୁଇ ରାଜ୍ୟ ଏମିତି ମୁହାଁମୁହିଁ ସ୍ଥିତିକୁ ଚାଲି ଆସିଥିଲା ବେଳେ ବିବାଦୀୟ ଗାଁ ଗୁଡିକରେ ଏବେ ପ୍ରତିଦ୍ବନ୍ଦ୍ବିତାର ରୋଚକ ସ୍ଥିତି ଦେଖା ଦେଇଛି।

ଆନ୍ଧ୍ର ସରକାର ଦ୍ୱାରା ନେରେଡିୱାଲସାରେ ପ୍ରତିଷ୍ଠିତ ବିଦ୍ୟାଳୟରେ ଆଜି ଆୟୋଜିତ ଜନ୍ମଭୂମି କାର୍ଯ୍ୟକ୍ରମରେ ସାଲୁର ତହସିଲଦାର, ବିଡିଓ ଏବଂ ଅନ୍ୟାନ୍ୟ ଅଧିକାରୀ ଯୋଗଦେଇ ଲୋକଙ୍କୁ ଆନ୍ଧ୍ର ସରକାର ଦେଉଥିବା ବିଭିନ୍ନ ସୁବିଧା ସୁଯୋଗ ସମ୍ପର୍କରେ ଅବଗତ କରାଇଥିଲେ। ଗରିବ ଲୋକଙ୍କ ପାଇଁ ଓଡ଼ିଶା ଓ ଆନ୍ଧ୍ର ସରକାର କରିଥିବା ଯୋଜନା ଗୁଡିକ ମଧ୍ୟରେ ଥିବା ପାର୍ଥକ୍ୟ ବିଷୟରେ ଲୋକଙ୍କୁ ବୁଝାଇଥିଲେ। ଜନ୍ମଭୂମି କାର୍ଯ୍ୟକ୍ରମ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବା ସହ ଅଧିକାରୀମାନେ ଭତ୍ତା, ଆବାସଗୃହ ନିମନ୍ତେ ହିତାଧିକାରୀ ଚୟନ କରିବା ସହ ଗର୍ଭବତୀ କିପରି ଅଙ୍ଗନୱାଡି ସୁବିଧା ସୁଯୋଗ ପାଇ ପାରିବେ ସେ ସମ୍ପର୍କରେ ଅବଗତ କରାଇଥିଲେ। ଅପରପକ୍ଷରେ ଆନ୍ଧ୍ରର ଲଗାତାର ଅନୁପ୍ରବେଶ ପରେ କୋରାପୁଟ ଜିଲ୍ଲା ପ୍ରଶାସନ ମଧ୍ୟ କୋଟିଆ ଅଂଚଳରେ କାଳିଆ, ପିଠା ଭଳି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରି ଲୋକଙ୍କ ନିକଟତର ହେବାକୁ ପ୍ରୟାସ ଆରମ୍ଭ କରିଛି। ଗତ କିଛିଦିନ ହେବ କୋରାପୁଟ ଉପଜିଲାପାଳ ଲଳିତ କୁମାର କହଁର, ପଟାଙ୍ଗି ବିଡିଓ କରୁଣାକର ପ୍ରଧାନ, ତହସିଲଦାର ଡ.ଅରୁଣ କୁମାର ଖଣ୍ଡା ପ୍ରମୁଖ ବିଭିନ୍ନ ଲାଇନ ବିଭାଗ ଅଧିକାରୀଙ୍କୁ ନେଇ କୋଟିଆରେ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା କାର୍ଯ୍ୟକାରିତା ଉପରେ ଗୁରୁତ୍ବ ଦେଇଛନ୍ତି। ଆଜି ମଧ୍ୟ କୋଟିଆ ପଂଚାୟତରେ ପ୍ରଶାସନ ତରଫରୁ ସ୍ବାସ୍ଥ୍ୟ ଶିବିର କରାଯିବା ସହ ସଚେତନତା କରାଯାଇଥିଲା। ଦୁଇ ପଡ଼ୋଶୀ ରାଜ୍ୟ କୋଟିଆକୁ ନେଇ ଏମିତି ମୁହାଁମୁହିଁ ସ୍ଥିତିକୁ ଚାଲି ଆସିଥିଲାବେଳେ ଆଗକୁ ନିର୍ବାଚନ ଥିବାରୁ ଏହା ଅଧିକ ଜଟିଳ ପରିସ୍ଥିତି ସୃଷ୍ଟି କରିବା ନେଇ ଆଶଙ୍କା ଦେଖାଦେଇଛି।

ସମ୍ବନ୍ଧିତ ଖବର