ବିଧାନସଭାରେ ମୁହାଁମୁହିଁ

ବାଚସ୍ପତି-ନରସିଂହ
ଗୃହରେ ଅପରାହ୍ନରେ ବାଚସ୍ପତି ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବହୁ ସମୟ ଧରି ମୁହାଁମୁହିଁ ହୋଇଥିଲେ। ଶ୍ରୀ ମିଶ୍ର ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ଗୃହ କମିଟି ଗଠନ ପାଇଁ ଦାବି କରିଥିଲେ। କିନ୍ତୁ ବାଚସ୍ପତି ରାଜି ହୋଇ ନ ଥିଲେ। ଶ୍ରୀ ମିଶ୍ର କହିଲେ, ସରକାରଙ୍କର କୌଣସି ରିପୋର୍ଟରେ ଚାଷୀ ଆତ୍ମହତ୍ୟାକୁ ସ୍ବୀକାର କରାଯାଏନି। ଆପଣ ଏତେ ବର୍ଷ ମନ୍ତ୍ରୀ, ବିଧାୟକ ରହିଲା ପରେ ଏହା କ’ଣ ଜାଣି ନାହାନ୍ତି। ବାଚସ୍ପତି କହିଲେ, ସରକାର ରିପୋର୍ଟ ଏଥର ଦିଅନ୍ତୁ। ଆପଣମାନେ ବ୍ୟସ୍ତ କାହିଁକି ହେଉଛନ୍ତି। ଶ୍ରୀ ମିଶ୍ର ପୁଣି କହିଲେ, ଆମ ପାଖରେ ମ୍ୟାନ୍ ପାୱାର୍ ନାହାନ୍ତି ବୋଲି ଆପଣ କ’ଣ ଆମ ସ୍ବରକୁ ଦବାଇଦେବେ। ଆପଣ ରାଜ୍ୟବାସୀଙ୍କ ସ୍ବାର୍ଥକୁ ସୁରକ୍ଷା ଦିଅନ୍ତୁ। ବାଚସ୍ପତି କହିଲେ, ବିଧାନସଭାରେ ମ୍ୟାନ୍ ପାୱାର୍ କ’ଣ ହେବ? ଏଠି କ’ଣ ଯୁଦ୍ଧ ହେବ? ଏଠି ଆର୍ଗୁ‌ମେଣ୍ଟ୍ ପାୱାର ଦରକାର। ଶ୍ରୀ ମିଶ୍ର କହିଲେ, ପିଲା ନ କାନ୍ଦିଲେ ମା’ କ୍ଷୀର ଦିଏନି ବୋଲି ଯାହା କୁହାଯାଏ ତାହା ସତ। ଏଠି ଦୃଢ଼ ଦାବି ନ କ‌ଲେ କିଛି ହେଉ ନାହିଁ। ବାଚସ୍ପତି କହିଲେ, ଏଠି ପିଲା କେହି ନାହାନ୍ତି କି ମା’ ବି ନାହାନ୍ତି। ତେଣୁ ଆଉ କଥା ନ ବଢ଼ାଇ କଂଗ୍ରେସ ସଭ୍ୟମାନେ ନିଜ ନିଜ ସିଟ୍‌ରେ ବସି ଗୃହ କାର୍ଯ୍ୟରେ ସହଯୋଗ କରନ୍ତୁ। ଶ୍ରୀ ମିଶ୍ର କହିଥିଲେ, ଏଠି ମା’କେହି ନାହାନ୍ତି ସତ। କିନ୍ତୁ ବାଚସ୍ପତି ହେଲେ ଏଠି ଗାର୍ଡିଆନ୍। ସେ ଆମର ଦାବି ପୂରଣ କରନ୍ତୁ। ବାଚସ୍ପତି ପୁଣି କହିଥିଲେ, ନରସିଂହ ବାବୁ ଆପଣ ଜଣେ ବରିଷ୍ଠ ସଭ୍ୟ। ଆପଣ ଆମକୁ ଶିଖାଇବା କଥା। ନିଜେ କ’ଣ ଠିଆ ହୋଇ ରହୁଛନ୍ତି। ଆପଣ ନିଜ ବିଧାୟକମାନଙ୍କ ଦାୟିତ୍ବ ନେଇ ସିଟ୍‌କୁ ଫେରାଇ ନିଅନ୍ତୁ। ଶ୍ରୀ ମିଶ୍ର ବି ଛାଡ଼ି ନ ଥିଲେ। କହିଥିଲେ, ଚାଷୀର ଜୀବନ ଯାଇଛି। ତେଣୁ ଆପଣ ମାନବାଧିକାରର ଦାୟିତ୍ବ ନିଅନ୍ତୁ, ମୁଁ ବିଧାୟକମାନଙ୍କ ଦାୟିତ୍ବ ନେବି। ଏମିତି କଥା କଟାକଟି ଭିତରେ ବାଚସ୍ପତି ଶେଷ ପର୍ଯ୍ୟନ୍ତ ଗୃହ କମିଟି ଗଠନ ପାଇଁ ରାଜି ହେଲେନି। ଫଳରେ କଂଗ୍ରେସ ସଭ୍ୟମାନେ ଅସନ୍ତୋଷ ପ୍ରକାଶ କରି କକ୍ଷତ୍ୟାଗ କରିଥିଲେ।

ବାଚସ୍ପତି-ମୋହନ
ଶୂନ୍ୟକାଳରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଓ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ମୁହାଁମୁହିଁ ହୋଇଥିଲେ। ଶ୍ରୀ ମାଝୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କଥା କହୁଥିଲା ବେଳେ ଅଧିକ ସମୟ ନ କହିବା ପାଇଁ ବାଚସ୍ପତି ତାଙ୍କ କହିଥିଲେ। କିନ୍ତୁ ଶ୍ରୀ ମାଝୀ ଏହାର ପ୍ରତିବାଦ କରିଥିଲେ। ସେ କହିଥିଲେ, ବିରୋଧୀ ଦଳ ନେତାଙ୍କ ପକ୍ଷରୁ ମୁଁ କହୁଛି। ମୋତେ ଅଧିକ ସମୟ ସୁଯୋଗ ମିଳୁ। ଏହା ଏକ ଗୁରୁତ୍ବପୂର୍ଣ୍ଣ ଘଟଣା। କିନ୍ତୁ ବାଚସ୍ପତି କହିଲେ, ଆପଣ ଏତେ ସମୟ କହିଲେ ଅନ୍ୟମାନେ ସମୟ ପାଇବେ କେଉଁଠୁ? ଶ୍ରୀ ମାଝୀ ଏହାର ପ୍ରତିବାଦ କରିଥିଲେ ଓ ବିଜେପିର ଅନ୍ୟ ସଭ୍ୟଙ୍କ ସହ ଗୃହ ମଧ୍ୟ ଭାଗକୁ ଆସି ପ୍ରତିବାଦ କରିଥିଲେ।

ଉପବାଚସ୍ପତି-ତାରା
ଷ୍ଟାଫ୍ ସିଲେକ୍ସନ୍ କମିସନ୍ ଦୁର୍ନୀତି ପ୍ରସଙ୍ଗରେ ଆଲୋଚନା ଚାଲିଥିଲା ବେଳେ ଗୃହରେ ଉପବାଚସ୍ପତି ରଜନୀକାନ୍ତ ସିଂହ ଅଧ୍ୟକ୍ଷତା କରୁଥିଲେ। ତାରା କହୁଥିଲା ବେଳେ ତୁରନ୍ତ ସାରିବା ପାଇଁ ଉପବାଚସ୍ପତି କହିଲେ। ତାରା ପୁଣି କିଛି ସମୟ କହିଲା ପରେ ଉପବାଚସ୍ପତି ତାଙ୍କୁ ଶୀଘ୍ର ସାରିବା ପାଇଁ ଆଉ ଥରେ କହିଲେ। ଏଥିରେ ତାରା ଉତ୍‌କ୍ଷିପ୍ତ ହୋଇପଡ଼ିଲେ। ନିଜେ ଧରିଥିବା ଗୋଟିଏ କାଗଜକୁ ଫାଡ଼ି ଦେଇ ଗୃହ ବାହାରକୁ ଯାଉଥିଲେ। ତେବେ କଂଗ୍ରେସର ଅନ୍ୟ ସଭ୍ୟମାନେ ତାଙ୍କୁ ଅଟକାଇଥିଲେ। ଉପବାଚସ୍ପତି ମଧ୍ୟ ତାଙ୍କୁ କହିବା ପାଇଁ ପୁଣି ସୁଯୋଗ ଦେବା ସହ ସମୟ ଅଭାବରୁ ଶୀଘ୍ର ସାରିବା ପାଇଁ କହିଥିଲେ।

ଅମର-ନରସିଂହ
ଷ୍ଟାଫ୍ ସିଲେକ୍ସନ୍ କମିସନ୍ ଦୁର୍ନୀତି ପ୍ରସଙ୍ଗରେ ମୁଲତବୀ ଆଲୋଚନା ଚାଲିଥିଲା ବେଳେ ଶାସକ ଦଳ ପକ୍ଷରୁ ବରିଷ୍ଠ ସଭ୍ୟ ଅମର ପ୍ରସାଦ ଶତପଥୀ ଆଲୋଚନାରେ ଭାଗ ନେଇଥିଲେ। ଭାଷଣ ପ୍ରସଙ୍ଗରେ ଶ୍ରୀ ଶତପଥୀ କହିଥିଲେ ଯେ ଷ୍ଟାଫ୍ ସିଲେକ୍ସନ୍ କମିସନ୍ ଏକ ଷ୍ଟାଚ୍ୟୁଟାରି ସଂସ୍ଥା। ଏହା ସ୍ବାଧୀନ ସ୍ବୟଂଶାସିତ ସଂସ୍ଥା ଭାବେ କାର୍ଯ୍ୟ କରୁଛି। ଏଥିରେ ସରକାରଙ୍କ ହସ୍ତକ୍ଷେପ ନାହିଁ। ସେ କହିସାରିଲା ପରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହାର ପ୍ରତିବାଦ କରିଥିଲେ। ସେ କହିଥିଲେ ଯେ ‘ଷ୍ଟାଫ୍ ସିଲେକ୍ସନ୍ କମିସନ୍ ଏକ ଷ୍ଟାଚ୍ୟୁଟାରି ସଂସ୍ଥା ନୁହେଁ। ଏହା କୌଣସି ଆକ୍ଟ ଦ୍ବାରା ଗଠନ କରାଯାଇ ନାହିଁ। ୧୯୯୩ ମସିହାରେ ରୁଲ୍‌ସ୍ ଦ୍ବାରା ଗଠନ କରାଯାଇଛି। ସେତେବେଳେ ମୁଁ ଆଇନ ମନ୍ତ୍ରୀ ଥିଲି। ’ ଏହା ପରେ ଶ୍ରୀ ଶତପଥୀ କିଛି କହିବା ପାଇଁ ଉଠୁଥିଲେ ମଧ୍ୟ ଉପବାଚସ୍ପତି ତାଙ୍କୁ ସୁଯୋଗ ଦେଇ ନ ଥିଲେ।

ସମ୍ବନ୍ଧିତ ଖବର