ବଲାଙ୍ଗୀର : ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ନିକଟରେ ହସ୍ପିଟାଲ କୋଠା ନିର୍ମାଣ କାମ ଜାରି ରହିଛି। ହସ୍ପିଟାଲର ମୁଖ୍ୟ ଫାଟକ କାମ ଆରମ୍ଭ ସମୟରେ ଜମି ମାଲିକ ଓ ପ୍ରଶାସନ ମୁହାଁମୁହିଁ ହୋଇଛନ୍ତି।
ଘଟଣାରୁ ଜଣାଯାଏ ଯେ, ହସ୍ପିଟାଲ ମୁଖ୍ୟ ଫାଟକ ନିକଟରେ ଆଲୋକନଗର ପଡ଼ାର ସୁଷମା ତାଣ୍ଡିଙ୍କ ଜମି ଅଛି। ହସ୍ପିଟାଲ ମୁଖ୍ୟ ଫାଟକ ନିର୍ମାଣ ପାଇଁ ୧୩ ହଜାର ବର୍ଗଫୁଟ ଜମି ଦରକାର ପଡ଼ିଥିଲା। ଜମିର ମୂଲ୍ୟ ଅନୁସାରେ ଅନ୍ୟ ଜାଗାରେ ଜମି ଯୋଗାଇ ଦେବାକୁ ପ୍ରଶାସନ ପ୍ରତିଶ୍ରୁତି ଦେବା ପରେ ଜମି ଦେବାକୁ ପୂରା ପରିବାର ରାଜି ହୋଇଥିଲେ। ସହର ଉପକଣ୍ଠ ଡୁଡୁକାଶିରାରେ ପରିବାରକୁ ପ୍ରଶାସନ ପକ୍ଷରୁ ୧୮ ହଜାର ବର୍ଗଫୁଟ ଜମି ଯୋଗାଇ ଦିଆଯାଇଛି। କିନ୍ତୁ ପୌରାଞ୍ଚଳରେ ଥିବା ଜମି ମୂଲ୍ୟ ତୁଳନାରେ ପ୍ରଶାସନ ପଞ୍ଚାୟତ ଅଞ୍ଚଳରେ ଦେଇଥିବା ଜମିର ମୂଲ୍ୟ କମ୍ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି। ଜମିର ମୂଲ୍ୟ ଅନୁସାରେ, ଅଧିକ ଜମି ଦେବାକୁ ଦାବି କରି ହସପିଟାଲ ଫାଟକ କାମକୁ ବନ୍ଦ କରିବାକୁ କହିଥିଲେ।
ଗୁରୁବାର ଜେସିବି ନେଇ ପୁଲିସ ସହ ଉପ ଜିଲ୍ଲାପାଳ ଓ ତହସିଲଦାର ଘଟଣାସ୍ଥଳରେ ପହଞ୍ଚିଥିଲେ। ପରିବାର ଲୋକେ ନିର୍ମାଣ କାମକୁ ବିରୋଧର କରିଥିଲେ। ଦାବି ପୂରଣ ନ ହେବା ଯାଏଁ କାମ ଆରମ୍ଭ କରିବାକୁ ଦେବେ ନାହିଁ ବୋଲି ଜିଦ୍ ଧରିଥିଲେ। ଯାହା ଫଳରେ ପୁଲିସ ପ୍ରଶାସନ ଓ ଜମି ମାଲିକ ମଧ୍ୟରେ କିଛି ସମୟ ପାଇଁ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ପୁନର୍ବାର ମୂଲ୍ୟାୟନ କରାଯିବ ବୋଲି ଉପଜିଲ୍ଲାପାଳ କୁମାର ନାଗଭୂଷଣ କହିଛନ୍ତି।