ହାତୀ ସହ ମୁହାଁମୁହିଁ, ଅଳ୍ପକେ ବର୍ତ୍ତିଲେ ୨ ଶିକ୍ଷକ

ହାଟଡିହି: ସ୍କୁଲ୍‌ ଛୁଟି ହେବା ପରେ ବାଇକ୍‌ରେ ଘରକୁ ଫେରୁଥିବା ବେଳ ରାସ୍ତା​ରେ ହାତୀ ସହ ମୁହାଁମୁହିଁ ହେଲେ ଦୁଇ ଶିକ୍ଷକ। ହାତୀ ଗୋଡ଼ାଇବାରୁ ଜୀବନ ବଞ୍ଚାଇବା ବାଇକ୍‌ ଛାଡ଼ି ଦୌଡ଼ିଥିଲେ। ଜୀବନ ବଞ୍ଚାଇବା ପାଇଁ ଜଙ୍ଗଲ ଭିତରେ ବହୁ ଲୁଚି ରହିବା ପରେ ଘରକୁ ଫେରିଥିଲେ। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ର ଦଲକି-କାଠକଟା ରାସ୍ତାରେ।

ସ୍କୁଲ୍‌ ଛୁଟି ହେବା ପରେ ଗତକାଲି ଅପରାହ୍‌ଣ ସାଢ଼େ ୪ଟା ବେଳେ ହାଟଡିହି ବ୍ଲକ୍‌ ମା’ ବଉଳାଶୁଣୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ତଥା କାଠକଟା ଗ୍ରାମର ଦୁମ୍ବି ବାନସିଂ ଏବଂ ପିତାନାଉର ବସନ୍ତ ନାୟକ ବାଇକ୍‌ ଯୋଗେ ନିଜନିଜ ଘରକୁ ଫେରୁଥିଲେ। ଉଭୟ ଦଲକି-କାଠକଟା ରାସ୍ତାରେ ହଦଗଡ଼ ହାତୀ ଅଭୟାରଣ୍ୟ ମଧ୍ୟ ଦେଇ ଯାଉଥିବା​ ବେଳେ ଜଙ୍ଗଲ ମଧ୍ୟରୁ ହଠାତ୍ ଏକ ହାତୀ ରାସ୍ତା ଉପରକୁ ଉଠି ଆସିଥିଲା। ଦୁମ୍ବି ଓ ବସନ୍ତ ହାତୀକୁ ଦେଖି ବାଇକ୍‌ ଅଟକାଇ ଦେଇଥିଲେ। ହାତୀଟି ସେମାନଙ୍କ ଆଡ଼କୁ ଦୌଡ଼ି ଆସିବାରୁ ଉଭୟ ବାଇକ୍‌ ଫୋପାଡ଼ି ଦୌଡ଼ିଥିଲେ। ହାତୀ କିଛିବାଟ ସେମାନଙ୍କୁ ଗୋଡ଼ାଇବା ପରେ ଫେରିଯାଇ ବାଇକ୍‌ ନିକଟରେ ଜଗି ରହିଥିଲା। ବହୁ ସମୟ ଧରି ଦୁଇ ଶିକ୍ଷକ ଜଙ୍ଗଲ ଭିତରେ ଜୀବନ ବଞ୍ଚାଇବା ପାଇଁ ଲୁଚି ରହିଥିଲେ। ଶେଷରେ ହାତୀ ଜଙ୍ଗଲ ଭିତରକୁ ଯିବା ପରେ ଉଭୟ ବାଇକ୍‌ ନେଇ ଘରକୁ ଫେରିଥିଲେ।

ସମ୍ବନ୍ଧିତ ଖବର