ବାଲେଶ୍ବର: ରାତାରାତି ସମତଳ ଭୂଇଁରେ ସୃଷ୍ଟି ହେଉଛି ବିଶାଳ ପୋଖରୀ। ଏହା କୌଣସି ଯାଦୁ କିମ୍ବା ଅଲୌକିକ ଘଟଣା ନୁହେଁ, ବରଂ ମନୁଷ୍ୟକୃତ ଭାବେ ଘଟିଚାଲିଛି। ବାଲେଶ୍ବର ଜିଲ୍ଲା ସଦର ବ୍ଲକ୍ ଓ ରେମୁଣା ଅଞ୍ଚଳରେ ପୁଲିସ ପ୍ରଶାସନର ନିଷ୍କ୍ରିୟତା ଯୋଗୁ ମାଟିମାଫିଆଙ୍କ ଉତ୍ପାତ ଅସହ୍ୟ ହୋଇଛି। ଯାହାଫଳରେ ଅଞ୍ଚଳବାସୀ ସେମାନଙ୍କ ମୂଲ୍ୟବାନ ଜାଗା ତଥା ଜମି ହରାଉଛନ୍ତି। ଏଭଳି ପରିସ୍ଥିତିରେ ଗତକାଲି ବିଳମ୍ବିତ ରାତିରେ ରେମୁଣା ଥାନା ଆରମଳା ଗ୍ରାମକୁ ମାଟିମାଫିଆ ଟ୍ରକ୍ ଓ ଜେସିବି ମେସିନ୍ ଧରି ଯାଇଥିବା ବେଳେ ଶତାଧିକ ଗ୍ରାମବାସୀ ସେମାନଙ୍କୁ ବିରୋଧ କରିଥିଲେ।
୨ ଡମ୍ପର ହେଲପର୍ଙ୍କୁ ଅଟକ ରଖିଲେ
ପାଣିରୁ ଜେସିବି ଡ୍ରାଇଭରଙ୍କ ଶବ ଉଦ୍ଧାର
ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହେବାରୁ ମାଟିମାଫିଆ ସେଠାରୁ ଚମ୍ପଟ ମାରିଥିଲେ। ହେଲେ, ୨ ଡମ୍ପର ହେଲ୍ପର୍ ସ୍ଥାନୀୟ ଗ୍ରାମବାସୀଙ୍କ ହାତରେ ଧରାପଡ଼ିଥିବା ବେଳେ ସେମାନଙ୍କୁ ଗାଁରେ ଅଟକ ରଖାଯାଇଥିଲା। ଜଣେ ଜେସିବି ଡ୍ରାଇଭର ଖସି ପଳାଇବାକୁ ଚେଷ୍ଟାକରି ବିଲରେ ଥିବା ଏକ ପୋଖରୀକୁ ଡିଆଁ ମାରିଥିଲେ। ଆଜି ସକାଳେ ସେଠାରୁ ତାଙ୍କ ମୃତଦେହ ଉଦ୍ଧାର ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତ ଡ୍ରାଇଭର ହେଲେ ବିହାର ରାଜ୍ୟର ମନୋଜ ଯାଦବ(୪୦)। ରେମୁଣାଗୋଲେଇ ଜାନୁଗଞ୍ଜ ଅଞ୍ଚଳରେ ରହି ସେ ଜେସିବି ମେସିନ୍ର ଡ୍ରାଇଭର ଭାବେ କାମ କରିଆସୁଥିଲେ। ରେମୁଣା ଥାନା ଆଇଆଇସି ସୁବାସ ଚନ୍ଦ୍ର ମଲ୍ଲିକ ଓ ନୀଳଗିରି ଏସ୍ଡିପିଓ ସରୋଜ ଉପାଧ୍ୟାୟ ଘଟଣାସ୍ଥଳକୁ ଯାଇ ପ୍ରାଥମିକ ତଦନ୍ତ କରିଥିଲେ। ତେବେ, ମୃତଦେହକୁ ବ୍ୟବଚ୍ଛେଦ ପାଇଁ ନ ପଠାଇ ତାଙ୍କ ପରିବାର ଲୋକ ଆସିବା ପର୍ଯ୍ୟନ୍ତ ସୁରକ୍ଷିତ ରଖାଯାଇଥିବା ଜଣାଇଛନ୍ତି।
ଆରମଳା ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ସ୍ଥାନୀୟ ଅଞ୍ଚଳରେ ବହୁଦିନ ହେଲା ମାଟିମାଫିଆ ମାତିଛନ୍ତି। ରାତି ପାହିଲେ ଲୋକଙ୍କ ମୂଲ୍ୟବାନ ଜମିର ଚିହ୍ନବର୍ଣ୍ଣ ରଖୁନାହାନ୍ତି। ସବୁଆଡ଼ୁ ମାଟି ତାଡ଼ିନେଲେଣି। ମାଫିଆଙ୍କ ପାଇଁ ଏହି ଅଞ୍ଚଳରେ ଏବେ ଏକରଏକର ଚାଷଜମି ପୋଖରୀର ରୂପ ନେଇଛି। ଏନେଇ ରେମୁଣା ତହସିଲ ଓ ପୁଲିସକୁ ଅଭିଯୋଗ କରିକରି ଗ୍ରାମବାସୀ ଥକିଗଲେଣି। ପୁଲିସ ପ୍ରଶାସନର କୌଣସି କାର୍ଯ୍ୟାନୁଷ୍ଠାନ ନଥିବାରୁ ମାଫିଆଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଥିବା ସେମାନେ କହିଛନ୍ତି। ଅନ୍ୟପକ୍ଷରେ, ରାତିରେ ପାଣିକୁ ଡିଆଁ ମାରିଥିବା ଜେସିବି ଡ୍ରାଇଭରଙ୍କ ମୃତ୍ୟୁ ଦୁର୍ଘଟଣା କାରଣରୁ ନା ହତ୍ୟା କରି ତାଙ୍କୁ ଫିଙ୍ଗି ଦିଆଯାଇଛି? ଏହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/12/01/HC70dWIAuWXyShtQklq6.jpg)