ବାଲିଘାଟକୁ ନେଇ ମୁହାଁମୁହିଁ

ଯାଜପୁର/ପାଣିକୋଇଲି: ବାଲିଘାଟକୁ କେନ୍ଦ୍ର କରି ଜିଲ୍ଲାରେ ଦିନକୁ ଦିନ ଆଇନଶୃଙ୍ଖଳା ଭୁଶୁଡ଼ିବାରେ ଲାଗିଛି। ବାଲିଘାଟ ପରିଚାଳନାରେ ବ୍ୟାପକ ଅନିୟମିତା ସହିତ ଶହଶହ ଭାରୀଯାନରେ ଓଭରଲୋଡ୍‌ ଓଦାବାଲି ପରିବହନ ହେଉଛି। ଏହାଦ୍ବାରା ନଦୀବନ୍ଧ ଓ ଗାଁ ରାସ୍ତା ଭାଙ୍ଗିରୁଜି ମରଣଯନ୍ତାରେ ପରିଣତ ହେଲାଣି। ଏହାକୁ ନେଇ ପାଣିକୋଇଲି ଥାନା ଅନ୍ତର୍ଗତ ବୈତରଣୀ ଧନତ୍ରୀ ବାଲିଘାଟକୁ ନେଇ ସପକ୍ଷବାଦୀ ଓ ବିରୋଧୀ ଆଜି ମୁହାଁମୁହିଁ ହୋଇଥିଲେ। ପୁଲିସ ଠିକ ସମୟରେ ପହଞ୍ଚି ଗୋଷ୍ଠୀସଂଘର୍ଷକୁ ଏଡ଼ାଇବାରେ ସକ୍ଷମ ହୋଇଥିଲା। ମାତ୍ର ରାଜସ୍ବ ଆଦାୟ ଆଳରେ ପ୍ରଶାସନ ଏଭଳି ଜନସ୍ବାର୍ଥ ବିରୋଧୀ କାର୍ଯ୍ୟକୁ ସମର୍ଥନ ଦେଉଥିବାରୁ ଲୋକମାନେ ଉତ୍ତେଜିତ ହେବା ସହିତ ଆଇନ୍‌କୁ ହାତକୁ ନେବାକୁ ବାଧ୍ୟ ହୋଇଛନ୍ତି ବୋଲି ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି।

ପାଣିକୋଇଲି ଥାନା ବୈତରଣୀ ନଦୀ ଧନତ୍ରୀ ବାଲିଘାଟରେ  ଦେଖିବାକୁ ମିଳିଛି। ଏହି ବାଲିଘାଟରୁ ଶହ ଶହ ହାଇୱାରେ  ଓଦାବାଲି ନେଇ ଯାଉଥିବା  ଓଭରଲୋଡ୍‌ ଗାଡ଼ିଗୁଡ଼ିକୁ ଗ୍ରାମବାସୀ ଅଟକ ରଖିବା ସହିତ ବାଲିଘାଟ ବନ୍ଦ କରିଥିଲେ।

ଏହି ଘାଟରୁ ଦିନରାତି ଶହଶହ ବାଲିଗାଡ଼ି ‌ବୈତରଣୀ ନଦୀବନ୍ଧରେ ଚଳାଚଳ କରିବା ଫଳରେ ପ୍ରାୟ ୮କିମି ନଦୀବନ୍ଧ ରାସ୍ତା ଶୋଚନୀୟ ହୋଇପଡ଼ିଛି। ଫଳରେ ଧନିତ୍ରୀ ଗ୍ରାମଠାରୁ ଆରମ୍ଭ କରି ଗୋବିନ୍ଦପୁର, ରଣପାଳ, ବରପଦା ଓ ମୂଳାପାଳ ଲୋକ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।  ମେଡିକାଲକୁ ରୋଗୀ, ସ୍କୁଲ ଓ କଲେଜକୁ ଛାତ୍ରଛାତ୍ରୀ ଯିବାଆସିବା କଷ୍ଟସାଧ୍ୟ ହୋଇପଡ଼ିଲାଣି। ଏହାକୁ ବିରୋଧ କରି ଗ୍ରାମବାସୀ ବ୍ୟାସନଗର ତହସିଲଦାରଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପ୍ରତିକାର କରାଗଲା ନାହିଁ। ଫଳରେ ବାଲିଘାଟ ପାଇଁ ମରଣଯନ୍ତାରେ ପଡ଼ିଥିବା ଲୋକମାନେ ଆଜି ଆନ୍ଦୋଳନ କରିଥିଲେ। ଗ୍ରାମବାସୀ ଧନତ୍ରୀ ବାଲିଘାଟକୁ ଯାଇ ଭାରୀଯାନରେ ପରିବହନକୁ ବିରୋଧ କରିଥିଲେ। ଗାଡ଼ିଗୁଡିକ ଅନେକ ସମୟ ଧରି ଘାଟରେ ରହିଥିଲା। ପାଣିକୋଇଲି ପୁଲିସ ପହଞ୍ଚି ଆନ୍ଦୋଳନକାରୀମାନଙ୍କୁ ବୁଝାସୁଝା କରିବା ପରେ ଆନ୍ଦୋଳନ ସ୍ଥଗିତ ରହିଛି।

ମୌସୁମୀ  ବର୍ଷା ଆସୁଥିବା ବେଳେ ଭାରୀଯାନ ଚଳାଚଳ ଯୋଗୁ ନଦୀବନ୍ଧ ଭୁଶୁଡ଼ି ପଡ଼ିଥିବାରୁ ହଜାର ହଜାର ଲୋକଙ୍କ ଜୀବନଜୀବିକା ପ୍ରତି ବିପଦ ଆଶଙ୍କା ସୃଷ୍ଟି କରିଛି। ରାଜସ୍ବ ନାମରେ ବ୍ୟାସନଗର ତହସିଲ ଏଭଳି କାରବାରକୁ ଉତ୍ସାହିତ କରୁଥିବାରୁ ଜନସ୍ବାର୍ଥ ମାମଲା କରିବାକୁ ଲୋକମାନେ ଅଣ୍ଟା ଭିଡିଲେଣି। ଏହା ଆଗାମୀ ଦିନରେ ବ୍ୟାପକ ରୂପ ନେବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର