ଭୁବନେଶ୍ୱର: ଜଣାଶୁଣା ବ୍ଲଗର୍‌ କାମିଆ ଜାନି ଶ୍ରୀକ୍ଷେତ୍ର ପରିକ୍ରମାକୁ ନେଇ ଏକ ଭିଡିଓ ପ୍ରସ୍ତୁତ କରିଛନ୍ତି। ଏହାକୁ ନେଇ ବିବାଦ ଦେଖାଦେଇଛି। ବିଜେପି ଆଜି ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛି। କାମିଆ ଜାନିଙ୍କୁ ମନ୍ଦିରରେ ପ୍ରବେଶ କରାଇ ସରକାର ବିଶ୍ବର ହିନ୍ଦୁମାନଙ୍କ ଧାର୍ମିକ ଭାବନା ଉପରେ କୁଠାରଘାତ କରିଛନ୍ତି ବୋଲି ଦଳ ଆରୋପ ଲଗାଇଛି। ଏହାର ଜବାବ ଦେଇ ବିଜେଡି କହିଛି, ମୁଖ୍ୟମନ୍ତ୍ରୀ କରୁଥିବା ଉନ୍ନତିମୂଳକ କାର୍ଯ୍ୟ ଦେଖି ରାଜ୍ୟ ବିଜେପି ଓ ଏହାର ନେତା ଅତ୍ୟନ୍ତ ଇର୍ଷାନ୍ୱିତ। ତେଣୁ ସେମାନେ ଭିଡିଓକୁ ନେଇ ମିଛ ତଥ୍ୟ ଦେଇଛନ୍ତି।

Advertisment

କାମିଆ ଜାନି ମହାପ୍ରସାଦର ପବିତ୍ରତା ନଷ୍ଟ କରିଛନ୍ତି: ବିଜେପି
ଭିଡିଓକୁ ନେଇ ମିଛ ତଥ୍ୟ ଦେଇ ନାଟକ କରୁଛନ୍ତି ରାଜ୍ୟ ବିଜେପି ନେତା: ବିଜେଡି

ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସାଧାରଣ ସମ୍ପାଦକ ଯତୀନ ମହାନ୍ତି କହିଲେ, କାମିଆ ଜାନିଙ୍କ ଭିଡିଓଟି କୋଟି କୋଟି ଜଗନ୍ନାଥପ୍ରେମୀଙ୍କୁ ଧାର୍ମିକ ଆଘାତ ଦେଇଛି। ପୂର୍ବରୁ କାମିଆ ଜାନି ଗୋ ମାଂସ ଖାଇଥିବାର ଭିଡିଓ ଅଛି ଓ ସେ ନିଜେ ଏହାକୁ ସ୍ୱୀକାର କରିଛନ୍ତି । ଶ୍ରୀମନ୍ଦିରର ନିୟମ ଅନୁସାରେ ଜଣେ ଗୋ-ମାଂସ ଭକ୍ଷଣକାରୀ ଶୁଦ୍ଧି ଓ ପ୍ରାୟଶ୍ଚିତ ନହେବା ପର୍ଯ୍ୟନ୍ତ ମନ୍ଦିର ପ୍ରବେଶ କରିବାର କୌଣସି ଅଧିକାର ନାହିଁ । ଶ୍ରୀମନ୍ଦିର ଶ୍ରୀକ୍ଷେତ୍ର ତଥା ଦର୍ଶନର କ୍ଷେତ୍ର ତାହା ଭୋଗ୍ୟ କ୍ଷେତ୍ର ନୁହେଁ । ଯେଉଁମାନେ ଏହାକୁ ଭୋଗ୍ୟକ୍ଷେତ୍ର ବୋଲି ମନେ କରୁଛନ୍ତି ସେମାନେ ଅପରାଧ କରୁଛନ୍ତି। ଏପରି ସନାତନ ବିରୋଧୀ କାର୍ଯ୍ୟକୁ ରାଜ୍ୟବାସୀ ବରଦାସ୍ତ କରିବେ ନାହିଁ। ମନ୍ଦିର ପ୍ରଶାସନ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିଲେ ବିଜେପି କୋର୍ଟର ଦ୍ବାରସ୍ଥ ହେବ। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଉପସ୍ଥିତ ଥିଲେ।

ବିଜେପିର ଏହି ମନ୍ତବ୍ୟ ପରେ ବିଜେଡି ପକ୍ଷରୁ ଜବାବୀ ସାମ୍ବାଦିକ ସମ୍ମିଳନୀ ଡକାଯାଇଥିଲା। ଏଥିରେ ଦଳର ମୁଖପାତ୍ର ଇପ୍ସିତା‌ ସାହୁ ଓ ସ୍ବୟଂପ୍ରକାଶ ମହାପାତ୍ର କହିଲେ, ଓଡ଼ିଶା ବିଜେପି ନେତାଙ୍କୁ ଲଜ୍ଜା ଲାଗିବା କଥା, କୌଣସି ଭଲ କାମକୁ ଏମାନେ ସହି ପାରନ୍ତି ନାହିଁ। ପରିକ୍ରମା ପକ୍ରଳ୍ପକୁ ରାଜ୍ୟ, ଜାତୀୟ ସ୍ତରରେ ସଭିଏଁ ପ୍ରଶଂସା କରୁଛନ୍ତି। ଯାହା ରାଜ୍ୟ ବିଜେପି ନେତାଙ୍କ ବଦହଜମୀ କରୁଛି। ଓଡ଼ିଶାର ପ୍ରଶଂସା ଶୁଣିଲେ ରାତିର ନିଦ ଉଡ଼ିଯାଉଛି। ଡାହା ମିଛ କହି କୁତ୍ସାରଟନା କରନ୍ତି, ଆଜିର ସାମ୍ବାଦିକ ସମ୍ମିଳନୀ ଏହାର ସ୍ପଷ୍ଟ ଉଦାହରଣ। ଯେଉଁ ଭିଡିଓର ଉଦାହରଣ ଦେଇ ରାଜ୍ୟ ବିଜେପି ସାମ୍ବାଦିକ ସମ୍ମିଳନୀ କରିଥିଲା, ଏଥିରେ ଆଦୌ ସତ୍ୟତା ନାହିଁ । ମନ୍ଦିର ଭିତରକୁ କୈାଣସି କ୍ୟାମେରା ଯାଇନାହିଁ, ଯଦି ପ୍ରମାଣ ଅଛି ସାମ୍ନାକୁ ଆଣନ୍ତୁ। ମହାପ୍ରସାଦ ମନ୍ଦିର ଭିତରେ ନୁହେଁ, ମନ୍ଦିର ବାହାରେ ରାଧାବଲ୍ଲଭ ମଠରେ ସେବନ କରାଯାଇଛି। ବିଶ୍ୱର କୋଣ ଅନୁକୋଣରେ ସଭିଙ୍କ ପାଖରେ ମହାପ୍ରସାଦର ମାହାତ୍ମ୍ୟ ଓ ପୈାରାଣିକ ତଥ୍ୟ ପହଞ୍ଚାଇବାକୁ ଉଦ୍ୟମ କରାଯାଇଥିଲା। ନିଜ ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ପାଇଁ ଓଡ଼ିଶାକୁ ସବୁବେଳେ ବଦନାମ କରିବା ପାଇଁ ଚେଷ୍ଟା କରୁଥିବା ଓଡ଼ିଶା ବିଜେପି ନେତାମାନଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥ ସଦବୁଦ୍ଧି ଦିଅନ୍ତୁ।