ପ୍ରସ୍ତାବକୁ କେନ୍ଦ୍ରର ମୋହର : ଏସ୍‌ସିବିରେ ୬କୋଟି ବ୍ୟୟରେ ଖୋଲିବ ଥଇଥାନ କେନ୍ଦ୍ର

ଦୂର ହେବ ମାନସିକ ଅସହାୟ ରୋଗୀ ସମସ୍ୟା

କଟକ : ଅସହାୟ ରୋଗୀଙ୍କ ପାଇଁ ଖୁସି ଖବର। ସେମାନଙ୍କ ଥଇଥାନ ପାଇଁ କଟକ ବଡ଼ ମେଡିକାଲ୍‌ରେ ତିଆରି ହେବ ୬କୋଟି ବ୍ୟୟ‌େର ଥଇଥାନ କେନ୍ଦ୍ର। କେନ୍ଦ୍ର ସରକାର ଏଥିପାଇଁ ୫କୋଟି ଟଙ୍କା ଦେବାକୁ ରାଜି ହୋଇଛନ୍ତି। ଫଳରେ ଖାସ୍‌ କରି ମାନସିକ ରୋଗ ବିଭାଗରେ ଏକାଧିକ ଅସହାୟ ରୋଗୀଙ୍କୁ ନେଇ ଯେଉଁ ସମସ୍ୟା ଉପୁଜିଥିଲା, ବେଡ୍‌ ଅଭାବ ଅନୁଭୂତ ହେଉଥିଲା; ତାହା ଦୂର ହେବ ବୋଲି ଆଶା କରାଯାଉଛି।

ସୂଚନା ଅନୁସାରେ, ଏସ୍‌ସିବି ମେଡିକାଲ୍‌ରେ ଅସହାୟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ମାନସିକ ରୋଗ ବିଭାଗରେ ଅସହାୟ ରୋଗୀଙ୍କ ସମସ୍ୟା ଉତ୍କଟ ହୋଇଛି। ସ୍ଥିତି ଏମିତି ଯେ, ବିଭାଗରେ ବେଡ୍ ସଂଖ୍ୟା ଯେତିକି ତାଠାରୁ ଅଧାରୁ ଅଧିକ ହେଉଛନ୍ତି ଅସହାୟ ରୋଗୀ। ୧୨୦ଟି ବେଡ୍‌ ଥିବା ବେଳେ ଅସହାୟ ରୋଗୀଙ୍କ ସ˚ଖ୍ୟା କିନ୍ତୁ ୭୧। ଏପରିକି ଅନେକ ଅସହାୟ ରୋଗୀ ଚିକିତ୍ସା ପରେ ଭଲ ହୋଇ ଏବେ ସୁସ୍ଥ ଜୀବନ ଯାପନ କରୁଛନ୍ତି ସତ କିନ୍ତୁ ସେମାନଙ୍କୁ ନେବା ପାଇଁ କେହି ଦାବିଦାର ଆସୁନଥିବାରୁ କର୍ତ୍ତୃପକ୍ଷ ସେମାନଙ୍କୁ ଡିସଚାର୍ଜ କରିପାରୁନାହାନ୍ତି। ଏଭଳି ସମସ୍ୟାକୁ ନେଇ ମାନସିକ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ସାରଦା ପ୍ରସନ୍ନ ସ୍ବାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଅସହାୟ ରୋଗୀଙ୍କ ପାଇଁ ସ୍ବତନ୍ତ୍ର ଥଇଥାନ କେନ୍ଦ୍ର ଖୋଲାଯିବାକୁ ପ୍ରସ୍ତାବ ଦେଇ ଥିଲେ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହି ପ୍ରସ୍ତାବ ଉପରେ ରାଜି ହୋଇଥିବା ଜଣାପଡ଼ିଛି। କେନ୍ଦ୍ର ଏଥିପାଇଁ ୫କୋଟି ଟଙ୍କା ଦେବାକୁ କହିଥିବା ବେଳେ ଓଡିଶା ମେଡିକାଲ କର୍ପୋରେସନ ୮୦ଲକ୍ଷ ଟଙ୍କା ଏ ବାବଦରେ ପ୍ରଦାନ କରିବ ବୋଲି ଯୋଜନା ହୋଇଛି।

ଏ ସଂପର୍କରେ ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ସ୍ବାଇଁ କହିଛନ୍ତି ଯେ, ଥଇଥାନ କେନ୍ଦ୍ରକୁ ନେଇ ଯେଉଁ ପ୍ରସ୍ତାବ ଦିଆଯାଇଥିଲା, ତାହାକୁ ସରକାର ଗ୍ରହଣ କରି ନେଇଛନ୍ତି। ମୋଟ୍ ୫କୋଟି ୮୦ଲକ୍ଷ ଟଙ୍କା ଅନୁଦାନରେ ଥଇଥାନ କେନ୍ଦ୍ର କରାଯିବ। ଏହା କରାଗଲେ ଅସହାୟ ମାନସିକ ରୋଗୀମାନେ ନିଜର ସ୍ବତନ୍ତ୍ର ପରିଚୟ ପାଇପାରିବେ ବୋଲି ଡାକ୍ତର ସ୍ବାଇଁ କହିଛନ୍ତି।

ସମ୍ବନ୍ଧିତ ଖବର