ଭୁବନେଶ୍ବର/ପୁରୀ: ବିଶ୍ବ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରର ୪ଟି ଦ୍ବାର ଜୁନ୍‌ ୧୩ ତାରିଖ ଅଙ୍ଗଳ ଆଳତୀ ଠାରୁ ଖୋଲି ଦିଆଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପରେ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ମଧ୍ୟ ଏନେଇ ଘୋଷଣା କରିଛି। ଶ୍ରୀମନ୍ଦିର ପରିଚାଳନା କମିଟିର ଆଜି ସନ୍ଧ୍ୟାରେ ଗୁରୁତ୍ବପୂର୍ଣ୍ଣ ବୈଠକ‌ ପରେ କୁହାଯାଇଛି ଯେ, ଚାରି ଦ୍ବାରରେ ଭକ୍ତମାନଙ୍କର ସୁବିଧା ପାଇଁ ଜୋତା ଓ ମୋବାଇଲ ଷ୍ଟାଣ୍ଡ ରହିବ। ଏଥି ପାଇଁ ଭକ୍ତମାନଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ସେହିଭଳି ଶ୍ରଦ୍ଧାଳୁଙ୍କ ନିମନ୍ତେ ପାନୀୟ ଜଳ ବ୍ୟବସ୍ଥା କରିବ। ୪ଦ୍ବାରରେ ମୁତୟନ ଥିବା ପୁଲିସ କର୍ମଚାରୀମାନେ ଭକ୍ତମାନଙ୍କର ଶୃଙ୍ଖଳିତ ଦର୍ଶନ ପାଇଁ ସହଯୋଗ କରିବେ। ଏଥି ପାଇଁ ପୁଲିକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ଶ୍ରୀମନ୍ଦିରରେ ଭକ୍ତମାନଙ୍କର ଶୃଙ୍ଖଳିତ ଦର୍ଶନ ପାଇଁ ଭୋର ସକାଳୁ ମଙ୍ଗଳ ଆଳତୀ ବେଳେ ୪ଟି ଦ୍ବାର ଖୋଲି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଗଣମାଧ୍ୟମକୁ କହିଛନ୍ତି। ନିଜର ପ୍ରଥମ କ୍ୟାବିନେଟ୍‌ ବୈଠକ ପରେ ସେ କହିଛନ୍ତି, ମହାପ୍ରଭୁଙ୍କ ୪ଟି ଦ୍ବାରକୁ ଗତ କିଛି ବର୍ଷ ହେଲା ବନ୍ଦ କରିଦିଆଯାଇଥିଲା। ସାଧାରଣ ନିର୍ବାଚନ-୨୦୨୪ରେ ବିଜେପି ସଂକଳ୍ପ ପତ୍ରରେ ଶ୍ରୀମନ୍ଦିରର ୪ଟି ଦ୍ବାର ଖୋଲି ଦେବାକୁ ପ୍ରତିଶ୍ରୁତି ଦେଇଥିଲା। ସାଢ଼େ ୪ କୋଟି ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ଆଧାରରେ ଆସନ୍ତାକାଲି (୧୩) ମଙ୍ଗଳ ଆଳତୀ ବେଳେ ରାଜ୍ୟ ସରକାରଙ୍କ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ ଉପସ୍ଥିତିରେ ‌୪ଟି ଦ୍ବାର ଖୋଲି ଦିଆଯିବ। ତିନି ଦ୍ବାର ବନ୍ଦ ରହିବା ଦ୍ବାରା ଭକ୍ତ ଓ ଭଗବାନଙ୍କ ମଧ୍ୟରେ ବ୍ୟବଧାନ କରାଯାଉଥିଲା। ଶ୍ରୀମନ୍ଦିରର ସଂରକ୍ଷଣ, ରକ୍ଷଣାବେକ୍ଷଣ, ବିକାଶ, ତୀର୍ଥଯାତ୍ରୀଙ୍କ ସମସ୍ୟାର ସମାଧାନ ଉ‌ପରେ ଆଲୋଚନା ହୋଇଥିଲା। କର୍ପସ ପାଣ୍ଠିରେ ୫୦୦ କୋଟି ଟଙ୍କା ରଖାଯିବ।

ଶ୍ରୀ ମାଝୀ କହିଛନ୍ତି ଆଜି ୪ଟି ପ୍ରସ୍ତାବ ଗୃହୀତ ହୋଇଛି। ପ୍ରଥମ ଦୁଇଟି ପ୍ରସ୍ତାବ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀମନ୍ଦିର ପାଇଁ ଉଦ୍ଦିଷ୍ଟ। ତୃତୀୟ ପ୍ରସ୍ତାବ ଆଧାରରେ ଚାଷୀମାନଙ୍କର ବିଭିନ୍ନ ସମସ୍ୟାକୁ ସମାଧାନ କରାଯିବ। ଚାଷୀମାନଙ୍କୁ କିଭଳି ସହାୟତା ଦିଆଯିବ, ସେନେଇ ସରକାର ପ୍ରସ୍ତାବ ଅଛନ୍ତି। ସରକାର ସମୃଦ୍ଧ କୃଷକ ନୀତି ଆଣିବାକୁ ଯାଉଛନ୍ତି। ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ଦିଆଯିବ। ନେଇ ପ୍ରଶାସନକୁ ରୂପରେଖ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

କ୍ୟାବିନେଟ୍‌ ବୈଠକରେ ମହିଳା ଓ ଶିଶୁ ବିଭାଗ ଉପରେ ମଧ୍ୟ ଆଲୋଚନା ହୋଇଛି। ମହିଳାମାନଙ୍କୁ ସଶକ୍ତୀକରଣ କରିବା ପାଇଁ କ୍ୟାବିନେଟରେ ଆଲୋଚନା ହୋଇଛି। ସୁଭଦ୍ରା ଯୋଜନାକୁ ଆଗାମୀ ୧୦୦ ଦିନ ଭିତରେ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନିଆଯିବ। ୫୦ ହଜାର ଟଙ୍କାର ଭାଉଚର କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଛି। ସଂପୃକ୍ତ ବିଭାଗକୁ କାର୍ଯ୍ୟକାରୀ କରିବା ପାଇଁ ନୀତିଗତ ନିଷ୍ପତ୍ତି ନେଇଛନ୍ତି ବୋଲି ଶ୍ରୀ ମାଝୀ କହିଛନ୍ତି।