ଚିତ୍ରକୋଣ୍ଡା: ଆଜି ଚାରିଜଣ ନକଲି ଡାକ୍ତରଙ୍କୁ ଗିରଫ କରିବାରେ ସଫଳ ହୋଇଛି ଚିତ୍ରକୋଣ୍ଡା ପୁଲିସ। ଏହି ଚାରିଜଣ ନକଲି ଡାକ୍ତର ବିନା କୌଣସି ଡ଼ାକ୍ତରୀ ଡିଗ୍ରି କିମ୍ବା ଲାଇସେନ୍ସ ନଥାଇ ଚିତ୍ରକୋଣ୍ଡା ସମେତ ସ୍ୱାଭିମାନ ଅଂଚଳରେ ବିଭିନ୍ନ ଗାଁ ଗାଁ ବୁଲି ଲୋକଙ୍କୁ ଚିକିତ୍ସା ବାହାନାରେ ଠକୁଥିଲେ । ଏହି ନକଲି ଡାକ୍ତରଙ୍କ  କଥା ଏହି ଅଂଚଳ ପାଇଁ ନୂଆ ନୁହେଁ । ଆଗରୁ ଏଭଳି  ଅନେକ ଥର ଘଟିଛି ଚିତ୍ରକୋଣ୍ଡା ଅଂଚଳରେ। ଚିତ୍ରକୋଣ୍ଡା ବ୍ଲକ ର ବିଭିନ୍ନ ସ୍ଥାନ ଯଥା ପାପଲୁର, ଜାନବାଇ, ଯୋଡାଆମ୍ବ ଠାରେ ପ୍ରାଥମିକ ଚିକିତ୍ସା କେନ୍ଦ୍ର ଖୋଲାଯାଇଛି ଓ ମୋବାଇଲ ହେଲଥ ୟୁନିଟ ଦ୍ୱାରା ପ୍ରତ୍ୟକ ମାସରେ ଗାଁ ଗାଁକୁ ଯାଇ ଲୋକଙ୍କୁ ଚିକିତ୍ସା କରାଯାଉଥିଲେ ମଧ୍ୟ ଏବେବି ଏହି ଅଂଚଳରେ ବସବାସ କରୁଥିବା ନିରୀହ ଲୋକେ ଏହି ନକଲି ଡାକ୍ତରଙ୍କ ପାଖରେ ଚିକିତ୍ସିତ ହୋଇ ବିପଦରେ ପଡୁଛନ୍ତି ।

Advertisment

publive-image

ସୂଚନା ଅନୁଯାୟୀ ନକଲି ଡାକ୍ତରଙ୍କ ପାଖରେ ଚିକିତ୍ସା ସମ୍ବନ୍ଧିତ କୌଣସି ପ୍ରମାଣ ପତ୍ର ନଥିଲେ ମଧ୍ୟ ବହୁ ସଂଖ୍ୟାରେ ଏଭଳି ନକଲି ଡାକ୍ତର ସ୍ୱାଭିମାନ ଅଂଚଳରେ କ୍ଲିନିକ ଖୋଲି ସାପ୍ତାହିକ ହାଟରେ  ଓ  ଗାଁ ଗାଁ ବୁଲି ଲୋକଙ୍କୁ ଚିକିତ୍ସା କରୁଥିବା ଦେଖିବାକୁ ମିଳୁଛି । ଏ ନେଇ ଚିତ୍ରକୋଣ୍ଡା ଥାନାରେ  ଭିନ୍ନ ଭିନ୍ନ ଦଫାରେ ଚାରିଜଣ ନକଲି ଡାକ୍ତରଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଠାରୁ ବହୁ ଔଷଧ ଜବତ କରାଯାଇଛି । ଗିରଫ ହୋଇଥିବା ବ୍ୟକ୍ତି ହେଲେ ବିପିନ ଚନ୍ଦ୍ର ନାୟକ ବେହେରା,(୬୦) ଗ୍ରାମ ଡାଇକ ୩, ବିଶ୍ଵଦେଵ ସରକାର(୨୭) ଗ୍ରାମ ତେନ୍ତୁଲିୟା ପଶ୍ଚିମବଙ୍ଗ, ସୁଫଳ ବିଶ୍ୱାସ(୩୬) ଗ୍ରାମ ତେନ୍ତୁଳିୟା ପଶ୍ଚିମବଙ୍ଗ, ପଳାସ ରାୟ(୪୬) ଗ୍ରାମ ଗୋପାଳପୁର ପଶ୍ଚିମବଙ୍ଗ। ଚିତ୍ରକୋଣ୍ଡା ଥାନା କେଶ ନଂ ୮୩/୮୪/୮୫/୮୬ ଅନୁଯାଇ ଗିରଫ ଚାରିଜଣଙ୍କୁ କୋର୍ଟରେ ହାଜର କାରାଯାଇଛି ଓ ଆଗକୁ ଏହି ଅଭିଯାନକୁ ଆହୁରି ଜୋର କରାଯିବ ବୋଲି  ଚିତ୍ରକୋଣ୍ଡା ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାୟକ ପ୍ରକାଶ କରିଛନ୍ତି।