ବଲାଙ୍ଗୀର: ବଲାଙ୍ଗୀରରେ ପୋଷ୍ଟମାଷ୍ଟର ନକଲି। ଶିକ୍ଷକ ନକଲି। ନେତା ବି ନକଲି। ପେକ୍ସ ସଂପାଦକ ବି ନକଲି। ସବୁ ନକଲି ସାର୍ଟିଫିକେଟ ଦେଇ ଚାକିରି କରୁଛନ୍ତି। ମେଧାବୀ ବାଦ୍‌ ପଡ଼ିଛନ୍ତି। ଆଉ ଜାଲ୍‌ ସାର୍ଟିଫିକେଟର ମାୟା ଜାଲ ଭେଦିବାକୁ ତନାଘନା କରିଥିଲା କ୍ରାଇମ୍‌ବ୍ରାଞ୍ଚ୍‌। ବଲାଙ୍ଗୀର ପୁଲିସ ମାଷ୍ଟରମାଇଣ୍ଡ ମନୋଜ ମିଶ୍ରଙ୍କୁ ଗିରଫ କରିବା ପରେ କ୍ରାଇମ୍‌ବ୍ରାଞ୍ଚ୍‌ ରିମାଣ୍ଡରେ ଆଣି ଅଧିକ ତଥ୍ୟ ସଂଗ୍ରହ କରିଥିଲା। ପୂରା ସିଣ୍ଡିକେଟରେ ୨୦୦ରୁ ଅଧିକ ସାମିଲ ଥିବା କ୍ରାଇମ୍‌ବ୍ରାଞ୍ଚ୍‌ ଜାଣିବାକୁ ପାଇଥିଲା। କିନ୍ତୁ ବଲାଙ୍ଗୀରରେ ଡେରା ପକାଇ ତଦନ୍ତ କରିଥିବା କ୍ରାଇମ୍‌ବ୍ରାଞ୍ଚ୍‌ ଏଯାଏଁ ଜଣକୁ ବି ମାମଲାରେ ଗିରଫ କରିନି। ପୁଲିସ ଯେତିକି ଗିରଫ କରିଥିଲା, ସେତିକିରେ ହିଁ ରହିଛି ଗିରଫଦାରୀ ସଂଖ୍ୟା। ଏସବୁ ଭିତରେ ପୁଣିଥରେ କ୍ରାଇମ୍‌ବ୍ରାଞ୍ଚ୍‌ ଡିଏସ୍‌ପି ଦେବବ୍ରତ ଚକ୍ର ବଲାଙ୍ଗୀର ଆସିବେ ବୋଲି ସୂଚନା ମିଳିଛି। ଏଥର ଅଧିକାରୀ ଆସି କାର୍ଯ୍ୟାନୁଷ୍ଠାନ ନେବେ ନା ଷ୍ଟଣ୍ଟ ସୋ ଦେଖାଇ ଚାଲିଯିବେ ତାକୁ ନେଇ ବଲାଙ୍ଗୀରରେ ଚର୍ଚ୍ଚା ଆରମ୍ଭ ହୋଇଛି।

Advertisment

ବଲାଙ୍ଗୀରରେ ବର୍ଷ ବର୍ଷ ଧରି ଚାଲିଥିଲା ଏହି ସିଣ୍ଡିକେଟ। ପୂରା ସିଣ୍ଡିକେଟକୁ ପରିଚାଳନା କରୁଥିଲେ ରିଲାଏନ୍ସ କୋଚିଂ ସେଣ୍ଟର ମାଲିକ ମନୋଜ ମିଶ୍ର। ପୋଷ୍ଟଅଫିସରେ ନକଲି ସାର୍ଟିଫିକେଟ ଧରାପଡ଼ିବା ପରେ ମାମଲା ଥାନାକୁ ଯାଇଥିଲା। ଏକ୍ସନମୋଡକୁ ଆସିଥିଲେ ଏସ୍‌ପି। ମନୋଜ ହିଁ ପ୍ରଥମରୁ ପୁଲିସ ହାତରେ ଧରାପଡ଼ିଯାଇଥିଲା। ପୁଲିସ ପ୍ରାଥମିକ ତଦନ୍ତ ପରେ ସୂଚନା ଦେଇଥିଲା, ମନୋଜ ଏକ ଛୋଟ କୋଚିଂ ସେଣ୍ଟର କରି ସେଠାରେ ପିଲାଙ୍କୁ ଟ୍ୟୁସନ ପଢ଼ାଉଥିଲେ। ଧୀରେ ଧୀରେ କୋଚିଂ ସେଣ୍ଟରରେ ପିଲା ସଂଖ୍ୟା ବଢ଼ିଥିଲା। ଆଉ ଦଶ ବର୍ଷ ତଳେ ଡିଷ୍ଟାନ୍ସ କୋର୍ସ ନାଁରେ ନକଲି ସାର୍ଟିଫିକେଟ ସିଣ୍ଡିକେଟ ଆରମ୍ଭ କରିଥିଲେ। ଗାଁ ଓ ସହରର ବିଭିନ୍ନ ଦଲାଲାଙ୍କ ଜରିଆରେ ପିଲାଙ୍କୁ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କରୁଥିଲେ ନକଲି ସାର୍ଟିଫିକେଟ। ଦଶବର୍ଷ ଧରି ହଜାର ହଜାର ପିଲା ନକଲି ସାର୍ଟିଫିକେଟ ଓ ମାର୍କସିଟି ନେଇ ବିଭିନ୍ନ ବିଭାଗରେ ସରକାରୀ ଚାକିରି ହାତେଇଥିବା ଜଣାପଡ଼ିଛି। ଫଳରେ ବାଦ୍‌ ପଡ଼ିଛନ୍ତି ମେଧାବୀ।

ଏମାନେ ରାଜ୍ୟ ବାହାରେ ୪୨ଟି ବିଶ୍ୱବିଦ୍ୟାଳୟର ସାର୍ଟିଫିକେଟ ଓ ମାର୍କସିଟ ତିଆରି କରୁଥିଲେ। କେବଳ ଏତିକି ନୁହେଁ, ବିଭିନ୍ନ ଜାଗାରେ ପିଲାଙ୍କୁ ଚାକିରି କରାଇ ଦେବା ପାଇଁ ନେଉଥିଲେ ଲକ୍ଷ ଲକ୍ଷ ଟଙ୍କା। ପୁଲିସ ତଦନ୍ତ ପରେ କ୍ରାଇମ୍‌ବ୍ରାଞ୍ଚ୍‌ ଅଧିକ ତଦନ୍ତ କରିଥିଲା। ଅନେକ ତଥ୍ୟ ପ୍ରମାଣ କ୍ରାଇମ୍‌ବ୍ରାଞ୍ଚ୍‌କୁ ମିଳିଛି। ଏତେ ସବୁ ପରେ ମଧ୍ୟ କ୍ରାଇମ୍‌ବ୍ରାଞ୍ଚ୍‌ର ଗିରଫଦାରୀ ବଢ଼ୁନଥିବାରୁ ସାଧାରଣରେ ଲୋକେ ସନ୍ଦେହ କଲେଣି। କାରଣ କାର୍ଯ୍ୟାନୁଷ୍ଠାନ ଯେତେ ବିଳମ୍ବ ହେବ, ଅଭିଯୁକ୍ତମାନଙ୍କୁ ଖସିଯିବା ପାଇଁ ସେତିକି ସୁଯୋଗ ମିଳିବ। ତେଣୁ କ୍ରାଇମ୍‌ବ୍ରାଞ୍ଚ୍‌ ଶୀଘ୍ର ଆକ୍ସନମୋଡ଼କୁ ଆସିବା ଦରକାର ବୋଲି ସାଧାରଣରେ ମତପ୍ରକାଶ ପାଉଛି।