ରାଜଗାଙ୍ଗପୁର: ଜିଲ୍ଲାର ୨ୟ ଶିଳ୍ପନଗରୀ ଦିନକୁ ଦିନ ଶ୍ରୀହୀନ ହେବାକୁ ବସିଲାଣି। ଗୋଟିଏ ପକ୍ଷରେ କାରଖାନାଗୁଡ଼ିକ ବନ୍ଦହେବା ଦ୍ବାରା ହଜାର ହଜାର ଶ୍ରମଜୀବୀ ଜୀବିକା ହରାଇଛନ୍ତି ତ ଅନ୍ୟପକ୍ଷରେ ସ୍ଥାନୀୟ ବେକାରଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ରାଜଗାଙ୍ଗପୁର ଓ ତା’ର ଆଖପାଖ ଅଞ୍ଚଳରେ ଅଦ୍ୟାବଧି ୩୦ରୁ ଅଧିକ ଛୋଟବଡ଼ କାରଖାନା ବନ୍ଦ ହୋଇସାରିଲାଣି। ଏହାଫଳରେ ପ୍ରତ୍ୟକ୍ଷ ଭାବେ ୧୫ ହଜାରରୁ ଅଧିକ ଓ ପରୋକ୍ଷ ଭାବେ ୧୦ ହଜାରରୁ ଅଧିକ ଶ୍ରମଜୀବୀ ନିଜର ଜୀବିକା ହରାଇଛନ୍ତି।
୨୦୦୩ରେ ପ୍ରଥମେ ଓଡ଼ିଶା ସ୍ପିନିଂ ମିଲ୍ କଞ୍ଚାମାଲ ଅଭାବ ଓ ଶ୍ରମିକମାରଣ ନୀତି ଯୋଗୁ ବନ୍ଦହେଲା। ଏହାଫଳରେ ପ୍ରତ୍ୟକ୍ଷ ଭାବେ ୭୫୦ ଶ୍ରମିକ ଓ ପରିବାର କାମଧନ୍ଦା ନପାଇ ବେକାର ହୋଇଗଲେ। ସେହିପରି ୨୦୧୫ରେ ହରି ମେସିନ ଲିଃ ବନ୍ଦ ହୋଇଗଲା। ସେଠାରେ କାର୍ଯ୍ୟରତ ୮୦୦ ଶ୍ରମିକ ଓ ପରିବାର ରୋଜଗାର ହରାଇଲେ। ଗତ କରୋନା କାଳରେ ଜାମପାଲ୍ଲିରେ ଥିବା ଜିଲ୍ଲାର ସର୍ବବୃହତ୍ ସ୍ପଞ୍ଜ କାରଖାନା ଓସିଏଲ୍ ଆଇରନ ଆଣ୍ଡ ଷ୍ଟିଲ ଲିଃ ଆର୍ଥିକ ସଙ୍କଟ ଆଳ ଦେଖାଇ ବନ୍ଦ ହୋଇଗଲା। ଯାହାଫଳରେ ୧୫୦୦ ଶ୍ରମିକ ନିଜର ଜୀବିକା ହରାଇବା ସହିତ କମ୍ପାନିଠାରୁ ନିଜର ବକେୟା ନ ପାଇ ହୀନସ୍ତା ହେଲେ। ରାଜଗାଙ୍ଗପୁରରେ ଏହି ୩ଟି ବଡ଼ କାରଖାନା ବନ୍ଦହେବା ପରେ ଏଗୁଡ଼ିକ ଉପରେ ନିର୍ଭର କରୁଥିବା ୧୫ରୁ ଅଧିକ ଛୋଟ ଛୋଟ କାରଖାନା ଏକପ୍ରକାର ବନ୍ଦ ହୋଇଗଲା।
ଫଳରେ ଶହ ଶହ ଶ୍ରମିକ ବେକାର ହୋଇଗଲେ। ସେହିପରି କାଂଶବାହାଲରେ ଥିବା ଏକ ବଡ଼ କମ୍ପାନି ମଧ୍ୟ ତା’ର ଉତ୍ପାଦନ ହ୍ରାସ କରିବା ଦ୍ବାରା ଶ୍ରମିକମାନଙ୍କର ଉପସ୍ଥତି ହ୍ରାସ ପାଇଛି। ଅନ୍ୟପକ୍ଷରେ ଉତ୍ପାଦନ ହ୍ରାସ ଦ୍ବାରା ଏହା ଉପରେ ନିର୍ଭର କରୁଥିବା ଛୋଟମୋଟ କମ୍ପାନି ବନ୍ଦହେବାକୁ ବାଧ୍ୟ ହୋଇଛନ୍ତି। ରାଜ୍ୟ ସରକାରଙ୍କ ଅସହଯୋଗ ଓ ବିଦ୍ୟୁତ୍ ଦର ବୃଦ୍ଧି ଯୋଗୁ ଅନେକ କମ୍ପାନି ନିଜର କାରଖାନା ଅଧାରୁ ବନ୍ଦକରି ପଡ଼ୋଶୀ ରାଜ୍ୟକୁ ଯିବାକୁ ପସନ୍ଦ କଲେ। ଫଳରେ ଶହଶହ ଶ୍ରମଜୀବୀ ପରିବାର ବେକାର ହୋଇଗଲେ। ଦିନକୁ ଦିନ ଏଠାରେ ଶିଳ୍ପସଂସ୍ଥାଗୁଡ଼ିକ ବନ୍ଦ ହେଉଥିବା ଯୋଗୁ ରାଜଗାଙ୍ଗପୁର ଜିଲ୍ଲାର ୨ୟ ଶିଳ୍ପନଗରୀ ମାନ୍ୟତା ହରାଇବାକୁ ବସିଲାଣି।