ରାଉରକେଲା: ଅଧିକ ଲୋକ ଏକାଠି ହେଲେ ବା ଚଳପ୍ରଚଳ ହେଲେ କରୋନା ବ୍ୟାପିବାର ଆଶଙ୍କା ଥିବାରୁ ଅତି ଜରୁରି ସାମଗ୍ରୀ ଉତ୍ପାଦନ କରୁଥିବା ଶିଳ୍ପ ବ୍ୟତୀତ ଅନ୍ୟ ସବୁ କାରଖାନାକୁ ବନ୍ଦ କରିବା ଲାଗି ସରକାର ନିର୍ଦ୍ଦେଶ ଦେଇଛନ୍ତି। ଚିକିତ୍ସା ବା ଡାକ୍ତରଖାନା ସମ୍ବନ୍ଧୀୟ ନିର୍ମାଣ ବ୍ୟତୀତ ଅନ୍ୟ ସବୁ ନିର୍ମାଣକାର୍ଯ୍ୟକୁ ମଧ୍ୟ ବେଆଇନ ଘୋଷଣା କରା ଯାଇଛି। କିନ୍ତୁ ସତ ହେଉଛି, ଶିଳ୍ପ କାରଖାନାରେ ଭରପୂର ସୁନ୍ଦରଗଡ଼ ଜିଲ୍ଲାର ଅଧିକାଂଶ କାରଖାନା ଓ ଖଣି ଏବେ ମଧ୍ୟ ଚାଲୁ ରହିଛି। ଏହିସବୁ କାରଖାନା ଓ ଖଣିରେ ରାଜ୍ୟ ବାହାରର ଅନେକ ଲୋକ କାମ କରୁଛନ୍ତି, ଯେଉଁମାନେ ସାଧାରଣତଃ ବିଭିନ୍ନ କଲୋନିରେ ରହନ୍ତି, ବସ୍ରେ ଏକାଠି କର୍ମକ୍ଷେତ୍ରକୁ ଯାଆନ୍ତି। କେବଳ ସେତିକି ନୁହେଁ, ଏଠାକୁ ଦେଶର ବିଭିନ୍ନ ରାଜ୍ୟରୁ ମାଲ୍ ପରିବହନକାରୀ ଟ୍ରକ୍ ଓ ଅନ୍ୟ ଗାଡ଼ି ଯିବା ଆସିବା କରନ୍ତି। ଏସବୁ ଚାଲୁ ରହିଥିବାରୁ ସୁନ୍ଦରଗଡ଼ ଜିଲ୍ଲାରେ କରୋନା ଲକ୍ଡାଉନ୍ର ସୁଫଳ ମିଳିବା ନେଇ ସନ୍ଦେହ ଦେଖା ଦେଇଛି।
ସୁନ୍ଦରଗଡ଼ ଜିଲ୍ଲାର ତଥା ରାଜ୍ୟର ସବୁଠାରୁ ବଡ଼ ଶିଳ୍ପ ହେଉଛି ରାଉରକେଲା ଇସ୍ପାତ କାରାଖାନା (ଆର୍ଏସ୍ପି)। ପ୍ରାୟ ୧୩,୦୦୦ କର୍ମଚାରୀ ଥିବା ଆର୍ଏସ୍ପିର ପାଖାପାଖି ଅଧା କର୍ମଚାରୀ ଘରେ ଥାଇ ନିଜ କାମ କରୁଛନ୍ତି। ଅତି ଆବଶ୍ୟକ ଥିବା ବିଭାଗର ସର୍ବନିମ୍ନ କର୍ମଚାରୀ ପ୍ଲାଣ୍ଟ୍ ବା ଅଫିସକୁ ଯାଉଛନ୍ତି। କାରଖାନାର ଏକ, ଚାରି ଓ ପାଞ୍ଚ ନମ୍ବର ଫର୍ନେସ୍ କାର୍ଯ୍ୟକ୍ଷମ ଥିବାବେଳେ ଲକ୍ଡାଉନ୍ ପୂର୍ବରୁ ଚାରି ନମ୍ବର ଫର୍ନେସ୍କୁ ମରାମତି କାମପାଇଁ ବନ୍ଦ କରା ଯାଇଥିଲା। ଲକ୍ଡାଉନ୍ ପରେ ଏକ ନମ୍ବର ଫର୍ନେସ୍ରେ ଉତ୍ପାଦନ ବନ୍ଦ କରାଯାଇ ତାକୁ କେବଳ ଚାଲୁ ରଖା ଯାଇଛି। ପାଞ୍ଚ ନମ୍ବର ଫର୍ନେସ୍ରେ ହିଁ ଉତ୍ପାଦନ ହେଉଛି। ଆର୍ଏସ୍ପିର ସବୁ ମିଲ୍ଗୁଡ଼ିକର ଉତ୍ପାଦନକୁ ବନ୍ଦକରି ଖୁବ୍ କମ୍ କର୍ମଚାରୀଙ୍କ ଦ୍ବାରା ମରାମତି କରା ଯାଉଛି ଏବଂ ମିଲ୍ ଫର୍ନେସ୍କୁ ଚାଲୁ ରଖା ଯାଇଛି। କାରଖାନାରେ କରୋନା ସଂକ୍ରମଣ ବାବଦରେ ସବୁ ପ୍ରକାର ସତର୍କତା ଅବଲମ୍ବନ କରା ଯାଉଥିବା କୁହାଯାଉଛି। କାରଖାନା ବନ୍ଦ ପାଇଁ ନିର୍ଦ୍ଦେଶ ଆସିବାପରେ କେତୋଟି କାରଖାନା ମାଲିକ ଜିଲ୍ଲାପାଳଙ୍କଠାରୁ ସ୍ବତନ୍ତ୍ର ଅନୁମତି ଆଣି କାରଖାନା ଚାଲୁ କରିଛନ୍ତି। ଅନୁମତି ଦେବାବେଳେ ସାମାଜିକ ଦୂରତ୍ବ ବଜାୟ ରଖିବା, କର୍ମଚାରୀ ସଂଖ୍ୟା କମାଇବା ତଥା ଅନ୍ୟ କିଛି ନିର୍ଦ୍ଦିଷ୍ଟ ସର୍ତ୍ତ ରଖା ଯାଇଛି। କାରଖାନା କର୍ତ୍ତୃପକ୍ଷ ତାହାକୁ ପାଳନ କରିବାର ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ସେହି ସର୍ତ୍ତଗୁଡ଼ିକୁ ଅନେକ କାରଖାନା ଖୋଲାଖୋଲି ଭାବେ ଉଲ୍ଲଂଘନ କରୁଥିବା ଅଭିଯୋଗ ଶୁଣା ହେଉଛି। କିଛି କାରଖାନା ତ ଅନୁମତି ନ ଆଣି ସ୍ଥାନୀୟ ଅଧିକାରୀମାନଙ୍କୁ ହାତକରି ଲୁଚାଚୋରାରେ କାରଖାନାରେ ଉତ୍ପାଦନ ଚାଲୁ ରଖିଛନ୍ତି ବୋଲି ମଧ୍ୟ ଅଭିଯୋଗ ହେଉଛି। ଉଲ୍ଲେଖନୀୟ ଯେ କୁଆରମୁଣ୍ଡା ଅଞ୍ଚଳର କିଛି କାରଖାନା ରାତିରେ ଚାଲୁଥିବାର ଖବର ରହିଛି।
ସୁନ୍ଦରଗଡ଼ ଜିଲ୍ଲାରେ ଲକ୍ଡାଉନ୍ ପରେ ଚାଲୁ ରହିଥିବା କାରଖାନାଗୁଡ଼ିକ ଭିତରେ ଅଛି କଲୁଙ୍ଗା ଶିଳ୍ପାଞ୍ଚଳରେ ଥିବା ଆଇଏଫ୍ଜିଏଲ୍ ରିଫ୍ରାକ୍ଟୋରିଜ୍ ଲିମିଡେଟ୍, ମହାବୀର ଫେରୋ, ଉତ୍କଳ ମେଟାଲିକ୍, ଏସିଆଟିକ୍ ଗ୍ୟାସ୍ ଓ କେଡ଼ିଆ କାର୍ବନ୍; ରାଜଗାଙ୍ଗପୁରର ସୂରଜ ପ୍ରଡକ୍ଟ ଲିମିଟେଡ୍; କୁତ୍ରା, ବଡ଼ଗାଁ ଓ ରାଜଗାଙ୍ଗପୁରରେ ଥିବା ସ୍କାନ୍ ଷ୍ଟିଲ୍ର ୩ଟି ୟୁନିଟ୍; ଲହୁଣୀପଡ଼ା ବ୍ଲକ୍ର ଭାସ୍କର ସ୍ପଞ୍ଜ ଓ ବି.ଆର୍. ସ୍ପଞ୍ଜ; କୋଇଡ଼ା ବ୍ଲକ୍ରେ ଥିବା ଓରାଘାଟ ଆଇରନ୍ ଓର୍ ମାଇନ୍ସ, ସାନଇନ୍ଦିପୁର ଆଇରନ୍ ଆଣ୍ଡ୍ ବକ୍ସାଇଟ୍ ମାଇନ୍ସ ତଥା କମଣ୍ଡ ଷ୍ଟିଲ୍ ପ୍ଲାଣ୍ଟ୍ର ଦୁଇଟି ୟୁନିଟ୍, ଜେଏସ୍ପିଲ୍ ମାଇନ୍ସ (ବରସୁଆଁ) ଓ ବରସୁଆଁ ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ତିଆ (ସେଲ୍) ମାଇନ୍ସ; ହେମଗିର ବ୍ଲକ୍ରେ ଥିବା ଏମ୍ସିଏଲ୍ ବସୁନ୍ଧରା ଖଣିକ୍ଷେତ୍ରର ବସୁନ୍ଧରା ଖଣି, କୁଲଡ଼ା ଖଣି ଓ ଗର୍ଜନବାହାଲ ଖଣି ତଥା ଏନ୍ଟିପିସି ଡୁଲିଙ୍ଗା ଖଣି, ଓପିସିଏଲ୍ ମନୋହରପୁର ଖଣି ଓ ଆର୍ଯ୍ୟନ କୋଲ୍ ୱାସେରୀ; ଲେଫ୍ରିପଡ଼ା ବ୍ଲକ୍ରେ ଥିବା ଏନ୍ଟିପିସି (ଦର୍ଲିପାଲି) ପ୍ଲାଣ୍ଟ୍ ତଥା କୁଆମୁଣ୍ଡାସ୍ଥ ସର୍ଭେସ ରିପ୍ରାକ୍ଟୋରିଜ୍ ପ୍ରା.ଲି, ଗଣେଶ ମେଟାଲିକ୍, ମହାଦେବ ପ୍ରସାଦ ସାଓ ଆଣ୍ଡ୍ ସନ୍ସର ତିନିଟି ସ୍ପଞ୍ଜ କାରଖାନା ଏବଂ ଖେଦରିଆ ଆଣ୍ଡ୍ ସନ୍ସର କାରଖାନା। ଗହଳି ନ କରି କମ୍ ସଂଖ୍ୟକ କର୍ମଚାରୀରେ କାମ କରିବା ସର୍ତ୍ତକୁ କିଛି କାରଖାନା କର୍ତ୍ତୃପକ୍ଷ ମାନୁଥିବାବେଳେ ଅଧିକାଂଶ ମାନୁ ନଥିବା ଅଭିଯୋଗ ହେଉଛି। କିଛି କାରଖାନା ରାତିରେ ମଧ୍ୟ ଚାଲୁଛି। ଅଥର୍ନୀତି ତଥା ଆବଶ୍ୟକତା ପୂରଣ ପାଇଁ କିଛି କାରଖାନା ଚାଲୁ ରହିବା ଦରକାର, ଏଥିରେ ଦ୍ବିମତ ନାହିଁ, କିନ୍ତୁ ସଂକ୍ରମଣ ସଂପର୍କିତ ସର୍ବନିମ୍ନ ନିୟମ ମଧ୍ୟ କିଛି କାରଖାନା ଓ କମ୍ପାନି ମାନୁ ନଥିବା ଅଭିଯୋଗ ହେଉଛି। ନିୟମକୁ ଲାଗୁ କରିବା ଦିଗରେ ଜିଲ୍ଲା ପ୍ରଶାସନ ଦୃଢ଼ ପଦକ୍ଷେପ ନେବା ଉଚିତ ବୋଲି ମତ ପ୍ରକାଶ ପାଇଛି। କଲୁଙ୍ଗା ଶିଳ୍ପାଞ୍ଚଳରେ ଥିବା ଆଇଏଫ୍ଜିଏଲ୍ ରିଫ୍ରାକ୍ଟୋରିଜ୍ ଲିମିଡେଟ୍ରେ ଲକ୍ଡାଉନ୍ ସମୟରେ ଅନୁମତିଠାରୁ ଅଧିକ ସଂଖ୍ୟକ କର୍ମଚାରୀ ଓ ଶ୍ରମିକଙ୍କୁ ନେଇ କାମ କରା ଯାଉଥିବାର ଅଭିଯୋଗ ପରେ ‘ସମ୍ବାଦ’ର ସ୍ଥାନୀୟ ପ୍ରତିନିଧି ବାହାରେ ଥାଇ ଦୂରରୁ ଉକ୍ତ କାରଖାନାର ଫଟୋ ଉଠାଇବାବେଳେ ଆଜି କାରଖାନାର ସୁରକ୍ଷାକର୍ମୀଙ୍କ ଦୁର୍ବ୍ୟବହାରର ଶିକାର ହୋଇଛନ୍ତି। ଉଲ୍ଲେଖନୀୟ ଯେ ରାଜଗାଙ୍ଗପୁରରେ ଥିବା ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ୍ (ପୂର୍ବରୁ ଓସିଏଲ୍)କୁ ଚାଲୁ ରଖିବାଲାଗି ଅନୁମତି ମିଳିଥିଲେ ମଧ୍ୟ କାରଖାନା କର୍ତ୍ତୃପକ୍ଷ ଲକ୍ଡାଉନ୍କୁ ସମ୍ମାନ ଦେଇ ଉତ୍ପାଦନ ସଂପୂର୍ଣ୍ଣ ବନ୍ଦ ରଖିଛନ୍ତି। ଫଳରେ ଏହି ବୃହତ ଶିଳ୍ପରେ କାମ କରୁଥିବା ଶହ ଶହ ଶ୍ରମିକ ହାତବାନ୍ଧି ବେରୋଜଗାର ବସିଛନ୍ତି।