ବରଗଡ଼ : ଓଡ଼ିଶାର ସାଂସ୍କୃତିକ ପରମ୍ପରା, ଲୋକରୁଚିକୁ ଆଧାର କରି ଅନେକ ଯାନିଯାତ୍ରା ପାଳନ କରାଯାଉଥିଲେ ମଧ୍ୟ ପଶ୍ଚିମ ଓଡ଼ିଶାର ସୀମାନ୍ତ ଅଖ୍ୟାତ ପଲ୍ଲୀରେ କେଉଁ ଆବାହମାନ କାଳରୁ ଦୁଇ ପଡ଼ୋଶୀ ରାଜ୍ୟ ମଧ୍ୟରେ ଭାଇଚାରାର ସଂପର୍କର ସେତୁ ସୃଷ୍ଟି କରୁଥିବାର ପର୍ବ ହେଉଛି ‘ଦୋଳପର୍ବ’ ବା ‘ଫଗୁଯାତ୍ରା’। ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ସୀମାନ୍ତ ବଡ଼ଧରା ଗ୍ରାମରେ ପାଳିତ ହେଉଥିବା ଫଗୁଯାତ୍ରା ବା ହରିହର ଭେଟ ମହୋତ୍ସବ ଏକ ନିଆରା ସାଂସ୍କୃତିକ ସମନ୍ୱୟର ପର୍ବ।
Sambad is now on WhatsApp
Join and get latest news updates delivered to you via WhatsApp
ଓଡ଼ିଶାର ସୀମାନ୍ତ ବଡଧରା ଗ୍ରାମ ଓ ଛତିଶଗଡ଼ ରାଜ୍ୟର ବଡ-ନୂଆପରା ଗ୍ରାମ ମଧ୍ୟରେ ଏକତା , ସଦ୍ଭାବନା ଓ ଭାଇଚାର ସଂପର୍କ ବଜାୟ ରଖିବାକୁ ଦୁଇ ଗ୍ରାମର ଗୌନ୍ତିଆ ମଧ୍ୟରେ ବନ୍ଧୁତାଭାବ ରଖିବାକୁ ହରିହର ଭେଟର ପରକଳ୍ପନା ବାସ୍ତବରେ ବେଶ୍ ନିଆରା। କାଳକ୍ରମେ ଏହି ମହୋତ୍ସବ ଦୁଇ ରାଜ୍ୟ ମଧ୍ୟରେ ଭେଦଭାବ ଭୁଲି ଏକତା ଓ ଭାଇଚାରା ସଂପର୍କର ନିବିଡ଼ ବନ୍ଧନ ସୃଷ୍ଟି କରିଛି। ଏହି ଦିନ ଦୁଇ ଗ୍ରାମର ଆରଧ୍ୟ ଦେବତା ହରି ଏବଂ ହରଙ୍କ ମହାମିଳନ ପର୍ବ ଦେଉଳଟିକ୍ରା ମଣ୍ଡପରେ ହେଉଥିବାରୁ ଏହାକୁ ‘ହରିହର ଭେଟ’ ମହୋତ୍ସବ କୁହାଯାଇଥାଏ। ଫାଳଗୁନ ପୁର୍ଣ୍ଣମୀ ଦିନ ପ୍ରତିଘରେ ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରି ମହୁଲକଷି ଓ କଷି ଆମ୍ବର ଭୋଗ ଦିଆଯାଇଥାଏ । ଅପରାହ୍ନରେ ଲଗ୍ନ ମୁତାବକ ମନ୍ଦିରରେ ଧ୍ୱଜାରୋହଣ ହୋଇଥାଏ ।
ସଂକୀର୍ତନ , ଦୁଲଦୁଲି ବାଜା, ଘଣ୍ଟବାଦ୍ୟ, କୃଷ୍ଣଗୁରୁ ଶଙ୍ଖଧ୍ୱନି ତଥା ହରିବୋଲ ହୁଳହୁଳିରେ ମଧ୍ୟରେ ଉଭୟ ଗ୍ରାମରେ ଦେବତାଙ୍କୁ ଛେରାପହରା କରାଯାଇ ସୁସଜ୍ଜିତ ରଥରେ ବିରାଜମାନ କରାଯାଇଥାଏ। ବଡ଼ଧରା ବିଷ୍ଣୁ ମନ୍ଦିରରୁ ଭଗବାନ ବିଷ୍ଣୁ ଗରୁଡ଼ ପୃଷ୍ଠରେ ବସି ସୁସଜ୍ଜିତ ରଥରେ ଦେଉଲଟିକ୍ରା ମଣ୍ଡପ ଅଭିମୁଖେ ଯାତ୍ରା କରୁଥିବା ବେଳେ ଅନ୍ୟ ପଟେ ଛତିଶଗଡ଼ର ବଡ-ନୂଆପରା ଗ୍ରାମର ଶିବ ମନ୍ଦିରରୁ ଭଗବାନ ହର ବୃଷଭ ପୃଷ୍ଠରେ ବିଦ୍ୟମାନ ହୋଇ ସୁସଜ୍ଜିତ ରଥରେ ଦେଉଲଟିକ୍ରା ମଣ୍ଡପକୁ ଆସିଥାନ୍ତି। ଦେବତାଙ୍କୁ ସମ୍ମାନ ରଖି ଗାଁ ଦାଣ୍ଡର ପ୍ରତିଟି ଘର ସମ୍ମୁଖରେ ରଙ୍ଗବେରଙ୍ଗର ଝୋଟି ଚିତା , ପୂର୍ଣ୍ଣ କଳସ ଦୀପ ସ୍ଥାପନା କରାଯିବା ଦୃଶ୍ୟ ସାଂସ୍କୃତିକ ଓ ଧର୍ମୀୟ ଚେତନାର ବାର୍ତା ବହନ କରିଥାଏ। ପୌରାଣିକ କଥାବସ୍ତୁକୁ ଆଧାର କରି ଏହି ଯାତ୍ରାର ପରିକଳ୍ପନା ଏବଂ ଦୁଇ ରାଜ୍ୟ ମଧ୍ୟରେ ଭାଇଚାରା ସଂପର୍କର ସେତୁ ଅନ୍ୟମାନଙ୍କ ପାଇଁ ବାର୍ତା ଓ ଉଦାହରଣ ।