ବ୍ରଜରାଜନଗର: ବ୍ରଜରାଜନଗର ଥାନା ଅନ୍ତର୍ଗତ କୁଦପାଲି ଜଙ୍ଗଲରେ ସୋମବାର ସନ୍ଧ୍ୟାରେ ୭ ଜଣ ଡକାୟତ ଏକ ବଡ଼ ଧରଣର ଡକାୟତି ପାଇଁ ଯୋଜନା କରୁଥିବା ରାମପୁର ଫାଣ୍ଡି ଅଧିକାରୀ ଶଶି ଭୂଷଣ ମିଶ୍ର ଖବର ପାଇଥିଲେ। ଏ ନେଇ ସେ ବ୍ରଜରାଜନଗର ଥାନା ଦାଇତ୍ୱରେ ଥିବା ଓରିଏଣ୍ଟ ଥାନା ଆଇଆଇସି କଲ୍ୟାଣୀ ବେହେରାଙ୍କୁ ସୂଚନା ଦେଇଥିଲେ। ସୂଚନା ପାଇବା ପରେ ଶ୍ରୀମତୀ ବେହେରା ଓ ଏସ୍ଡିପିଓ ଗୁପ୍ତେଶ୍ଵର ଭୋଇ ସଦଳବଳେ ଜଙ୍ଗଲରେ ଚଢ଼ଉ କରି ସୋନୁ ଘୋଷ, ଚରଞ୍ଜିତ ସିଂ, ସନ୍ତୋଷ ବିଶ୍ୱାଳ, ଧନଞ୍ଜୟ କିଷାନକୁ ଗିରଫ କରିଥିଲେ। ତେବେ ଅନ୍ୟ ୩ ଜଣ ଫେରାର୍ ହୋଇଯାଇଥିଲେ।
ପୁଲିସ୍ ସେମାନଙ୍କଠାରୁ ଗୋଟିଏ ପିସ୍ତଲ, ୪ଟି ଜୀବନ ଗୁଳି ଜବତ କରିଥିଲା। ସେହିପରି ଆଜି ସକାଳେ ପୁଲିସ୍ ଅନ୍ୟତମ ଅଭିଯୁକ୍ତ ଦିନେଶ ସେନାପତିକୁ ମଧ୍ୟ ଗିରଫ କରିଥିଲା। ଏ ନେଇ ବ୍ରଜରାଜନଗର ଥାନା କେସ ନଂ. ୨୫୨/୨୨, ଆଇପିସିର ଧାରା ୩୯୯, ୪୦୨ ଓ ଅସ୍ତ୍ରଶସ୍ତ୍ର ଆଇନ ୨୫ରେ ମାମଲା ରୁଜୁ କରି ଦୁଇଟି ପର୍ଯ୍ୟାୟରେ ୫ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଶ୍ରୀମତୀ ବେହେରା ସୂଚନା ଦେଇଛନ୍ତି। ଚଢ଼ଉରେ ଆଇଆଇସି ଓ ଏସ୍ଡିପିଓଙ୍କ ସମେତ ଫାଣ୍ଡି ଅଧିକାରୀ ଶ୍ରୀ ମିଶ୍ର, ଏସ୍ଆଇ ଦଶରଥ ଟୁଡୁ, ଅଭୟ ମହାନ୍ତି, ସମରା କୁଜୁର ସାମିଲ ଥିଲେ।