ସର୍ବକ୍ଷମା ଯୋଜନା ଫେଲ୍, କଣ୍ଟ ପୂରିଲା, ଆଉ ୬ ମାସ ବଢ଼ିବ!

ଘର ଉଚ୍ଚତା, ପାର୍କିଂ ଫି’ ସଂଶୋଧନ ହୋଇପାରେ, ଏଫ୍ଏଆର୍‌୨ରୁ ୩କୁ ବଢ଼ିପାରେ

ଭୁବନେଶ୍ବର: ଯାହା ଆଶଙ୍କା କରାଯାଉଥିଲା ସେୟା ହେଲା। ବେଆଇନ ନିର୍ମାଣକୁ ଆଇନସମ୍ମତ କରିବା ପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆସିଥିବା ସର୍ବକ୍ଷମା ଯୋଜନା ଫେଲ୍ ମାରିଲା। ଅଧିକ ରାଜସ୍ବ ଆଦାୟ ଚକ୍କରରେ ରାଜ୍ୟ ସରକାର ଘର ମାଲିକଙ୍କ ଉପରେ ଯେଉଁ ଥୋପ ପକାଇଥିଲେ ତାହା କାମ ଦେଲାନି। ସାମାନ୍ୟ ନିୟମ ଉଲ୍ଲଂଘନ କରି ନିର୍ମାଣ କରିଥିବା ଘରେ ପଛେ ରହିବେ କିନ୍ତୁ ସରକାରଙ୍କୁ ଲକ୍ଷ ଲକ୍ଷ ଟଙ୍କା ଜରିମାନା ଦେବେନି ବୋଲି ରାଜ୍ୟର ୯ଟି ଉନ୍ନୟନ କର୍ତ୍ତୃପକ୍ଷଙ୍କ ବାସିନ୍ଦା ସ୍ଥିର କରିନେଇଛନ୍ତି। କେବଳ ସାଧାରଣ ଲୋକ ନୁହେଁ, ଏହି ଯୋଜନା ହସ୍ପିଟାଲ ଓ କ୍ଲିନିକ୍‌କୁ ନଜରରେ ରଖି ଅଣାଯାଇଥିବା ବେଳେ ସର୍ବକ୍ଷମାରେ ଗୋଟିଏ ବି ଆବେଦନ ଆସିଲାନି। ଗୋଟିଏ ହୋଟେଲ୍‌କୁ ଛାଡ଼ି ଆଉ କେହି ଆବେଦନ କଲେନି। ହାତଗଣତି ଆପାର୍ଟମେଣ୍ଟ, ଶିକ୍ଷାନୁଷ୍ଠାନ, ଉଚ୍ଚ ଅଟ୍ଟାଳିକା କରିଥିବା ଲୋକ ଆବେଦନ କଲେ। ଫଳରେ ସର୍ବକ୍ଷମା ଯୋଜନା କଣ୍ଟ ପୂରିବାକୁ ଦିନଟିଏ ବାକି ଥିବାବେଳେ ୯ଟି ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଞ୍ଚଳରେ ମାତ୍ର ୯୦୦ ଆବେଦନ ଆସିଛି। ସର୍ବକ୍ଷମା ଯୋଜନା ଫେଲ୍ ମାରିବା ପରେ ନଗନ ଉନ୍ନୟନ ବିଭାଗ ପକ୍ଷରୁ ଏନେଇ ତନାଘନା ଆରମ୍ଭ ହୋଇଛି। କେମିତି ଓ କାହିଁକି ଏହି ଯୋଜନା ଫେଲ୍ ମାରିଲା ସେନେଇ ବିଭାଗୀୟ ଅଧିକାରୀ ଏବେ ଦୋଷ ଲଦାଲଦି ହେଲେଣି। ଏପଟେ ସର୍ବକ୍ଷମା ଯୋଜନାରେ ଅଧିକ ଲୋକ ଉପକୃତ ହୋଇନଥିବାରୁ ଏହାକୁ ଆଉ ୬ମାସ ବଢ଼ାଇବାକୁ ନଗର ଉନ୍ନୟନ ବିଭାଗ ଚିନ୍ତା କରୁଥିବା ଜଣାପଡ଼ିଛି। ଏପରିକି ଆସନ୍ତା ୬ମାସ ମଧ୍ୟରେ ଯେପରି ଅଧିକରୁ ଅଧିକ ଲୋକ ଆବେଦନ କରିବେ ସେଥିପାଇଁ ଘର ଉଚ୍ଚତା କ୍ଷେତ୍ରରେ ଥିବା ପ୍ରତିବନ୍ଧକ, ପାର୍କିଂ ଅଞ୍ଚଳ କୋହଳ କରିବା ଦିଗରେ ନଗର ଉନ୍ନୟନ ବିଭାଗ ଚିନ୍ତା କରୁଛି। ଏପରିକି ‌ଫ୍ଲୋର୍ ଏରିଆ ରେସିଓ (ଏଫ୍‌ଏଆର୍‌) ୨ରୁ ୩କୁ ବଢ଼ାଇବାକୁ ଆଲୋଚନା ଚାଲିଛି। କିନ୍ତୁ ହକି ବିଶ୍ବକପ୍‌ ଆୟୋଜନରେ ଅଧିକାରୀମାନେ ବ୍ୟସ୍ତ ଥିବାରୁ ଏବଂ ବିଭାଗୀୟ ସଚିବ ଅନୁପସ୍ଥିତ ଥିବାରୁ ଏନେଇ ଆଲୋଚନା ହୋଇପାରିନାହିଁ। ବୁଧବାର ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ବସି ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।

ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଘର ଉଚ୍ଚତା ଏବେ ସର୍ବାଧିକ ୧୫ମିଟର ଥିବାବେଳେ ଏହାକୁ ୧୮ମିଟର ପର୍ଯ୍ୟନ୍ତ ବା ଅଧିକ କରିବାକୁ ଯୋଜନା ହେଉଛି। ସେହିପରି ଯେଉଁମାନେ ସେମି କମର୍ସିଆଲ, କମର୍ସିଆଲ୍ ବିଲଡିଂ ପ୍ଲାନ୍‌ ନେଇଥିବେ, ଆପାର୍ଟମେଣ୍ଟ ନିର୍ମାଣ କରିଥିବେ ସେଥିପାଇଁ ମହାନଗର ନିଗମ ଅଞ୍ଚଳରେ ଯଦି ନିୟମ ଅନୁଯାୟୀ ପାର୍କି˚ ପାଇଁ ଜାଗା ଛଡ଼ାଯାଇନଥିବ ତେବେ ଆବାସିକ ଘର (ଆପାର୍ଟମେଣ୍ଟ) ପାଇଁ ବର୍ଗମିଟର ପିଛା ୧୦ହଜାର ଟଙ୍କା, ଅଣ ଆବାସିକ ପାଇଁ ୧୭,୫୦୦ଟଙ୍କ ଧାର୍ଯ୍ୟ ହୋଇଛି। ମ୍ୟୁନିସପାଲଟିରେ ଏହା ବର୍ଗମିଟର ପିଛା ଯଥାକ୍ରମେ ୮ହଜାର ଓ ୧୫ହଜାର, ଏନ୍‌ଏସିରେ ୬ହଜାର ଓ ୧୩ହଜାର ଏବ˚ ଗ୍ରାମାଞ୍ଚଳରେ ୫ହଜାର ଓ ୧୦ହଜାର ଟଙ୍କା ଧାର୍ଯ୍ୟ ହୋଇଛି। ଏହି କ୍ଷେତ୍ରରେ ପାର୍କିଂ ଅଞ୍ଚଳ ପାଇଁ ଜମି ଛାଡ଼ିବା ନିୟମ କୋହଳ କରିବା ନେଇ ବି ନିଷ୍ପତ୍ତି ହୋଇପାରେ। ନଗର ଉନ୍ନୟନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏଥରର ସର୍ବକ୍ଷମା ଯୋଜନାରେ ମହାନଗର ନିଗମ, ମ୍ୟୁନିସପାଲ୍‌ଟି, ଏନ୍‌ଏସି ଓ ଗ୍ରାମାଞ୍ଚଳ ଭଳି ଚାରିଟି ଭାଗରେ ବିଭକ୍ତ କରାଯାଇଛି। ଏହାସହ କମ୍ପାଉଣ୍ଡିଂ ଫି’, ଏଫ୍‌ଏଆର୍‌ ମୂଲ୍ୟ (ବେଞ୍ଚମାର୍କ ମୂଲ୍ୟ ଉପରେ) ଏବଂ ପାର୍କିଂ ଫି’କୁ ହିସାବ କରି ଜରିମାନା ଧାର୍ଯ୍ୟ ହେଉଛି। ଯାହା ୧୦ବର୍ଷ ତଳେ ଆସିଥିବା ଯୋଜନାରେ ଧାର୍ଯ୍ୟ ହୋଇଥିବା ଫି’ ଠାରୁ ବହୁଗୁଣା ଅଧିକ। ଏବେ ନୂଆକରି ଏଫ୍‌ଏଆର୍‌ ୨କୁ କଡ଼ାକଡ଼ି କରାଯାଇଥିବାରୁ ଲୋକଙ୍କୁ ଘର କରିଥିବା ଜମିର ବେଞ୍ଚମାର୍କ ମୂଲ୍ୟର ଅଧା ଦେବାକୁ ପଡ଼ୁଛି। ଏଥିରେ ରାଜଧାନୀରେ ଘର କରିଥିବା ଲୋକଙ୍କୁ ବର୍ଗଫୁଟ ପିଛା ପ୍ରାୟ ୨ହଜାର ଟଙ୍କା ଦେବାକୁ ପଡ଼ୁଛି। ଏହାକୁ କୋହଳ କରିବାକୁ ବି ଦାବି ହେଉଛି। ଏହାବାଦ୍ ବିଡିଏ ଅଞ୍ଚଳରେ ୧୦% ସେଟ୍‌ ବ୍ୟାକ୍ ଉଲ୍ଲଂଘନକୁ ମାଫ୍ କରାଯାଉଥିବାବେଳେ ବାକି ଅଞ୍ଚଳରେ ୨୫% ସେଟ୍‌ ବ୍ୟାକ୍ ଉଲ୍ଲଂଘନକାରୀଙ୍କୁ ମାଫ୍ କରିବାକୁ ନିୟମ ହୋଇଛି। ଏହାକୁ ସବୁ ଉନ୍ନୟନ କର୍ତ୍ତୃପକ୍ଷଙ୍କ ୨୫% ରଖିବାକୁ ଦାବି ହେଉଛି। ତେଣୁ ଏକ୍ଷେତ୍ରରେ ବି ନିଷ୍ପତ୍ତି ହୋଇପାରେ। ଏହାସହ ଏହି ଯୋଜନାରେ ଆବେଦନ କରିବା ପାଇଁ ବିଭିନ୍ନ ସଂସ୍ଥାରୁ ଏନ୍‌ଓସି ଆଣିବାକୁ କୁହାଯାଉଥିବାବେଳେ ଏଥିପାଇଁ ସିଙ୍ଗିଲ୍‌ ୱିଣ୍ଡୋ ବ୍ୟବସ୍ଥା କରିବାକୁ କୁହାଯାଉଛି। ଏନେଇ ମଧ୍ୟ କିଛି ନିଷ୍ପତ୍ତି ହୋଇପାରେ। ଅପରପକ୍ଷେ ୨୦୦୭-୦୮ ମସିହାରେ ସର୍ବକ୍ଷମା ଯୋଜନା ଆସିଥିବାବେଳେ ଏଥିରେ ଆବେଦନ ପ୍ରକ୍ରିୟା ବହୁତ ସରଳ ଥିଲା। ଏଥିରେ ପ୍ରାୟ ୪ହଜାର ଲୋକ ଆବେଦନ କରିଥିଲେ। ଏହି ସମୟରେ ସର୍ବକ୍ଷମା ଯୋଜନା ଫେଲ୍ ମାରିଲା ବୋଲି ନଗର ଉନ୍ନୟନ ବିଭାଗ ସ୍ବୀକାର କରିଥିଲା। କିନ୍ତୁ ୨୦୧୮ରେ ଯେଉଁ ନିୟମ ଆଣିଲେ ସେଥିରେ ଆବେଦନ ପ୍ରକ୍ରିୟା ଅଧିକ ଜଟିଳ କରିବା ସହ ଅଧିକ ଜରିମାନା ଗ୍ରାହକଙ୍କ ଉପରେ ଲଦି ଦେବାରୁ ବେଆଇନ ନିର୍ମାଣକାରୀ ଆବେଦନ କଲେନି। ଫଳରେ ୯ଟି ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଞ୍ଚଳରେ ମାତ୍ର ୯୦୦ ଆବେଦନରେ ସୀମିତ ରହିଲା। ବିଡିଏରେ ସର୍ବାଧିକ ୭୫୦ଜଣ ଆବେଦନ କରିଥିବାବେଳେ ସିଡିଏରେ ପ୍ରାୟ ୯୦ଜଣ ଆବେଦନ କରିଛନ୍ତି। ବାକି ଅଞ୍ଚଳରେ ବହୁତ କମ୍ ଆବେଦନ ଆସିଛି।

ସୂଚନାଯୋଗ୍ୟ ଯେ, ରାଜ୍ୟର ୯ଟି ଉନ୍ନୟନ କର୍ତ୍ତୃପକ୍ଷ ଯଥା ବିଡିଏ, ସିଡିଏ, ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ, ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ, ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷ, ପୁରୀ-କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ, କଳିଙ୍ଗ ନଗର ଉନ୍ନୟନ କର୍ତ୍ତୃପକ୍ଷ, ତାଳଚେର-ଅନୁଗୁଳ-ମେରାମଣ୍ତଳି ଉନ୍ନୟନ କର୍ତ୍ତୃପକ୍ଷ, ପାରାଦୀପ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଧୀନରେ ଗଢ଼ି ଉଠିଥିବା ବେଆଇନ ନିର୍ମାଣକୁ ଆଇନସମ୍ମତ ବା ରେଗୁଲାରାଇଜ୍‌ କରିବା ପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜୁନ୍‌ ୨୦ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିରେ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଧୀନରେ ଯଦି କେହି କର୍ତ୍ତୃପକ୍ଷଙ୍କ ବିନା ଅନୁମୋଦନରେ ବା ଅନୁମୋଦନ ଠାରୁ ଅଧିକ ଅଞ୍ଚଳରେ ଆବାସିକ ଘର, ଆପାର୍ଟମେଣ୍ଟ, ହସ୍ପିଟାଲ, ସରକାରୀ କିମ୍ବା ବେସରକାରୀ କାର୍ଯ୍ୟାଳୟ ବା କୌଣସି ପ୍ରକାରର ନିର୍ମାଣ କରିଛନ୍ତି ସେମାନଙ୍କୁ କ୍ଷମା କରିବାକୁ ଯୋଜନା ହୋଇଥିଲା। ଏଥିପାଇଁ ୬ମାସ ସମୟ ଦିଆଯାଇଥିବାବେଳେ ଏହା ଡିସେମ୍ବର ୧୯ରେ ଶେଷ ହେଉଛି।

ସମ୍ବନ୍ଧିତ ଖବର