ବନ୍ଧୁକରେ ବନ୍ଧକ ମାମଲା: ଜେଲ ଗଲା ବିଫଳ ପ୍ରେମିକ

ତିନିରାଉଣ୍ଡ ଚଳାଇଥିଲା ଗୁଳି, ବିକ୍ରମ ନାଁରେ ଆର୍ମସ ଆକ୍ଟରେ ୨ ମାମଲା ରୁଜୁ, ବନ୍ଧୁକ, ଛୁରି ଓ ବାଇକ୍‌ ଜବତ

ବଲାଙ୍ଗୀର : ବଲାଙ୍ଗୀରରେ ଛଅଘଣ୍ଟାର ମୁଣ୍ଡ ଜାମିନ ନାଟକକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା। ପ୍ରେମରେ ବିଫଳ ହୋଇଥିବା ପ୍ରେମିକ ବିକ୍ରମ ପଣ୍ଡା କରିଥିଲା ଉନ୍ମତ୍ତକାଣ୍ଡ। ଶାନ୍ତିପଡ଼ାସ୍ଥିତ ଯୁବତୀଙ୍କ ମାମୁ ଘରକୁ ଯାଇ ପରିବାରର ସ୍ୱାମୀ, ସ୍ତ୍ରୀ ଓ ପୁଅଙ୍କୁ ଗନ୍‌ପଏଣ୍ଟରେ ରଖିଥିଲା। ମଙ୍ଗଳବାର ଛଅଘଣ୍ଟାର ଅପରେସନ ପରେ ବିକ୍ରମକୁ କାବୁ କରିଥିଲା ପୁଲିସ। ପୁଲିସ ନିଜପକ୍ଷରୁ ଓ ଦିବ୍ୟଲୋଚନ ହୋତାଙ୍କ ଏତଲାକ୍ରମେ ବିକ୍ରମ ନାଁରେ ପୃଥକ ପୃଥକ ଦୁଇଟି ମାମଲା ରୁଜୁ କରି କୋର୍ଟଚାଲାଣ କରାଯାଇଥିବା ନେଇ ସଦର ଏସ୍‌ଡିପିଓ ତୋଫାନ ବାଗ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। କୋର୍ଟରେ ଜାମିନ ନାମଂଜୁର ହେବାରୁ ତାକୁ ଜେଲକୁ ପଠାଯାଇଛି।

ଏସଡିପିଓଙ୍କ ସୂଚନାରୁ ପ୍ରକାଶ ଯେ ବିକ୍ରମ ପ୍ରେମରେ ବିଫଳ ହେବା ପରେ ଏଭଳି କାଣ୍ଡ କରିଥିଲା। ପ୍ରଥମେ ସେ ଯୁବତୀଙ୍କ ଗାଁକୁ ଯାଇ ଖୋଜାଖୋଜି କରିଥିଲା। ତାପରେ ସେ ସକାଳୁ ଯୁବତୀଙ୍କ ମାମୁ ଦିବ୍ୟଲୋଚନଙ୍କ ଘରକୁ ଆସିଥିଲା। ଘରେ ପଶିବା ପରେ ଦିବ୍ୟଲୋଚନଙ୍କୁ ବନ୍ଧୁକ ଦେଖାଇ ଭାଣିଜୀକୁ ଡାକିବାକୁ କହିଥିଲା। ପରିବାର ଲୋକଙ୍କୁ ବନ୍ଧୁକ ଓ ଛୁରି ଦେଖାଇ ଭୟଭୀତ କରିଥିଲା। ସେମାନେ ସବୁ ଭୟରେ ଥିଲେ। ପୁଲିସ ପିସିଆର୍‌ ଖବର ପାଇ ୯ଟାରେ ପହଞ୍ଚିଥିଲା। ବିକ୍ରମକୁ ଆତ୍ମସମର୍ପଣ ପାଇଁ କହିବାରୁ ସେ ନିଜକୁ ଗୁଳି ଚଳାଇବ ନହେଲେ ପରିବାର ସଦସ୍ୟଙ୍କୁ ଗୁଳି ମାରିବାର ଧମକ ଦେଇଥିଲା। ଏସ୍‌ଡିପିଓ ଏବଂ ଆଇଆଇସି ପହଞ୍ଚିବା ପରେ ବି କିଛି ଶୁଣିନଥିଲା। ପରିବାର ଲୋକଙ୍କୁ ଉଦ୍ଧାର କରିବାକୁ ପୁଲିସ ଯୋଜନା କରି ସଫଳ ହୋଇଥିଲା। ପ୍ରଥମେ ୩ ଜଣଙ୍କୁ ଉଦ୍ଧାର କରିବା ପରେ ଟିକିଏ ଆଶ୍ୱସ୍ତି ମିଳିଥିଲା। ବିକ୍ରମକୁ ମଧ୍ୟ ସୁରକ୍ଷିତ ବାହାର କରିବାକୁ ଯୋଜନା କରାଯାଇଥିଲା। ସେଥିପାଇଁ ସାଙ୍ଗସାଥୀ, ଗଣମାଧ୍ୟମ ପ୍ରତିନିଧି, ପରିବାର ସଦସ୍ୟଙ୍କୁ ଡକାଯାଇ ବାହାରୁ ସେମାନେ ତାକୁ ବାହାରକୁ ଆସି ଆତ୍ମସମର୍ପଣ କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ସେ କାହା କଥା ଶୁଣିବାକୁ ନାରାଜଥିଲା। ରାଗିଯାଇ ୧୨ଟା ୫ରେ ପ୍ରଥମେ ଗୋଟିଏ ରାଉଣ୍ଡ ଗୁଳି ଚାଳନା କରିଥିଲା। ପରେ ଅପରାହ୍ନ ୨ଟା ୧୫ ମି ସମୟରେ ଲଗାତାର ଗୋଟିଏ ପରେ ଗୋଟିଏ ଦୁଇରାଉଣ୍ଡ ଗୁଳି ଚଳାଇଥିଲା।

ଏହି ସମୟରେ ଘରର ପଛପଟୁ ଏସ୍‌ଡିପିଓ, ଆଇଆଇସିଙ୍କ ନେତୃତ୍ୱରେ ପୁଲିସ ଟିମ୍‌ ଏବଂ ସାମ୍ନା ପଟୁ ଏସ୍‌ଆଇ କେ.କୋଶଲା ଓ ପୁଲିସ ଟିମ୍‌ ମାଡ଼ି ବସି କାବୁ କରିଥିବା ଏସ୍‌ଡିପିଓ ସୂଚନା ଦେଇଛନ୍ତି। ଗୁଳି ଦୁଇରାଉଣ୍ଡ ଚଳାଇଥିବା ତଳେ ପଡ଼ିଥିବା ଖୋକା ଦେଖି ପ୍ରଥମେ ଜଣାପଡ଼ିଥିଲା। କିନ୍ତୁ ଆଉ ଏକ ରାଉଣ୍ଡ ଗୁଳି ଚଳାଇଥିବା ପିସ୍ତଲ ଯାଞ୍ଚ ସମୟରେ ଜଣାପଡ଼ିଥିଲା ବୋଲି ଏସ୍‌ଡିପିଓ କହିଛନ୍ତି। ଘଟଣାକୁ ନେଇ ବିକ୍ରମକୁ ପୁଲିସ ପଚରାଉଚୁରା କରିବାରେ ସେ ତାର ପ୍ରେମ କାହାଣୀ ସବୁ ପୁଲିସ ଆଗରେ ବର୍ଣ୍ଣନା କରିଥିବା କହିଛନ୍ତି। ଯାହାଙ୍କ ଘରେ ପଶିଥିଲା ତାଙ୍କ ସଂପର୍କୀୟ ଭାଣିଜୀ ସହ ତାର ପ୍ରେମ ସଂପର୍କ ଥିଲା। ଉଭୟ ପଟରୁ ପ୍ରେମ ସଂପର୍କ ଥିବା ନେଇ ସେ ପୁଲିସକୁ କହିଥିବା ଏସ୍‌ଡିପିଓ କହିଛନ୍ତି। ପୁଲିସ ସମଗ୍ର ଘଟଣାକୁ ନେଇ ବିକ୍ରମ ପଣ୍ଡା ବିରୋଧରେ କେସ୍‌ ନଂ-୩୩୩, ଦଫା- ୩୪୨, ୪୫୦, ୩୫୩, ୨୯୪, ୫୦୬, ୩୦୭ ଆଇପିସି ୨୫/୨୭ ଆର୍ମସ ଆକ୍ଟରେ ମାମଲା ରୁଜୁ କରିଛି। ସେହିପରି ଦିବ୍ୟଲୋଚନଙ୍କ ଏତଲାକ୍ରମେ କେସ ନଂ-୩୩୪, ଦଫା-୩୪୨, ୪୫୦, ୨୯୪, ୫୦୬, ୩୦୭ ଆଇପିସି/୨୫/୨୭ ଆର୍ମସ ଆକ୍ଟରେ ମାମଲା ରୁଜୁ କରିଛି। ଉଭୟ ମାମଲାରେ ବିକ୍ରମକୁ ପୁଲିସ କୋର୍ଟଚାଲାଣ କରିଛି। ବିକ୍ରମ ପାଖରୁ ଏକ ପିସ୍ତଲ, ୨୯ ସିଏମର ଛୁରି, ଗନ୍‌ ପାଉଡର, ବାଇକ୍‌ (ଓଡି ୦୩ ଏ ୭୦୮୦)କୁ ଜବତ କରିଛି। ମୋଟାମୋଟି ପ୍ରେମରେ ବିଫଳ ହେବା ପରେ ବିକ୍ରମ ଏଭଳି କାଣ୍ଡ କରିଥିବା ଏସ୍‌ଡିପିଓ କହିଛନ୍ତି।

ସଫଳତାରେ କଳାଛିଟା ବେଆଇନ ବନ୍ଧୁକ
ବିକ୍ରମ ବନ୍ଧୁକ କେଉଁଠୁ ପାଇଲା ସେ ନେଇ ଏବେ ବିଭିନ୍ନ ମହଲରେ ପ୍ରଶ୍ନ। ପୁଲିସ ପଚରାଉଚୁରା କରିବାରୁ ବିକ୍ରମ ତା ପାଖରେ ଗତ ଦୁଇତିନି ବର୍ଷ ହେଲା ବନ୍ଧୁକ ଥିଲା ବୋଲି ପୁଲିସକୁ କହିଛି। ଏସ୍‌ଡିପିଓ କହିଛନ୍ତି, କେଉଁଠୁ ଓ କାହା ପାଖରୁ ବନ୍ଧୁକ ଆଣିଥିଲା ସେ ଦିଗରେ ତଦନ୍ତ କରାଯିବ। ସୂଚନାଯୋଗ୍ୟ ଯେ ବଲାଙ୍ଗୀରରେ ବେଆଇନ ବନ୍ଧୁକ ବହୁବାର ପୁଲିସ ଜବତ କଲାଣି। ସବୁ ସମୟରେ ପୁଲିସ ବନ୍ଧୁକ କେଉଁଠୁ ଆସିଛି ତାହାର ତଦନ୍ତ ହେବ କହି ପରବର୍ତ୍ତୀ ସମୟରେ ତାହାକୁ ଧ୍ୟାନ ଦେଇନଥାଏ। ଏଥର ଏହି ଘଟଣା ପରେ ଲୋକେ ବନ୍ଧୁକ କାରବାରକୁ ନେଇ ପୁଲିସ ଉପରେ ପ୍ରଶ୍ନ ଉଠାଉଛନ୍ତି। ଏ ନେଇ ଏସ୍‌ଡିପିଓ କହିଛନ୍ତି, ଗୁରୁତ୍ବର ସହକାରେ ଏହି ପ୍ରସଙ୍ଗକୁ ପୁଲିସ ନେଇଛି। ପୁଲିସ ଏକ ସ୍ୱତନ୍ତ୍ର ଟିମ ଗଠନ କରିବ ଓ ବନ୍ଧୁକ କାରବାରରେ ଜଡ଼ିତ ଥିବା ରାକେଟର ପର୍ଦ୍ଦାଫାସ କରିବ ବୋଲି ସେ ସୂଚନା ଦେଇଛନ୍ତି।

ଘୂରି ବୁଲୁଛି ଯୁବତୀଙ୍କ ଫଟୋ
ବିକ୍ରମ ଯେଉଁ ଯୁବତୀଙ୍କ ସହ ପ୍ରେମ ସଂପର୍କ ରଖିଥିବା କହୁଛି ତାଙ୍କର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ବିଭିନ୍ନ ଯୁବଗୋଷ୍ଠୀ ଏହାକୁ ଫେସବୁକ, ହ୍ୱାଟସଆପ ଆଦିରେ ଅପଲୋଡ କରୁଛନ୍ତି। ଏହାକୁ ନେଇ ପୁଲିସ କହିଛି ଯେ ଯଦି ଯୁବତୀ ଜଣକ ପରିବାର ପକ୍ଷରୁ କାହା ନାଁରେ ଅଭିଯୋଗ ଆସେ ତାହେଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ।

ପ୍ରେମରେ ପରିବାର ଥିଲେ ବାଧକ!
ପ୍ରେମ ଗଭୀର ଥିବା ନେଇ ପ୍ରତିକ୍ରିୟାରେ କହିଛି ବିକ୍ରମ। ଏପରିକି ମୋବାଇଲ ତାର ଦେଲେ ପ୍ରେମ ଗୋଟିଏ ପଟୁ ନା ଉଭୟ ପଟୁ ଥିଲା ତାହା ଦେଖାଇଦେବ ବୋଲି ସେ ଗଣମାଧ୍ୟମକୁ କହିଛି। କିନ୍ତୁ ପରିବାରବର୍ଗ ତାର ପ୍ରେମିକାର ବାହା ଘର ଠିକ କରି ଚାଲିଥିଲେ। ଆଲୋଚନା କରିବାକୁ ସେ ପ୍ରଥମେ ଚେଷ୍ଟା କରିଥିଲା। କିନ୍ତୁ ଆଲୋଚନା ପାଇଁ ରାଜି ନଥିବାରୁ ସେ ଚରମ ନିଷ୍ପତ୍ତି ନେଇଥିଲା ବୋଲି କହିଛି।

ମୁଁ ବିକ୍ରମ କହୁଛି… ମୁଁ ପାଗଳ ପ୍ରେମୀ କହୁଛି…
ଶାନ୍ତିପଡ଼ାର ହାଇଭୋଲଟେଜ ଡ୍ରାମାର ମାଷ୍ଟରମାଇଣ୍ଡ ବିକ୍ରମ ପଣ୍ଡାକୁ ନେଇ ଏବେ ସବୁଠି ଚର୍ଚ୍ଚା। ଗାଁଠୁ ସହର ସବୁଠି ବିକ୍ରମ ଓରଫ ବିକିର ଲଭ୍‌ଷ୍ଟୋରିକୁ ନେଇ ବିଚାରବିମର୍ଶ। କାରଣ ଆଜି ବିକ୍ରମକୁ ଟାଉନ ପୁଲିସ ମେଡିକାଲ ପରୀକ୍ଷା ପାଇଁ ନେବା ସମୟରେ ନିଜର ପୂରା କାରନାମା ଉପରେ ବୟାନ ରଖିଥିଲା ବିକ୍ରମ ପଣ୍ଡା। ସେ କହିଥିଲା, ‘ମୁଁ ପାଗଳ ଭଳି ସେ ଝିଅକୁ ପ୍ରେମ କରୁଥିଲି। ଦୁଇବର୍ଷ ଧରି ମୋ ସହ ଥିଲା ତାର ଥିଲା ପ୍ରେମ ସଂପର୍କ। ବାହାଘର ପ୍ରସ୍ତାବ ନେଇ ତାଙ୍କ ଘରକୁ ଯାଇଥିଲି। କିନ୍ତୁ ମୁଁ ଜଣେ ବ୍ୟବସାୟୀ ହୋଇଥିବାରୁ ଝିଅର ବାପା ମନା କରିଦେଇଥିଲେ। କାରଣ ତାଙ୍କ ଝିଅ ସରକାରୀ ଚାକିରି ପାଇଯାଇଥିଲା। ତେଣୁ ସେମାନେ ସରକାରୀ ଚାକିରିଆ ଜ୍ୱାଇଁ ଖୋଜୁଥିଲେ। ମୁଁ ଝିଅର ବାପାକୁ ଆମ ଦୁହିଁଙ୍କ ପ୍ରେମ ସଂପର୍କ କଥା କହିଥିଲି। ତାର ବାପା କହିଥିଲେ ତାହା ଟାଇମ ପାସ। ଝିଅଠାରୁ ଶୁଣିବାକୁ ଚାହୁଁଥିଲି ଯେ ତାର ମୋ ପ୍ରତି ପ୍ରେମ ଟ୍ରୁ ଲଭ ଥିଲା ନା ଟାଇମ ପାସ। କିନ୍ତୁ ମୋତେ ଝିଅ ସହିତ କଥାବାର୍ତ୍ତା କରେଇବାକୁ ଦେଲେ ନାହିଁ। ବହୁ ଚେଷ୍ଟା କରି ମଧ୍ୟ ତା ସହିତ କଣ୍ଟାକ୍ଟ କରିପାରିଲି ନାହିଁ। ତାକୁ ଭେଟିବା ପାଇଁ ତାଙ୍କ ଗାଁକୁ ଗଲି। କିନ୍ତୁ ସେଠାରେ ମଧ୍ୟ ଭେଟିଲି ନାହିଁ। ପ୍ରେମିକାଠାରୁ ବିଚ୍ଛେଦକୁ ସହିନପାରି ମୁଁ ମାନସିକ  ଦୁଶ୍ଚିନ୍ତା ଆଡକୁ ଚାଲିଗଲି। ଆଉ ଶେଷରେ ଏଭଳି କାଣ୍ଡ କଲି। ମୁଁ ବନ୍ଧୁକ ଧରି ଯିବା ଭୁଲ। କିନ୍ତୁ ମୁଁ ଏଥିପାଇଁ ନୋ ଗିଲ୍ଟ ନୋ ସେମ… ଲଜ୍ଜିତ ନୁହେଁ କି ଅନୁତପ୍ତ  ନୁହେଁ।’ କିନ୍ତୁ ବିକ୍ରମର ଏହି ବୟାସରେ କେତେ ସତ କେତେ ମିଛ ପୁଲିସ ତଦନ୍ତ ପରେ ଜଣାପଡ଼ିବ।

ଚର୍ଚ୍ଚାରେ ବିକ୍ରମର ବେଆଇନ ବନ୍ଧୁକ
ଶାନ୍ତଶିଷ୍ଟ ବିକ୍ରମ, ପ୍ରେମ ପାଇଁ ପାଳଟିଯାଇଥିଲା ଅଶାନ୍ତ। ଆଉ ଶାନ୍ତିପଡ଼ାରେ ଅଶାନ୍ତିର ନାଟକ। କିନ୍ତୁ ବିକ୍ରମ ଗଣମାଧ୍ୟମକୁ ଦେଇଥିବା ବୟାନ ଅନୁସାରେ, ତାପାଖରେ ଥିଲା ବେଆଇନ ଦେଶୀ ବନ୍ଧୁକ। ଦିନେ କି ଦୁଇଦିନ ନୁହେଁ ଦୁଇ ବର୍ଷ ହେଲା ବିନା ଲାଇସେନସରେ ବେଆଇନ ଭାବରେ ବନ୍ଧୁକ ରଖିଥିଲା। ଯଦି ଗତ କିଛିମାସ ହେବ ବିକ୍ରମ ପ୍ରେମ ପାଇଁ ମାନସିକ ଦୁଶ୍ଚିନ୍ତାରେ ଥିଲା, ତେବେ ଦୁଇବର୍ଷ ହେଲା କଣ ପାଇଁ ବନ୍ଧୁକ ରଖିଥିଲା? ଯଦି ସାଂଗମାନଙ୍କ କହିବା ଅନୁସାରେ ବିକ୍ରମ ଶାନ୍ତଶିଷ୍ଟ ପିଲା, ତେବେ କ୍ରିମିନାଲଙ୍କ ଭଳି ବେଆଇନ ବନ୍ଧୁକ କଣ ପାଇଁ ରଖିଥିଲା? ବିକ୍ରମର ଦୁଇଟି ରୂପ ନାହିଁ ତ? ଉପରେ ଉପରେ ଶାନ୍ତଶିଷ୍ଟ ଏବଂ ଭିତରେ ଅପରାଧିକ କାର୍ଯ୍ୟାକଳାପରେ ଲିପ୍ତ ନଥିଲା ତ? ଡବଲ ରୋଲ କରୁଥିଲା ବିକ୍ରମ ପଣ୍ଡା? ଏସବୁ ଦିଗରେ ତଦନ୍ତ କରୁଛି ବଲାଙ୍ଗୀର ପୁଲିସ। । କିନ୍ତୁ ସାଂଗସାଥୀ ମହଲରେ ଅନ୍ୟ ଏକ କଥା ଚର୍ଚ୍ଚା ହେଉଛି। ସେ ଯାହା ହେଉ  ସହର ଭିତରେ ବେଆଇନ ବନ୍ଧୁକ ଘୂରି ବୁଲୁଥିବା ସ୍ପଷ୍ଟ ହୋଇଛି।

ସମ୍ବନ୍ଧିତ ଖବର