ବିଫଳ ପ୍ରେମିକର ଉନ୍ମତ୍ତକାଣ୍ଡ, ଯୁବତୀଙ୍କ ଦୁଇ ଗୋଡ଼କୁ ଭୁଜାଲିରେ ହାଣିଲା

ଅସଦାଚରଣ କରି ଜେଲ୍‌ ଯାଇଥିଲା, ଜାମିନରେ ଆସିବା ପରେ ଆକ୍ରମଣ

ବେଗୁନିଆ: ଏକ ପାଖିଆ ପ୍ରେମ ନିବେଦନକୁ ପ୍ରତ୍ୟାଖ୍ୟାନ କରିବାରୁ ଯୁବତୀଙ୍କ ୨ଗୋଡ଼କୁ ହାଣେଲେ ଯୁବକ। ଲହୁଲୁହାଣ ଅବସ୍ଥାରେ ଯୁବତୀଙ୍କୁ ପ୍ରଥମେ ବାଙ୍କି ଡାକ୍ତରଖାନା ପରେ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏପରି ଘଟଣା ଘଟିଛି ବେଗୁନିଆ ବ୍ଲକ୍‌ ବାଘମାରୀ ଥାନା ଅନ୍ତର୍ଗତ ତୁଳସୀପୁର ଗ୍ରାମରେ।

ସୂଚନା ଅନୁସାରେ, ତୁଳସୀପୁର ଗ୍ରାମର ଜଣେ ୩୦ ବର୍ଷ ବୟସ୍କା ଯୁବତୀଙ୍କୁ ସେହି ଗ୍ରାମର ଦାଶରଥି ବେହେରା ଗତ ମାସରେ ଅସଦାଚରଣ କରି ଜେଲ୍‌ ଯାଇଥିଲା। କିନ୍ତୁ ସେ ଜେଲ୍‌ରୁ ବେଲ୍‌ରେ ଆସିବା ପରେ ପୁର୍ନବାର ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲା। କିନ୍ତୁ ଯୁବତୀ ଜଣଙ୍କ ଏହାକୁ ପ୍ରତ୍ୟାଖ୍ୟାନ କରିବାରୁ ଦାଶରଥି ଏଥିରେ ଉତ୍‌କ୍ଷିପ୍ତ ହୋଇ ପ୍ରତିଶୋଧ ନେବାକୁ ସୁଯୋଗ ଅପେକ୍ଷାରେ ରହିଥିଲା।

ଆଜି ସକାଳ ସାଢେ ୬ଟା ବେଳେ ଯୁବତୀ ଜଣଙ୍କ ନରଗାଙ୍ଗ ମୌଜାରେ ଥିବା ନଖି ପୋଖରୀକୁ ଗାଧୋଇବାକୁ ଯାଉଥିଲା। ପୋଖରୀ ହୁଡ଼ା ଉପରେ ଦାଶରଥୀ ଯୁବତୀଙ୍କ ଦୁଇଗୋଡ଼କୁ ଭୁଜାଲିରେ ହାଣିଦେଇଥିଲା। ପରିବାର ଲୋକେ ରକ୍ତାକ୍ତ ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ। ଅଭିଯୁକ୍ତ ଦାଶରଥି ଘଟଣା ଘଟାଇ ଫେରାର୍‌ ହୋଇଯାଇଛି। ବାଘମାରୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳ ନରଗାଙ୍ଗ ମୌଜା ବାଙ୍କି ଥାନା ପରିସରରେ। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ବାଘମାରୀ ଥାନାରେ ଅଭିଯୋଗ ହୋଇନଥିବା ଏସ୍‌ଆଇ ବ୍ରହ୍ମାନନ୍ଦ ସ୍ବାଇଁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର