ପୁରୀ : ଗାଁରେ ଅଛି ପାନୀୟ ଜଳ ପ୍ରକଳ୍ପ। ମାଟି ତଳେ ବିଛା ଯାଇଛି ପାଇପ୍‌। ଗାଁ’ ଦାଣ୍ଡରେ ଅଛି ଷ୍ଟାଣ୍ଡ୍‌ପୋଷ୍ଟ୍‌। ହେଲେ ଲୋକେ ପାଣି ଟୋପାଏ ପାଉ ନାହାଁନ୍ତି। ପୁରୀ ସଦର ବ୍ଳକ୍ ପ୍ରତାପରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ଆରୋଳ ଗାଁ’ର ଏହି ଦୁରାବସ୍ଥା। ଗାଁ’ର ପାନୀୟ ଜଳ ସମସ୍ୟା ଦୂର ପାଇଁ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ଯୋଜନାରେ ପାନୀୟ ଜଳ ପ୍ରକଳ୍ପ ସ୍ଥାପନ କରାଯାଇଛି। ମାତ୍ର ବର୍ଷେ ହେବ ଗାଁର ଲୋକେ ପାଣି ମୁନ୍ଦିଏ ପାଇଁ ଆଉଟୁପାଉଟୁ ହେଉଛନ୍ତି। ଲୋକେ ପାଣି ପାଉ ନଥିଲେ ବି ପଞ୍ଚାୟତ କିମ୍ବା ସଂପୃକ୍ତ ବିଭାଗ ଏହାକୁ ଗୁରୁତ୍ବ ଦେଉ ନ ଥିବା ଅଭିଯୋଗ ହେଉଛି। ବାଧ୍ୟ ହୋଇ ଲୋକେ ଗାଁ’ରେ ଥିବା ଏକମାତ୍ର ଟ୍ୟୁବୱେଲ୍‌ ଉପରେ ନିର୍ଭର କରୁଛନ୍ତି। ଏହିଠାରୁ ପିଇବାଠାରୁ ଆରମ୍ଭ କରି ରୋଷେଇ ବାସ ପର୍ଯ୍ୟନ୍ତ ସମସ୍ତ ଆବଶ୍ୟକତା ପୂରଣ କରୁଛନ୍ତି ଗାଁ’ ଲୋକେ।

Advertisment

publive-image

ଗାଁ’ ଲୋକଙ୍କ ଅଭିଯୋଗ ମୁତାବକ, ପ୍ରତାପରାମଚନ୍ଦ୍ରପୁର ବିଦ୍ୟାଳୟ ନିକଟରେ ହୋଇଥିବା ପାନୀୟ ଜଳ ପ୍ରକଳ୍ପ ଜରିଆରେ ବର୍ଷେ ତଳେ ଗାଁ’କୁ ପାନୀୟ ଜଳଯୋଗାଣ ହେଉଥିଲା। ଗାଁ’ର ହଜାରରୁ ଅଧିକ ଲୋକ ଏହା ଉପରେ ନିର୍ଭର କରୁଥିଲେ। କିନ୍ତୁ ହଠାତ୍ ଗାଁ’ ଲୋକକୁ ଆଉ ଜଳଯୋଗାଣ ହେଲାନାହିଁ। ଏ ସଂପର୍କରେ ଗାଁ ଲୋକେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପରେ କିଛି ମାସ ପାଇଁ ଜଳଯୋଗାଣ ହେଲା। ପରେ କିନ୍ତୁ ପୁଣି ଜଳଯୋଗାଣ ବନ୍ଦ କରି ଦିଆଗଲା। ଏ ଭିତରେ ବର୍ଷେ ବିତିଗଲାଣି, କିନ୍ତୁ ଗାଁ’କୁ ଆଉ ପାଣି ଆସୁନି। ସ୍ଥାନୀୟ ଲୋକେ ପ୍ରଶାସନ ତଥା ବିଭାଗୀୟ ଯନ୍ତ୍ରୀଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରି ସାରିଲେଣି। ତଥାପି ଫଳଶୂନ।

publive-image

ପରିସ୍ଥିତି ଏପରି ହୋଇଛି ଯେ ଏହି ଷ୍ଟାଣ୍ଡପୋଷ୍ଟ୍‌ ସବୁରେ ଲଟାବୁଦା ଚରିଗଲାଣି। କେତେକ ସ୍ଥାନରେ ଗାଈଗୋରୁ ବନ୍ଧା ହେଉଛନ୍ତି। ଅନ୍ୟପଟେ ଏହି ଜଳସଂକଟ ପରିସ୍ଥିତିରେ ଗାଁ ଲୋକଙ୍କ ସାହାଭରସା ପାଲଟିଛି ଦାଣ୍ଡରେ ଥିବା ଏକମାତ୍ର ଟ୍ୟୁବ୍‌ୱେଲ। ଗାଁ ଲୋକଙ୍କ କହିବା କଥା ହେଲା, ଏହି ଟ୍ୟୁବ୍‌ୱେଲ୍‌ ମୂଳେ ସର୍ବଦା ପାଣି ନେବାକୁ ଲମ୍ବାଧାଡ଼ି ଲାଗୁଛି। ଗାଁ’ ବିଦ୍ୟାଳୟରେ ବି ଏକ ଟ୍ୟୁବ୍‌ୱେଲ୍‌ ଅଛି ସତ, କିନ୍ତୁ ବିଦ୍ୟାଳୟ କର୍ତ୍ତୃପକ୍ଷ ସବୁବେଳେ ଏଠାରୁ ପାଣି ଆଣିବାକୁ ସୁଯୋଗ ଦେଉନାହାଁନ୍ତି। ଯେଉଁଥିପାଇଁ ବର୍ଷେ ହେବ ଗାଁ ଲୋକେ ଜଳକଷ୍ଟ ଭୋଗୁଛନ୍ତି।