ଅଦିନିଆ ବର୍ଷା ମାଡ଼ ପରେ କେନ୍ଦ୍ରର ମାଡ଼

ଧାନର ମାନ କୋହଳ ନେଇ କେନ୍ଦ୍ରରୁ ମିଳିିଲା ଚିଠି

ଏଭଳି ଧାନର ଏମ୍‌ଏସ୍‌ପି କ୍ୱିଣ୍ଟାଲ୍‌ ପିଛା ୧୪୦ ଟଙ୍କା ହ୍ରାସ
କମିଲା ଧାନର ବେରଙ୍ଗ ପ୍ରତିଶତ

ଭୁବନେଶ୍ୱର : ଗତବର୍ଷ ନଭେମ୍ବର-ଡିସେମ୍ବର ମାସରେ ଅଦିନିଆ ବର୍ଷା ଧୋଇନେଇଥିଲା ଚାଷୀର ସୁନାର ଧାନ ଫସଲ। ବର୍ଷା ମାଡ଼ରେ ରାଜ୍ୟର ୧୯ଟି ଜିଲ୍ଲାର ପ୍ରାୟ ୩.୧୭ ଲକ୍ଷ ହେକ୍ଟର ଫସଲ କ୍ଷତିଗ୍ରସ୍ତ ହୋଇଥିଲା। ଧାନର ରଙ୍ଗ ବେରଙ୍ଗ ହୋଇଥିଲା, ଅଗାଡ଼ି ବି ପାଲଟି ଯାଇଥିଲା। ସେହି ଚାଷୀଙ୍କଠାରୁ ମିଲ୍‌ ମାଲିକମାନେ କ୍ୱିଣ୍ଟାଲ୍‌ ପିଛା ୪/୫ କିଲୋ ଧାନ କାଟି କିଣୁଥିବାର ଅଭିଯୋଗ ମିଳିଛି। ଚାଷୀମାନେ ଆଶା କରିଥିଲେ, ଧାନର ଏଫ୍‌ଏକ୍ୟୁ ମାନ କୋହଳ କରାଯିବ। ତଦନୁଯାୟୀ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇଥିଲେ। ବହୁ ବିଳମ୍ବରେ ଆଜି କେନ୍ଦ୍ର ସରକାରଙ୍କଠାରୁ ଆସିଥିବା ଚିଠି ରାଜ୍ୟ ସରକାରଙ୍କ ହସ୍ତଗତ ହୋଇଛି। କିନ୍ତୁ ସେହି ଚିଠିର ସର୍ତ ଚାଷୀଙ୍କ ହିତ ସାଧନ କରିବା ବଦଳରେ ସେମାନଙ୍କ ନିମନ୍ତେ କୋରଡ଼ା ମାଡ଼ ସଦୃଶ ହୋଇଛି।

ଗତ ୭ ତାରିଖରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ପ୍ରଥମେ ଚିଠି ଲେଖି ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ରାମବିଲାସ ପାଶ୍ୱାନ୍‌ ଏଫଏକ୍ୟୁ ମାନ କୋହଳ କରାଯାଇଥିବା ଜଣାଇଥିଲେ। ଆଜି ସେ ନେଇ ସବିଶେଷ ନିୟମାବଳୀ ସମ୍ବଳିତ ଚିଠି ରାଜ୍ୟ ସରକାରଙ୍କ ହସ୍ତଗତ ହୋଇଛି। ଏଫ୍‌ଏକ୍ୟୁ ମାନ କୋହଳ ନେଇ ରହିଥିବା ସର୍ତାବଳୀ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ଶ୍ରୀ ପାତ୍ର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ତାଙ୍କ କହିବାନୁସାରେ ଅଦିନିଆ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ଧାନର ଆର୍ଦ୍ରତାରେ କୌଣସି ପରିବର୍ତନ କରାଯାଇନାହିଁ। ଏହା ୧୭ ପ୍ରତିଶତ ରହିଛି। କିନ୍ତୁ ବେରଙ୍ଗ ଧାନକୁ ୭ ପ୍ରତିଶତରୁ ୧୧ ପ୍ରତିଶତକୁ ବୃଦ୍ଧି କରି ସେହି ମାନରେ କୋହଳ କରାଯାଇଛି। ତେବେ କୋହଳ ମାନର ଧାନକୁ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି)ରେ କ୍ରୟ କରାଯିବ ବୋଲି ଯେଉଁ ସର୍ତାରୋପ କରାଯାଇଛି, ତାହା ଚାଷୀଙ୍କ ପାଇଁ ସବୁଠାରୁ ବଡ଼ ସଙ୍କଟ ସୃଷ୍ଟି କରିବାକୁ ଯାଉଛି।

ସୂଚନାଯୋଗ୍ୟ, ଏଫଏକ୍ୟୁ ମାନର ଧାନ ପାଇଁ ଏମ୍‌ଏସ୍‌ପି କ୍ୱିଣ୍ଟାଲ୍‌ ପିଛା ୧୫୫୦ ଟଙ୍କା। କିନ୍ତୁ କୋହଳ ମାନ ଧାନର ମୂଲ୍ୟ କ୍ୱିଣ୍ଟାଲ୍‌ ପିଛା ୧୪୧୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଅର୍ଥାତ୍‌ ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀମାନେ କୋହଳ ମାନର ଧାନ ବିକିଲେ, କ୍ୱିଣ୍ଟାଲ୍‌ ପିଛା ୧୪୦ ଟଙ୍କା କମ୍‌ ଟଙ୍କା ପାଇବେ। ଏ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାରଙ୍କ ଏଭଳି କୋହଳ ମାନ ଯୋଗୁଁ ରାଜ୍ୟର ଚାଷୀମାନେ କ୍ଷତିଗ୍ରସ୍ତ ହେବେ। କିନ୍ତୁ ଏହା ମିଲ୍‌ ମାଲିକମାନଙ୍କୁ ସୁହାଇବ। ବର୍ତମାନ ସୁଦ୍ଧା ଖରିଫ ଧାନ ସଂଗ୍ରହ କାର୍ଯ୍ୟକ୍ରମରେ ଚାଷୀମାନେ ପ୍ରାୟ ୭୦ ପ୍ରତିଶତ ଧାନ ବିକ୍ରି କରିସାରିଲେଣି। ଅବଶିଷ୍ଟ ଧାନ ଯେଉଁମାନଙ୍କ ପାଖରେ ଥିବ, ମିଲ୍‌ ମାଲିକମାନେ ସେହି ଧାନର ମାନ ଆହୁରି ଖରାପ କହି କ୍ୱିଣ୍ଟାଲ୍‌ ପିଛା ପ୍ରାୟ ୧୪୦୦ ଟଙ୍କାରେ ବିକିବାକୁ ଚାଷୀଙ୍କୁ ବାଧ୍ୟ କରିବେ। ତେବେ ସୋମବାର କେନ୍ଦ୍ର ସରକାରଙ୍କ କୋହଳ ମାନ ନେଇ ନିୟମାବଳୀକୁ ତର୍ଜମା କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ପାତ୍ର କହିଛନ୍ତି। ଅନ୍ୟପକ୍ଷରେ ପ୍ରାୟ ୮୦ ପ୍ରତିଶତ ଧାନକିଣା ସରିଥିବା ବେଳେ ଏହି କୋହଳ ମାନର ଚିଠି ଘୋଷଣା କାହା ପାଇଁ ବୋଲି କଂଗ୍ରେସ କୃଷକ ସେଲ୍‌ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ପଚାରିଛନ୍ତି।

ସମ୍ବନ୍ଧିତ ଖବର