ଯାଜପୁରରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ: ଏସ୍‌ପି ଅଫିସ୍‌ ଆଗରେ ଫୁଟିଲା ଗୁଳି

ବୋଲେରୋ ଚାଳକ ଗୁରୁତର ୫ ଦୁର୍ବୃତ୍ତ ଫେରାର୍‌

ପାଣିକୋଇଲି: ଯାଜପୁର ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ରବିବାର ରାତିରେ ଜଣେ କର୍ତ୍ତବ୍ୟରତ ଆରଟିଓଙ୍କୁ ହାଇଓ୍ଵା ଚଢ଼ାଇ ହତ୍ୟା କରିଥିବା ଚର୍ଚା ହେଉଥିବା ବେଳେ ଆଜି ଖୋଦ୍‌ ଏସପି ଅଫିସ୍‌ ଆଗରେ ଦୁର୍ବୃତ୍ତମାନେ ଜଣେ ବୋଲେରୋ ଡ୍ରାଇଭରଙ୍କ ଉପରକୁ ଆଖିବୁଜା ଗୁଳି ମାଡ଼ କରି ଫେରାର ହୋଇଯାଇଛନ୍ତି। ରୋଗୀ ନେଇ ଯାଉଥିବା ବୋଲେରୋ ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ୧୬ ନଂ ଜାତୀୟ ରାଜପଥ ପାଣିକୋଇଲି ବଜାର ନିକଟସ୍ଥ ଯାଜପୁର ଏସ୍‌ପି କାର୍ଯ୍ୟାଳୟ ଓ ପାଣିକୋଇଲି ଥାନା ଠାରୁ ମାତ୍ର ଶହେ ମିଟର ଦୂରରେ ଭୋର୍‌ବେଳେ ଜଣେ ବୋଲେରୋ ଚାଳକକୁ ୫ ଜଣ ଦୁର୍ବୃତ୍ତ ଗୁଳି ମାଡ଼ କରିଛନ୍ତି। ଅତର୍କିତ ଗୁଳିମାଡ଼ରେ ଡ୍ରାଇଭର ହଡ଼ବଡ଼େଇ ଯାଇଥିଲେ। ଗୁଳି ତାଙ୍କ ଜଙ୍ଘରେ ଗଳି ଯାଇଛି। ରକ୍ତ ଜୁଡ଼ୁବୁଡ଼ୁ ହୋଇ ଚିତ୍କାର କରିବା ପରେ ରାଜପଥ ଯାତ୍ରୀ ପାଣିକୋଇଲି ପୁଲିସ୍‌କୁ ଖବର ଦେଇଥିଲେ। ଥାନାଧିକାରୀ ଶରତ ଚନ୍ଦ୍ର ପାତ୍ର ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଆହତ ଚାଳକଙ୍କୁ ଆମ୍ବୁଲାନ୍‌ସ ଯୋଗେ ଯାଜପୁରରୋଡ଼ ସରକାରୀ ଡାକ୍ତରଖାନାକୁ ପଠାଇଥିଲେ। ସେଠାରୁ ତାଙ୍କୁ କଟକକୁ ଚିକିତ୍ସା ପାଇଁ ପଠାଯାଇଛି। ଘଟଣାସ୍ଥଳରୁ ଏକ ଗୁଳିର ଖୋକାକୁ ପୁଲିସ୍‌ ଉଦ୍ଧାର କରିଛି। ଆହତ ବୋଲେରୋ ଚାଳକ ଭଦ୍ରକ ପୁରୁଣାବଜାର ଥାନା ନଘା ମାହାଲା ବସ୍ତିର କାଲୋ ଖାଁଙ୍କ ପୁଅ ଜମିର ଖାଁ (୩୦) ବୋଲି ଜଣାପଡ଼ିଛି।

ଭଦ୍ରକ ନଙ୍ଗା ମାହାଲା ସାହିର ସେକ୍‌ ସର୍ଫରାଜ, ଝିଅ ସାଇନା ଜାମିନୀ ତାଙ୍କ ମା’ ମୁନିଜା ବିବିଙ୍କୁ ଏକ ବୋଲେରୋ (ଓଡି.୦୪ବି.୮୩୭୦)ରେ କଟକ ବଡ଼ ଡାକ୍ତରଖାନାକୁ ଯାଉଥିଲେ। ଠିକ୍‌ ପଥରପଦା ବଡ଼ ପୋଲ ଓ ଏସ୍‌ପିଙ୍କ ବାସସ୍ଥାନ ମଝିରେ ହଠାତ ଏକ କଳା ରଙ୍ଗର ଟାଟା ସଫାରୀ ଗାଡ଼ିରେ ୫ରୁ ଊର୍ଧ୍ୱ ଦୁର୍ବୃତ୍ତ ଆସି ବୋଲେରୋକୁ ଅଟକାଇ ଥିଲେ। ହଠାତ୍‌ ବଂଧୁକ ବାହାର କରି ବୋଲେରୋ ମଧ୍ୟରେ ଥିବା ରୋଗୀ ଓ ସଂପର୍କୀଙ୍କୁ ଗାଡ଼ିରୁ ଓହ୍ଲାଇ ତଳେ ଠିଆ କରାଇଥିଲେ। ଚାଳକ ଜମିରକୁ ଗାଡ଼ିରୁ ଭିଡ଼ି ତଳକୁ ଆଣିଥିଲେ। ବୋଲେରୋ ଚାଳକଙ୍କ ସହିତ ଟଣା ଓଟରା କରିଥିଲେ। ପରେ ଗୁଳି ମାଡ଼ କରିଥିଲେ। ଗୁଳି ମାଡ଼ କରି ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ କଟକ ଆଡ଼କୁ ଛୁ’ ମାରିଥିଲେ। ରକ୍ତ ଜୁଡ଼ୁବୁଡ଼ୁ ହୋଇ ଚାଳକ ତଳେ ପଡ଼ି ଚିତ୍କାର କରୁଥିଲା। ଏଭଳି ଘଟଣା ଦେଖି ରୋଗୀ ଓ ସଂପର୍କୀୟମାନେ ଜୀବନ ବିକଳେ ଥରୁଥିଲେ। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ରୋଗୀ ସଂପର୍କୀୟ ଓ ଆହତ ଚାଳକଙ୍କ ଭାଇ ଅମନ ଖାଁ ମଧ୍ୟ ଭଦ୍ରକରୁ ଆସି ଘଟଣାସ୍ଥଳରେ ପହଞ୍ଚିଥିଲେ।

ରୋଗୀ ଓ ସଂପର୍କୀୟଙ୍କୁ ଅନ୍ୟ ଏକ ଗାଡ଼ିରେ କଟକ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପୁଲିସ୍‌ ବ୍ୟବସ୍ଥା କରିଥିଲେ। ଦୁର୍ବୃତ୍ତଙ୍କୁ ଧରିବା ପାଇଁ ପୁଲିସ ଧର୍ମଶାଳା, ବଡ଼ଚଣା ଥାନାକୁ ଖବର ଦେଇ ନାକାବନ୍ଦୀ କରିବାକୁ ସୂଚନା ଦେଇଥିଲେ। କେସ୍‌ ନଂ ୧୬/୧୮ରେ ଏକ ମାମଲା ରୁଜୁ ହୋଇଛି। ଯାଜପୁର ଏସ୍‌ପି ଚରଣ ସିଂ ମୀନା ନିଜେ ଘଟଣାର ତଦନ୍ତ କରିବା ସହିତ କଟକରୁ ସାଇଣ୍ଟିଫିକ୍‌ ଦଳକୁ ଡକାଇଥିଲେ। ସେମାନେ ମଧ୍ୟ ଘଟଣାସ୍ଥଳକୁ ଆସି ତଦନ୍ତ କରିଛନ୍ତି। କଣ ପାଇଁ କେଉଁ ଘଟଣା ପାଇଁ ଏପରି ଗୁଳି ମାଡ଼ ଘଟିଲା ସଂପୂର୍ଣ ତଦନ୍ତ ପରେ ଜଣା ପଡ଼ିବ ବୋଲି ଥାନାଧିକାରୀ ଜଣାଇଛନ୍ତି।

ସମ୍ବନ୍ଧିତ ଖବର