ବର୍ଷ ଆରମ୍ଭରୁ ପୁଲିସ ଡିଜିଙ୍କ କଡ଼ା ପଦକ୍ଷେପ
କଟକ : ଜାଲ୍ କାଗଜପତ୍ର ବଳରେ ମୋଟା ଅଙ୍କର ବୀମା ଟଙ୍କା ହାତଉଥିବା ପୁଲିସ ଅଫିସରଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ତାଙ୍କ ବିରୋଧରେ ଉଭୟ ବିଭାଗୀୟ ଏବଂ ଦଫା ୪୨୦(ଠକେଇ)ରେ ଅପରାଧୀକ ମାମଲା ରୁୁଜୁ କରାଯିବ। ଜାଲିଆତିରେ ମୁଖ୍ୟ କାର୍ପଟଦାର ସାଜିଥିବା ପୁଲିସ ଅଧିକାରୀଙ୍କୁ ସହଯୋଗ କରୁଥିବା ଅନ୍ୟ ବିଭାଗର ଅଧିକାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଜି ବର୍ଷ ଆରମ୍ଭରୁ ପୁଲିସ ଡିଜି ଡାକ୍ତର ଆର୍.ପି.ଶର୍ମା ଏ ପ୍ରକାର କଡ଼ା ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଜିଲ୍ଲା ଏସ୍ପି ଏବଂ କମିସନରେଟ୍ ପୁଲିସର ଡିସିପିଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଥିବା ସୂଚନା ମିଳିଛି।
ରାଜ୍ୟରେ ଜାଲ୍ ପ୍ରମାଣ ପତ୍ର ପ୍ରସ୍ତୁତ କରାଇ ଉଭୟ ସରକାରୀ ଏବଂ ଘରୋଇ ବୀମା ପ୍ରଦାନକାରୀ ସଂସ୍ଥା ନିକଟରୁ ଦୁର୍ଘଟଣା ଜନିତ ବୀମା ଟଙ୍କା ହାତଉଛନ୍ତି ଗାଡ଼ି ମାଲିକ। ୨୦୧୭ ବର୍ଷରେ ବୀମା ସଂସ୍ଥାମାନଙ୍କ ପକ୍ଷରୁ ଏ ପ୍ରକାର ଶହେରୁ ଅଧିକ ଅଭିଯୋଗ ପୁଲିସ ଡିଜିଙ୍କ ନିକଟରେ ଦାଖଲ କରାଯାଇଥିଲା। ୨୦୧୬ ବର୍ଷରେ କଟକ ଜିଲ୍ଲା ମାହାଙ୍ଗ ଥାନାରେ ଦୁଇଟି ମିଛ ଦୁର୍ଘଟଣା ଜନିତ ମାମଲା ରୁଜୁ ହୋଇଥିବା ସମ୍ପର୍କରେ ସାଲେପୁର ଏସ୍ଡିପିଓ ଏତଲା ଦେଇଥିଲେ। ସେହି ଆଧାରରେ ଘଟଣାର ତଦନ୍ତଭାର ରାଜ୍ୟ କ୍ରାଇମ୍ବ୍ରାଞ୍ଚ ହାତକୁ ନେଇଥିଲା। ୨୦୧୭ ଜାନୁଆରିରେ ର୍ୟାକେଟ୍ର ପର୍ଦ୍ଦାଫାସ କରିଥିଲା କ୍ରାଇମ୍ବ୍ରାଞ୍ଚ। ମାହାଙ୍ଗା ଥାନା ପୁଲିସ ସମେତ ଆଇନଜୀବୀ, ଡାକ୍ତରଙ୍କ ସମ୍ପୃକ୍ତି ପ୍ରମାଣ ମିଳିବା ପରେ ସେମାନଙ୍କୁ ଗିରଫ କରାଯାଇଥିଲା। ଅଭିଯୁକ୍ତଙ୍କ ବିରୋଧରେ କୋର୍ଟରେ ଚାର୍ଜସିଟ୍ ମଧ୍ୟ ଦାଖଲ କରାଯାଇଥିଲା। ଏହି ଘଟଣାର ଖୋଳତାଡ଼ ସମୟରେ ବଡ଼ ଧରଣର କେଳେଙ୍କାରୀ ସାମ୍ନାକୁ ଆସିଥିଲା।
କଟକ ସମେତ, ଯାଜପୁର, କେନ୍ଦୁଝର ଏବଂ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରେ ଚାଲିଥିଲା ଏପରି କାରନାମା। ଗାଡ଼ି ମାଲିକ ନିଜ ଗାଡ଼ିରେ ମିଛରେ ଦୁର୍ଘଟଣା ହୋଇଥିବା ଦର୍ଶାଇ ଥାନା ଇନ୍ସ୍ପେକ୍ଟରଙ୍କ ସହାୟତାରେ ମାମଲା ରୁଜୁ କରୁଥିଲା। ଡାକ୍ତର ମଧ୍ୟ ଅନ୍ୟ ଲୋକଙ୍କୁ ଉକ୍ତ ଗାଡ଼ିର କର୍ମଚାରୀ ଦର୍ଶାଇ ଚିକିତ୍ସା ଜନିତ ମିଛ ରିପୋର୍ଟ ଦେଉଥିଲେ। ଆର୍ଟିଓ ଅଫିସ୍ ଜାଲ୍ କାଗଜପତ୍ର ପ୍ରସ୍ତୁତିରେ ସହଯୋଗ କରୁଥିଲେ। ଆଇନଜୀବୀ କୋର୍ଟରେ ସମ୍ପୃକ୍ତ ଗାଡ଼ିର ବୀମା ଟଙ୍କା କ୍ଲାଏଣ୍ଟ ପାଇବା ପାଇଁ ଦାବି କରୁଥିଲେ। ଏ ପ୍ରକାର କାରବାରକୁ ବନ୍ଦ କରିବାକୁ ଆଜି ପୁଲିସ ଡିଜି ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। କୌଣସି ଥାନାରେ ମିଛ ଦୁର୍ଘଟଣା ଜନିତ ମାମଲା ଥାନା ଅଧିକାରୀ ପଞ୍ଜିକରଣ କରିଥିଲେ ଉକ୍ତ ଘଟଣାର ତଦନ୍ତ ଏସଡିପିଓ କିମ୍ବା ଡିଏସ୍ପି ପାହ୍ୟାର ଅଧିକାରୀ କରିବେ।
ତଦନ୍ତ ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ୱଚ୍ଛ ଭାବେ କରାଯିବ। ତଦନ୍ତ ପରେ ଏହି କେସ୍ର ଫାଇନାଲ୍ ଫର୍ମ ଜିଲ୍ଲା ଏସ୍ପି କିମ୍ବା କମିସନରେଟ୍ ପୁଲିସର ଡିସିପିଙ୍କ ନିକଟରେ ଦାଖଲ କରାଯିବ। ଏହି ତଦନ୍ତରେ ସମ୍ପୃକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ କୌଣସି ପ୍ରମାଣ ସାମ୍ନାକୁ ଆସିଲେ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଏବଂ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ। ଜିଲ୍ଲା ଏସ୍ପି କିମ୍ବା ଡିସିପି ବିଭିନ୍ନ ପର୍ଯ୍ୟାୟରେ ଉଭୟ ସରକାରୀ ଏବଂ ଘରୋଇ ବୀମା ପ୍ରଦାନକାରୀ ସଂସ୍ଥା ସମେତ ସିଡିଏମ୍ଓ(ଚିଫ୍ ମେଡିକାଲ୍ ଅଫିସର), ଆର୍ଟିଓ, ଡିଏଲ୍ଓଙ୍କୁ ନେଇ ଏକ ବୈଠକ କରିବେ। ଦୁର୍ଘଟଣା ଜନିତ ବୀମା ଟଙ୍କା ପ୍ରଦାନରେ କିଭଳି ସ୍ୱସ୍ଥତା ବଜାୟ ରଖାଯିବ, ସେ ସଂକ୍ରାନ୍ତରେ ଏସ୍ପି ଗୁରୁତ୍ୱ ଦେବାକୁ ଆଜି ପୁଲିସ ଡିଜି ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛନ୍ତି।
ଡିଜି ଡାକ୍ତର ଶର୍ମା କହିଛନ୍ତି ଯେ, ଗୋଟେ ଦୁର୍ଘଟଣା ହେଲେ ଦୁର୍ଘଟଣାରେ ଅନ୍ୟ କାହାକୁ ଆହତ ଦେଖାଇ ଦିଆଯାଉଛି। ଡାକ୍ତର ଫେକ୍ ଇଞ୍ଜୁରୀ ରିପୋର୍ଟ ପ୍ରସ୍ତୁତ କରୁଥିବା ବେଳେ ଥାନା ଆଇଆଇସି ଟଙ୍କା ନେଇ ମାମଲା ରୁଜୁ କରିଦେଉଛି। ଆଇନଜୀବୀ କୋର୍ଟରେ ବୀମା ଟଙ୍କା ପାଇଁ ମଧ୍ୟ କ୍ଲେମ କରିବା ସହିତ ଆର୍ଟିଓ ଭେଇକିଲ୍ ଏକ୍ସଜାମିନେସନ୍ ରିପୋର୍ଟ ଯୋଗାଇ ଦେଉଛି। ରାଜ୍ୟରେ ଏଭଳି ଗୋଟେ ର୍ୟାକେଟ୍ କାମ କରୁଛି। ସମସ୍ତେ କିଛି କିଛି ଟଙ୍କା ନେଇ ଏ ପ୍ରକାର କାର୍ଯ୍ୟ କରୁଛନ୍ତି। ର୍ୟାକେଟ୍ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଡାକ୍ତର ଶର୍ମା କହିଛନ୍ତି।