ଭୁବନେଶ୍ବର: ଜୁନ ୧୪ରେ ହେବ ମାଟ୍ରିକ ପରୀକ୍ଷା। ପ୍ରଥମେ ଏହାକୁ ବାତିଲ କରାଯାଇଥିବା ବେଳେ ପରେ ବୈଠକ କରାଯାଇ ନିଷ୍ପତ୍ତି ନିଆଯାଇଛି ଯେ, ମାଟ୍ରିକ ପରୀକ୍ଷା ଜୁନ ୧୪-୨୬ପର୍ଯ୍ୟନ୍ତ ହେବ। ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଏଭଳି ଟୁଇଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏନେଇ ତାଙ୍କୁ ସମାଲୋଚନା କରାଯିବା ପରେ ଏବେ ପ୍ରକୃତ ସତ ସାମ୍ନାକୁ ଆସିଛି। କେହି ଜଣେ ଦୁର୍ବୃତ୍ତ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ନାଁରେ ନକଲି ଟୁଇଟର ଆକାଉଣ୍ଟ ଖୋଲି ଏଭଳି ଲେଖିଥିବା ଜଣାପଡ଼ିଛି।
ଏନେଇ ସ୍ପଷ୍ଟ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ସେ ନିଜ ନକଲି ଟୁଇଟର ଆକାଉଣ୍ଟରେ ଟୁଇଟ କରାଯାଇଥିବା ଲେଖାର ସ୍କ୍ରିନସଟ ନେଇ ଅସଲି ଟୁଇଟର ଆକାଉଣ୍ଟରେ ସେୟାର କରିବା ସହ ଲେଖିଛନ୍ତି, କେହି ଜଣେ ବଦମାସ୍ ମୋ ନାମରେ ଫେକ୍ ଆକାଉଣ୍ଟ୍ ଖୋଲିକି ଏସବୁ ମିଥ୍ୟା ପୋଷ୍ଟ କରି ପ୍ରଚାର କରୁଥିବା ନଜରରେ ଆସିଛି। ସମସ୍ତଙ୍କୁ ଅନୁରୋଧ ଏସବୁଠୁ ଦୂରେଇ ରୁହନ୍ତୁ।
କେହି ଜଣେ ବଦମାସ୍ ମୋ ନାମ ରେ ଫେକ୍ ଆକାଉଣ୍ଟ୍ ଖୋଲିକି ଏସବୁ ମିଥ୍ୟା ପୋଷ୍ଟ କରି ପ୍ରଚାର କରୁଥିବା ନଜରରେ ଆସିଛି | ସମସ୍ତଙ୍କୁ ଅନୁରୋଧ ଏସବୁଠୁ ଦୂରେଇ ରୁହନ୍ତୁ...@CMO_Odisha@BJD4Odisha@BJDITWingpic.twitter.com/85Ip9kozMl
— Samir Ranjan Dash (@samirdash01) April 25, 2021
ନକଲି ଟୁଇଟର ଆକାଉଣ୍ଟରୁ କରାଯାଇଥିବା ଟୁଇଟରେ ଲେଖାଯାଇଛି ଯେ, ପୂର୍ବ ନିଷ୍ପତ୍ତି ଅନୁସାରେ,ଦଶମ ବୋର୍ଡ ପରୀକ୍ଷାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବାତିଲ କରାଯାଇଥିଲା। କିନ୍ତୁ ସମସ୍ତ କଲେଜ ଛାତ୍ରଛାତ୍ରୀଙ୍କର ଧାରଣା ଯୋଗୁଁ ଆଜି ପୁନର୍ବାର ବୈଠକରେ ଆଲୋଚନା ହୋଇଛି ଯେ, ୧୦ମ ବୋର୍ଡ ପରୀକ୍ଷା ଆସନ୍ତା ଜୁନ ୧୪ତାରିଖରୁ ୨୬ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।