ହୁସିଆର! ଜିଲ୍ଲାପାଳଙ୍କ ନାମରେ ଫେକ ଆକାଉଣ୍ଟ ଖୋଲି ମେସେଜ୍‌ କରୁଛନ୍ତି ହ୍ୟାକର୍‌

କଟକ: ରାଜ୍ୟରେ ସାଇବର୍‌ ଠକମାନେ ଜାଲ ବିଛାଇଛନ୍ତି। ନୀରିହ ଜନତାଙ୍କ ଠାରୁ ଟଙ୍କା ଠକିନେବା ପାଇଁ ଭିନ୍ନ ଭିନ୍ନ ପ୍ରକାରର ଜାଲ ବିଛାଉଛନ୍ତି। ଏଥି ପାଇଁ ସେମାନେ ବଡ଼ ବଡ଼ ଲୋକଙ୍କ ନାଁରେ ଫେକ୍‌ ଆକାଉଣ୍ଟ ଖୋଲି ସାଧାରଣ ଜନତାଙ୍କୁ ଟାର୍ଗେଟ କରୁଛନ୍ତି। ସାଇବର ହ୍ୟାକର ଏବେ କଟକ ଜିଲ୍ଲାପାଳଙ୍କ ନାମରେ ଫେକ ଆକାଉଣ୍ଟ ଖୋଲିଛନ୍ତି। ହ୍ବାଟ୍‌ସଆପ୍‌ରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ନାମରେ ଫେକ ଆକାଉଣ୍ଟ ଜରିଆରେ ମେସେଜ୍‌ କରୁଛନ୍ତି।

ଫେକ୍‌ ଆକାଉଣ୍ଟକୁ କେହି ନଗ୍ରହଣ କରିବାକୁ ଜିଲ୍ଲାପାଳ ଅପିଲ କରିଛନ୍ତି। ଏଥିପ୍ରତି ସତର୍କ ରଖିବା ପାଇଁ ସେ ନିବେଦନ କରିଛନ୍ତି। ଏହି ହ୍ବାଟ୍‌ସଆପ୍‌ ନମ୍ବର ମାଧ୍ୟମରେ ପଠାଉଥିବା ବାର୍ତ୍ତାକୁ ବିଶ୍ଵାସକୁ ନନେଇ ଉପରୋକ୍ତ ନମ୍ବରକୁ ଅବରୋଧ ବା ବ୍ଲକ୍ କରିବାପାଇଁ କଟକ ଜିଲ୍ଲାପାଳ ଶ୍ରୀ ଚୟନୀ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି। ଯୋଜନାବଦ୍ଧ ଭାବରେ ଲୋକଙ୍କୁ ଠକି ଟଙ୍କା ଆଦାୟ ପାଇଁ ଏଭଳି ଉଦ୍ୟମ କରାଯାଉଛି। ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ଏଭଳି ଅପରାଧିକ କାର୍ଯ୍ୟକଳାପରେ ଜଡିତ ଥିବା ବ୍ୟକ୍ତି ବିଶେଷଙ୍କୁ ଲୋକଲୋଚନକୁ ଆଣିବା ଦିଗରେ ସହଯୋଗ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ, ଦୁର୍ବୃତ୍ତମାନେ ୬ ମାସ ମଧ୍ୟରେ ଦ୍ବିତୀୟ ଥର ଜିଲ୍ଲାପାଳଙ୍କ ଫେକ ଆକାଉଣ୍ଟ ଖୋଲିଥିଲେ। ଠକମାନେ ଗତ ଜୁନ୍‌ ମାସରେ କଟକ ଜିଲ୍ଲାପାଳଙ୍କ ନାମରେ ଦୁଇ ଦୁଇଟି ନକଲି ହ୍ବାଟ୍‌ସଆପ୍‌ ନମ୍ବର ପ୍ରସ୍ତୁତ କରାଯାଇ ଟଙ୍କା ଆଦାୟ ପାଇଁ ଉଦ୍ୟମ କରିଥିଲେ।  ନକଲି ହ୍ବାଟସଆପ୍‌ ନମ୍ବର ୭୬୯୬୯୧୮୧୫୧ ଓ ୯୫୨୮୫୪୧୮୨୬ରେ ମେସେଜ ଆସିଥିଲା। ଏ ସଂପର୍କରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଭବାନୀ ଶଙ୍କର ଚୟନୀ ସାଇବର ଥାନାରେ ଏତଲା ଦାୟର କରିଥିଲେ। ସାଧାରଣ ଲୋକଙ୍କୁ ଠକୁଥିବା ଏଭଳି ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପୁଲିସ କମିସନର ଓ ଡିସିପିଙ୍କୁ ଫୋନରେ ଜଣାଇଥିଲେ।

ସମ୍ବନ୍ଧିତ ଖବର