କୃଷି ଋଣ କରାଇଦେବା ନେଇ ଠକୁଥିଲେ, ନକଲି କୃଷି ଅଧିକାରୀ ଗିରଫ

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ପୁଲିସ୍‌ ଜଣେ ନକଲି କୃଷି ଅଧିକାରୀକୁ ଗିରଫ କରିଛି। ସେ ବିଭିନ୍ନ ଗାଁକୁ ଯାଇ କୃଷି ଋଣ କରାଇଦେବା ନାଁରେ ଠକେଇ କରୁଥିବା ଅଭିଯୋଗ ପାଇବା ପରେ ପୁଲିସ୍ ତାକୁ ଗିରଫ କରିବା ସହ କୋର୍ଟଚାଲାଣ କରିଛି।

ପୁଲିସ୍ ସୂଚନାମତେ, ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବେନୁଆ ଗାଁର ଚେୟାରମେନ ପଡ଼ାର ନକୁଳ ବେନୁଆ (୪୦) ନିଜକୁ କୃଷି ଅଧିକାରୀ କହି କୃଷି ଋଣ କରାଇଦେବା ନାଁରେ ଖଡ଼ିଆଳ ଥାନା ଖୁଦପେଜ ଗାଁର ଥବିର ଘିଭେଲାଙ୍କ ଠାରୁ ଦୁଇ କିସ୍ତିରେ ୭୦୦୦ ଟଙ୍କା ନେଇଥିଲେ। ପ୍ରଥମ କିସ୍ତି ୨୩ ଜୁଲାଇରେ ୩୫୦୦ ଟଙ୍କା ଦେବା ପରେ ଦ୍ୱିତୀୟ କିସ୍ତି ୨୪ ଜୁଲାଇରେ ଆଉ ୩୫୦୦ ଟଙ୍କା ଦେଇଥିଲେ। ପରେ ଆଉ ୭ ହଜାର ଟଙ୍କା ମାଗିବା ପରେ ଶ୍ରୀ ଘିଭେଲା ନିରାଶ ହୋଇ ଖଡ଼ିଆଳ ଥାନାରେ ୨୬ ଜୁଲାଇରେ ଅଭିଯୋଗ କରିଥିଲେ। ଖଡ଼ିଆଳ ପୁଲିସ୍‌ ଯୋଜନା ବଦ୍ଧ ଭାବେ ଶ୍ରୀ ବେନୁଆକୁ ଖଡ଼ିଆଳ ମେଡ଼ିକାଲ ଛକକୁ ଡାକିବାକୁ କହିଥିଲେ।

ସେଠାରେ ଶ୍ରୀ ଘିଭେଲା ଟଙ୍କା‌ ଦେଉଥିବା ସମୟରେ ପୁଲିସ୍ ଟଙ୍କା ସହ ନକଲି କୃଷି ଅଧିକାରୀ ନକୁଳ ବେନୁଆକୁ କାବୁ କରିଥିଲା। ସେ ୩ଟି ମୋବାଇଲ୍‌ ରଖି ବିଭିନ୍ନ ଭାଷାରେ ଉପରିସ୍ଥ ଅଧିକାରୀ ଭାବେ ଚାଷୀଙ୍କ ସହ କଥା ହୋଇ ଠକେଇ କରୁଥିଲା। ତା’ଠାରୁ ୭୦୦୦ ଟଙ୍କା, ୩ଟି ମୋବାଇଲ, ଏକ ବାଇକ୍ (ଓଡ଼ି ୦୩ଭି-୩୦୩୮) ପୁଲିସ୍ ଜବତ କରିଛି। ତେବେ ନକୁଳ ବେନୁଆ ଜଣେ ଅନ୍ତଃ ଜିଲ୍ଲା ଅପରାଧୀ ହୋଇଥିବା ବେଳେ ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନାରେ ୧୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ପୂର୍ବରୁ ୨ ବର୍ଷ ଜେଲ ଦଣ୍ଡ ଭୋଗିଥିବା ପୁଲିସ୍ ସୂଚନା ଦେଇଛି। ସେହିପରି ତା’ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ବେଳେ ଏହି ଠକେଇରେ ବହୁ ବ୍ୟକ୍ତି ପଡ଼ିଥିବା ଖଡ଼ିଆଳ ଆଇଆଇସି ଅନିରୁଦ୍ଧ ମୁଦୁଳି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର