ରାଉରକେଲା: ଅନୈତିକଭାବେ ରାଉରକେଲା ଉନ୍ନୟନ ପ୍ରାଧିକରଣ(ଆର୍‌ଡିଏ)ରେ ଆଇନ ସହାୟକଭାବେ ନିଯୁକ୍ତି ପାଇଥିଲେ ମନୋଜ କୁମାର ଦାସ। ଏନେଇ ଭିଜିଲାନ୍ସ ମାମଲା ଦାଖଲ ହେବାପରେ ତଦନ୍ତ ଆରମ୍ଭ ହୋଇଥିଲା। ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା କରାଯାଇଥିବା ପ୍ରମାଣିତ ହୋଇଥିଲା। ଏହାପରେ ରାଜ୍ୟ ସରକାର ଦୋଷୀ ମନୋଜ କୁମାର ଦାସଙ୍କୁ ଚାକିରିରୁ ବିହସ୍କୃତ କରିଛନ୍ତି।

Advertisment

ଉଲ୍ଲେଖଯୋଗ୍ୟ, ୧୯୯୯ ମସିହାରେ ପୂର୍ବତନ ଜନସ୍ବାସ୍ଥ୍ୟ ନିର୍ବାହୀ ଯନ୍ତ୍ରୀ ତଥା ଆରଡିଏ ଇଞ୍ଜିନିୟରିଂ ସଭ୍ୟ ଶିବଚରଣ ମହାନ୍ତି, ପୂର୍ବତନ ଆରଡିଏ ସମ୍ପାଦକ ମେଡିସେଟ୍ଟି ଶେଷାଦ୍ରୀ ଓ ରାଉରକେଲା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ସ୍ବତନ୍ତ୍ର ଅଧିକାରୀ ବର୍ଷା ମାଝୀ କ୍ଷମତାର ଦୁରୂପଯୋଗକରି ଆଇନ ସହାୟକଭାବେ ଶ୍ରୀ ଦାସଙ୍କୁ ନିଯୁକ୍ତି ଦେଇଥିଲେ। ପ୍ରଥମେ ଜାଲ୍‌ କମିଟି ଗଠନ କରି ପରବର୍ତ୍ତୀ ସମୟରେ ନିଯୁକ୍ତି ଦିଆଯାଇଥିଲା।

ଏହି ଅନିୟମିତା ନେଇ ଭିଜିଲାନ୍ସରେ ଏତଲା ହୋଇଥିଲା। ଗତ ୨୬ ତାରିଖରେ ଏହାର ଶୁଣାଣୀ ହୋଇଥିଲା। ନିଯୁକ୍ତି ଦେଇଥିବା ଶ୍ରୀ ମହାନ୍ତି ଓ ନିଯୁକ୍ତି ପାଇଥିବା ଶ୍ରୀ ଦାସଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ଓ ୫ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ହୋଇଥିଲା। ତେବେ ଶୁଣାଣୀ ଦିନ ଅନ୍ୟତମ ଅଭିଯୁକ୍ତ ଶ୍ରୀ ମେଡିସେଟ୍ଟି ଜାଣିଶୁଣି କୋର୍ଟରେ ହାଜର ନହେବାରୁ ତାଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା ଜାରି ହୋଇଛି। ଏଦ୍‌ବ୍ୟତୀତ ୨୦୦୫ ମସିହାରେ ଅନ୍ୟତମ ଅଭିଯୁକ୍ତ ବର୍ଷାଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କୁ ମାମଲାରୁ ବାଦ୍‌ ଦିଆଯାଇଥିଲା।