ଅନୁଗୁଳ : ନକଲି ଶିକ୍ଷକ, ଡାକ ବିଭାଗରେ ଜାଲ୍ ସାର୍ଟିଫିକେଟ୍ କେଳେଙ୍କାରୀ ପୂରା ରାଜ୍ୟରେ ହଇଚଇ ଖେଳାଇଥିବା ବେଳେ ଏବେ ଅନୁଗୁଳରେ ବେଆଇନ୍ ବିଏଡ୍ ଟ୍ରେନିଂ ଇନ୍ଷ୍ଟିଚ୍ୟୁଟ୍କୁ ନେଇ ଆସିଛି ଅଭିଯୋଗ। ଗତ ୧୯୮୯ମସିହାରୁ ସରକାର ଓଡ଼ିଶାରେ ପ୍ରାଇଭେଟ୍ ବିଏଡ୍ ନିଷିଦ୍ଧ କରିଥିବା ବେଳେ ଏକ ନିର୍ଦ୍ଦିଷ୍ଟ ଶିକ୍ଷାନୁଷ୍ଠାନ ବିଏଡ୍ ଇନ୍ଷ୍ଟିଚ୍ୟୁଟ୍ ଖୋଲି ଛାତ୍ରଛାତ୍ରୀମାନଙ୍କୁ କେବଳ ଭୁଆଁ ବୁଲାଉ ନାହିଁ, ବରଂ ଜିଲ୍ଲା ପ୍ରଶାସନ ଆଖିରେ ଆଙ୍ଗୁଠି ଗେଞ୍ଜି ଗଲା ଛଅ ବର୍ଷ ହେଲା ଭଲ କମାଣି କରି ଚାଲିଛି। ଅନୁଗୁଳ ଶିକ୍ଷିତ ଯୁବକ ଏନେଇ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ଲିଖିତ ଅଭିଯୋଗ କଲା ପରେ ଘଟଣାର ତଦନ୍ତ କରିବା ପାଇଁ ଅନୁଗୁଳ ଜିଲ୍ଲାପାଳଙ୍କୁ ଉଚ୍ଚଶିକ୍ଷା ବିଭାଗ ଲିଖିତ ନିର୍ଦ୍ଦେଶନାମା ଜାରି କରିଛି। ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ବିଭାଗ ଚିଠିରେ ସ୍ପଷ୍ଟ କରିଛି।
ମୁଖ୍ୟ ଶାସନ ସଚିବଙ୍କୁ ଅନୁଗୁଳ ଯୁବକଙ୍କ ଫେରାଦ୍
ତିନି ଜିଲ୍ଲାପାଳଙ୍କୁ ଉଚ୍ଚ ଶିକ୍ଷା ବିଭାଗର ତଦନ୍ତ ନିର୍ଦ୍ଦେଶ
ସୂଚନା ମୁତାବକ, ୨୦୧୭-୧୮ ଶିକ୍ଷାବର୍ଷରୁ ବିଏଡ୍ ନାମଲେଖା ପାଇଁ ଏ ଶିକ୍ଷାନୁଷ୍ଠାନ ନିଜର ବିଜ୍ଞାପନ କରି ଆସୁଥିଲା। ଏମିତିକି, ରେଗୁଲାର୍ କ୍ଲାସ୍ ସାଙ୍ଗକୁ ହଷ୍ଟେଲ୍ ସୁବିଧା ଦିଆଯାଉଛି ବୋଲି ଦର୍ଶାଉଥିଲା। ଯାହାକୁ ନେଇ ଅନୁଗୁଳର ଶିକ୍ଷିତ ଯୁବକ ଅମିତ୍ ମାଣ୍ଡୋଠିଆ ସନ୍ଦେହ ପ୍ରକଟ କରିଥିଲେ। ଏନେଇ ଜିଲ୍ଲା ପ୍ରଶାସନ ପାଖ ଅଭିଯୋଗ ହୋଇଥିଲା। ତତ୍କାଳୀନ ଅନୁଗୁଳ ଉପଜିଲ୍ଲାପାଳ, ଅନୁଗୁଳ ଡିଏସ୍ପି(ଏଚ୍ଆର୍ପିସି), ସର୍ବଶିକ୍ଷା ଅଭିଯାନର ଡିପିସି ଏବଂ ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ଅଧ୍ୟକ୍ଷ ମିଳିତ ଭାବେ ଏ ଅଭିଯାଗର ତଦନ୍ତ କରିଥିଲେ। ଯେଉଁଥିରୁ ଏ ଅନୁଷ୍ଠାନର ଜାଲିଆତି ପଦାକୁ ଆସିଥିଲା।
ତଦନ୍ତ ରିପୋର୍ଟ ମୁତାବକ, ସେ ସମୟରେ କୌଣସି ବିଶ୍ବବିଦ୍ୟାଳୟରୁ ଏ ଅନୁଷ୍ଠାନ ସ୍ବୀକୃତି ନ ଆଣି ବିଏଡ୍ ଟ୍ରେନିଂର ମିଥ୍ୟା ପ୍ରଚାର ପ୍ରସାର ଚଳାଇ ଆସୁଥିଲା। ଏମିତି, ରେଗୁଲାର୍ କ୍ଲାସ୍ ନ କରି ବିଦ୍ୟାର୍ଥୀମାନଙ୍କୁ ଭୁଆଁ ବୁଲାଇବା ସହିତ ମିଛରେ ହଷ୍ଟେଲ୍ ସୁବିଧା ଅଛି ବୋଲି ଦର୍ଶାଉଥିଲା। ସେ ସମୟରେ ଅନୁଗୁଳ ଜିଲ୍ଲା ପ୍ରଶାସନ ଏ ଅନୁଷ୍ଠାନକୁ ଜାଲ୍ ବୋଲି ନିଜର ତଦନ୍ତ ରିପୋର୍ଟରେ ଦର୍ଶାଇଥିଲା। ଏହାସହ ଏସ୍ସିଇଆର୍ଟି(ଷ୍ଟେଟ୍ କାଉନ୍ସିଲ୍ ଅଫ୍ ଏଜୁକେସ୍ନାଲ୍ ରିସର୍ଚ୍ଚ ଆଣ୍ଡ୍ ଟ୍ରେନିଂ)ର ନିର୍ଦ୍ଦେଶକଙ୍କୁ ବି ଏ ଅନୁଷ୍ଠାନର ଜାଲିଆତି ସମ୍ପର୍କରେ ଚିଠି ଲେଖି ଜଣାଇଥିଲା। ସେତିକିରେ କିନ୍ତୁ ତଦନ୍ତ ଆଣ୍ଠେଇଥିଲା। ଏ ଅନୁଷ୍ଠାନକୁ ଦୁର୍ନୀତି ପରେ ଆହୁରି ଦୁର୍ନୀତି କରିବାକୁ ସୁଯୋଗ ମିଳିଛି। କେବଳ ଅନୁଗୁଳରେ ନୁହେଁ, ଛେଣ୍ଡିପଦାଠାରୁ ଆରମ୍ଭ କରି ଢେଙ୍କାନାଳ ଏବଂ ରାଜଧାନୀ ଭୁବନେଶ୍ବର ଆଦି ୪ଟି ଜାଗାରେ ଏ ଅନୁଷ୍ଠାନ ନିଜର ଶାଖା ମେଲାଇ ସାରିଲାଣି। ଏନେଇ ଶ୍ରୀ ମାଣ୍ଡୋଠିଆ ପୁଣି ମୁଖ୍ୟ ଶାସନ ସଚିବଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ପରେ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ରଜନୀକାନ୍ତ ମିଶ୍ର ଚିଠି ନମ୍ବର ୧୪୧୩୦, ତାରିଖ ୪/୪/୨୦୨୩ରେ ଅନୁଗୁଳ ସମେତ ଢେଙ୍କାନାଳ ଏବଂ ଖୋର୍ଧା ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଯେହେତୁ, ୧୯୮୯ମସିହାରୁ ଓଡ଼ିଶାରେ ପ୍ରାଇଭେଟ୍ ବିଏଡ୍ ବନ୍ଦ ହୋଇଗଲାଣି, କେଉଁ ହିସାବରେ ଏ ଶିକ୍ଷାନୁଷ୍ଠାନ ବିଏଡ୍ ପାଠ୍ୟକ୍ରମ ଯୋଗାଉଛି? ତାହା ତଦନ୍ତ କରି ଜଣାଇବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି।